33.1 C
Bhubaneswar
Wednesday, October 16, 2024
Homeଓଡିଶା+୨ ରେ ୧ ଲକ୍ଷ ୩୩ ହଜାର ସିଟ୍‌ ଖାଲି

+୨ ରେ ୧ ଲକ୍ଷ ୩୩ ହଜାର ସିଟ୍‌ ଖାଲି

ଭୁବନେଶ୍ୱର : ଅକ୍ଟୋବର ମାସ ଅଧା ହେଲାଣି । ପାଠ ପଢ଼ା ମଧ୍ୟ ଆରମ୍ଭ ହୋଇସାରିଲାଣି । ହେଲେ ନାମଲେଖା ପ୍ରକ୍ରିୟା ସରିବାର ନାଁ ଧରୁନି । ଏହାର ଗୋଟିଏ କାରଣ ହେଉଛି ସିଟ୍‌ ପୂରଣ ହେଉନି । ଏବେ ବି ୨୫ ପ୍ରତିଶତ ସିଟ୍‌ ଖାଲିପଡ଼ିଛି । ଆଶ୍ଚର୍ଯ୍ୟର କଥା ଖୋର୍ଦ୍ଧା ଜିଲ୍ଲାରେ ପାଖାପାଖି ୩୦ ପ୍ରତିଶତ ସିଟ୍‌ ଖାଲିପଡ଼ିଛି । ଏହେଉଛି ଯୁକ୍ତ ଦୁଇ ପ୍ରଥମ ବର୍ଷ ଅର୍ଥାତ୍‌ ଏକାଦଶ ଶ୍ରେଣୀ ନାମଲେଖାର ଚିତ୍ର । ଏ ଚିତ୍ର ଦେଖିଲେ ମାଟ୍ରିକ୍‌ ପରେ ଡ୍ରପ୍‌ ଆଉଟ୍‌ ହେଉଥିବା ଆଶଂକା ରହୁଛି । ଚଳିତବର୍ଷ ଦ୍ୱିତୀୟ ପର୍ଯାୟ ନାମଲେଖା ପରେ ମଧ୍ୟ ୧ ଲକ୍ଷ ୩୩ ହଜାର ସିଟ୍‌ ଖାଲି ପଡ଼ିଛି । ଏପଟେ ସିଟ୍‌ ପୂରଣ ନହୋଇଥିବାରୁ ତୃତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ପାଇଁ ୨୨ରୁ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ।

ସାମ୍‌ସର ତଥ୍ୟ ଅନୁଯାୟୀ, ରାଜ୍ୟରେ ୨୩୭୭ ଉଚ୍ଚ ମାଧ୍ୟମିକ ସ୍କୁଲ (ଯୁକ୍ତ ଦୁଇ କଲେଜ)ରେ ୫ଲକ୍ଷ ୫୯ ହଜାର ୬୪୫ ସିଟ୍‌ ରହିଛି । ଏଥିରୁ ୪ ଲକ୍ଷ ୨୬ ହଜାର ୧୫୫ ସିଟ୍‌ରେ ନାମଲେଖା ହୋଇଛି । ଆଉ ୧ ଲକ୍ଷ ୩୩ ହଜାର ୪୯୭ ସିଟ୍‌ ଖାଲି ପଡ଼ିଛି । ଅର୍ଥାତ୍‌ ୨୫ ପ୍ରତିଶତ ସିଟ୍‌ ଖାଲି ପଡ଼ିଛି । କଳାରେ ୩ ଲକ୍ଷ ୧୬ ହଜାର ୮୭୬ ସିଟ୍‌ରୁ ୨ ଲକ୍ଷ ୭୨ ହଜାର ୭୩୦ ସିଟ୍‌ରେ ନାମଲେଖା ହୋଇଛି । ଆଉ ୪୪ ହଜାର ୧୪୬ ସିଟ୍‌ ଖାଲି ପଡ଼ିଛି । ଅର୍ଥାତ କଳାରେ ୧୩ ପ୍ରତିଶତ ସିଟ୍‌ ଖାଲି ରହିଛି । ସବୁଠୁ ଅଧିକ ସିଟ୍‌ ବିଜ୍ଞାନରେ ଖାଲି ପଡ଼ିଛି । ବିଜ୍ଞାନରେ ୧ଲକ୍ଷ ୭୭ ହଜାର ୨୧୩ ସିଟ୍‌ ଥିବାବେଳେ ୧ ଲକ୍ଷ ୧୧ ହଜାର ୪୯୧ ସିଟ୍‌ରେ ନାମଲେଖାରେ ହୋଇଛି । ଆହୁରି ୬୫ ହଜାର ୭୨୨ ସିଟ୍‌ ଖାଲି ପଡ଼ିଛି । ଅର୍ଥାତ୍‌ ୩୭ ପ୍ରତିଶତ ସିଟ୍‌ ଖାଲି ପଡ଼ିଛି । ବାଣିଜ୍ୟରେ ମଧ୍ୟ ସମାନ ଅବସ୍ଥା । ୩୭ ପ୍ରତିଶତ ସିଟ୍‌ ଖାଲି ରହିଛି । ୪୧ ହଜାର ୬୫୬ ସିଟ୍‌ରୁ ୨୬ ହଜାର ୧୦୮ ଜଣ ନାମ ଲେଖାଇଛନ୍ତି । ବାକି ୧୫ ହଜାର ୫୪୮ସିଟ୍‌ ଖାଲି ପଡ଼ିଛି ।

ଚଳିତବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍‌ଇ)ରୁ ମାଟ୍ରିକ୍‌ରେ ୫ ଲକ୍ଷ ୩୦ ହଜାରରୁ ଅଧିକ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ରୁ ଦଶମ ଶ୍ରେଣୀରେ ୪୯ ହଜାର ୭୨୬ ଜଣ ପାସ୍‌ କରିଛନ୍ତି । ସିବିଏସ୍‌ଇରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ପ୍ରାୟତଃ ସିବିଏସ୍‌ଇ ସ୍କୁଲରେ ନାମଲେଖାଇଥାନ୍ତି । ପ୍ରଶ୍ନ ଉଠୁଛି, ଓଡ଼ିଆ ମାଧ୍ୟମ ସ୍କୁଲରୁ ପାସ୍‌ କରିଥିବା ୫ ଲକ୍ଷ ୩୦ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପାଖାପାଖି ୧ ଲକ୍ଷ ପିଲା ଗଲେ କୁଆଡ଼େ? ଆଇଟିଆଇ, ଡିପ୍ଲୋମାରେ ଏତେ ସଂଖ୍ୟକ ପିଲା ନାମ ଲେଖାଇନାହାନ୍ତି । କଳାରେ ପ୍ରାୟତଃ ସିଟ୍‌ ପୂରଣ ହୋଇଛି । ହେଲେ ବିଜ୍ଞାନ ବିଭାଗରେ ସିଟ୍‌ ବଳୁଛି ତାହା ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି କରୁଛି ।

ଜିଲ୍ଲାସ୍ତରୀୟ ନାମଲେଖାକୁ ଦେଖିଲେ, ଖୋଦ୍‌ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୦ ପ୍ରତିଶତ ସିଟ୍‌ ଖାଲିପଡ଼ିଛି । ଖୋର୍ଦ୍ଧା ଜିଲ୍ଲାରେ ଥିବା ୧୬୪ କଲେଜରେ ମୋଟ ୪୧ ହଜାର ୦୪୪ ସିଟ୍‌ ରହିଛି । ଏଥିରୁ ୨୯ ହଜାର ସିଟ୍‌ରେ ନାମଲେଖା ହୋଇଥିବା ବେଳେ ୧୧ ହଜାର ୬୨୧ ସିଟ୍‌ ଖାଲି । ଦେବଗଡ଼ରେ ୩୬ ହଜାର ୯୫୬ ସିଟ୍‌ରୁ ୨୭ ହଜାର ୨୨୯ ସିଟ୍‌ରେ ନାମଲେଖା ହୋଇଛି । ଆଉ ୯ ହଜାର ୭୨୭ ସିଟ୍‌ ଖାଲିପଡ଼ିଛି । ସେହିପରି ବାଲେଶ୍ୱରରେ ୯ ହଜାର ୪୫୪ସିଟ୍‌, ଗଞ୍ଜାମରେ ୯୧୨୪, ମୟୂରଭଞ୍ଜରେ ୭୯୭୪, ଯାଜପୁରରେ ୭୫୬୫ ସିଟ୍‌ ଖାଲି ରହିଛି । ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ୨୨ରୁ ୨୭ ତାରିଖ ମଧ୍ୟରେ ଆବେଦନ କରିପାରିବେ ଶିକ୍ଷାର୍ଥୀ । ନଭେମ୍ବର ୧ରେ ପ୍ରକାଶ ପାଇବ ମେଧା ତାଲିକା । ୨ରୁ ୫ ତାରିଖ ମଧ୍ୟରେ ଚୟନ ହୋଇଥିବା ଶିକ୍ଷାର୍ଥୀମାନେ ନାମଲେଖାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking