ଭୁବନେଶ୍ୱର: ସରକାରଙ୍କର ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ ପ୍ରାଧିକରଣ (ଏସଏଲଏସଡବ୍ଲ୍ୟୁସିଏ)ର ୧୧୫ ତମ ବୈଠକରେ ୨୫ଟି ଶିଳ୍ପ ଭିତ୍ତିକ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୫,୮୨.୨୭କୋଟିର ଏହି ପ୍ରକଳ୍ପଗୁଡିକୁ ଅନୁମୋଦନ ମିଳିଛି, ଯାହାଦ୍ୱାରା ୨୫୦୦୦ ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସମ୍ଭାବନା ରହିଛି । ଏହି କମିଟି ୨୮ ହଜାର କୋଟି ଟଙ୍କା ବିନିଯୋଗରେ ୩ଟି ବଡ଼ ପ୍ରକଳ୍ପ ହାଇ ଲେଭେଲ କ୍ଲିୟରାନ୍ସ କମିଟି(ଏଚଏଲସିଏ)କୁ ସୁପାରିଶ କରିଛି । ଯେଉଁଥିରେ ୧୯ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସମ୍ଭାବନା ରହିଛି । ମେକ ଇନ ଓଡିଶା କନକ୍ଲେଭ ୨୦୨୨ ସମୟରେ ଆସିଥିବା ବିନିଯୋଗ ପ୍ରସ୍ତାବ ମଧ୍ୟରୁ ୧୬ଟି ପ୍ରକଳ୍ପକୁ ଏହି ବୈଠକର ଅନୁମୋଦନ ଲାଗି ଉପସ୍ଥାପନ କରାଯାଇଥିଲା ।
ଏସଏଲଏସଡବ୍ଲୁସିଏ ଦ୍ୱାରା ପ୍ଲାଷ୍ଟିକ୍ କ୍ଷେତ୍ରରେ ୩ ଟି ପ୍ରକଳ୍ପ ଅନୁମୋଦିତ ହୋଇଛି । ୩୯୨.୧୦ କୋଟି ଟଙ୍କା ବିନିଯୋଗରେ ହେବାକୁ ଥିବା ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ୬୬୪ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି । ଶ୍ରୀ ମା ପ୍ୟାକେଜିଂ ଲିମିଟେଡ, କେମୋ ପ୍ଲାଷ୍ଟିକ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ କୁଲ୍ କ୍ୟାପ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଖୋର୍ଦ୍ଧା ଜିଲ୍ଲା ମଳିପାଡା ଠାରେ ସେମାନଙ୍କ ୟୁନିଟ୍ ପ୍ରତିଷ୍ଠା କରିବେ । ଇସ୍ପାତ କ୍ଷେତ୍ରରେ ୮ ଟି ପ୍ରକଳ୍ପ ବିନିଯୋଗ ପ୍ରସ୍ତାବ ମଧ୍ୟରୁ ଇସ୍ପାତ ଡାଉନଷ୍ଟ୍ରିମ୍ ସେଗମେଣ୍ଟରେ ୩ଟି ଏବଂ ଇସ୍ପାତର , ଫେରୋ ଆଲଏଜ ସେଗମେଣ୍ଟରେ ୨ ଟି ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏହି ୮ ଟି ପ୍ରକଳ୍ପ ୨୪୧୮.୪୯ କୋଟି ଟଙ୍କା ବିନିଯୋଗରେ ୩୦୦୦ ରୁ ଅଧିକ ଲୋକଙ୍କ ପାଇଁ ରୋଜଗାରର ସୁଯୋଗ ପ୍ରଦାନ କରିବାକୁ ଆକଳନ କରାଯାଇଛି । ଏଥିରୁ ୩ ଟି ୟୁନିଟ କଳିଙ୍ଗ ନଗରରେ ଏବଂ ଅନ୍ୟାନ୍ୟ ୟୁନିଟଗୁଡିକ ମାଣ୍ଡିଆକୁଦାର, ବଣାଇ, ଲାଠିକଟା, ରାଇରଙ୍ଗପୁର ଏବଂ ଜାମଦା ବ୍ଲକରେ ପ୍ରତିଷ୍ଠା ହେବ । ଖାଦ୍ୟ ପ୍ରକ୍ରିୟାକରଣ ସେଗମେଣ୍ଟରେ ୩ ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି ।
ଡୋଡଲା ଡାଏରୀ ଲିମିଟେଡ ଏବଂ କୃପାଳୁ କୁଞ୍ଜର ଗୋଟିଏ ଡାଏରୀ ଉପାଦାନ ୟୁନିଟ ଯଥାକ୍ରମେ ଜଗତସିଂହପୁର ଏବଂ କୋରେଇ ବ୍ଲକର ଧାନପୁରଠାରେ ପ୍ରତିଷ୍ଠା ହେବ । ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ୧୬୪.୯୯ କୋଟି ଟଙ୍କା ବିନିଯୋଗ ହେବ ଏବଂ ୪୯୧ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ମୁସଦଦିଲାଲ ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ଏବଂ ଏସଡିବିଏଲ ଇନଫୋସିଷ୍ଟମ୍ ପ୍ରାଇଭେଟ ଲିମିଟେଡ କଟକ ଠାରେ ଦୁଇଟି ପ୍ରକଳ୍ପ ପ୍ରତିଷ୍ଠା କରିବେ । ଏହି ଅନୁମୋଦିତ ପ୍ରକଳ୍ପ ୨୧୩ କୋଟି ବିନିଯୋଗରେ ୬୩୪୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏସଏନଏମ ହୋଟେଲ ଆଣ୍ଡ ରିସର୍ଟ ପ୍ରାଇଭେଟ ଲିମିଟେଡ୍ ପୁରୀ ଜିଲ୍ଲାର ଗୋପ ତହସିଲର ସାହୁଖାନତା ଠାରେ ତାଙ୍କର ହୋଟେଲ ଆଣ୍ଡ ରିସୋର୍ଟ ସୁବିଧା ପ୍ରତିଷ୍ଠା କରିବେ । ୮୦.୬୨ କୋଟି ବିନିଯୋଗରେ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ୧୫୦ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଇପାରିବ ବୋଲି ଆଶା କରାଯାଉଛି ।
ଆଇଟି ଏବଂ ଇଏସଡିଏମ କ୍ଷେତ୍ରରେ ୨୦୩.୭୧ କୋଟି ଟଙ୍କାର ୨ ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଡି ଏନ ହୋମସ୍ ପିଭିଟି ଲିମିଟେଡ୍ ଏହାର ଡାଟା ସେଣ୍ଟର ଏବଂ ଖୋର୍ଦ୍ଧା ଜିଲ୍ଲା ଇନଫୋ ଭ୍ୟାଲି-୨ରେ ଆଇଟି ଭିତ୍ତିଭୂମି ପ୍ରତିଷ୍ଠା ହେବ । ଏନଏମଡିସି ଡାଟା ସେଣ୍ଟର ପ୍ରାଇଭେଟ ଲିମିଟେଡ ଇଏମସି ପାର୍କ(ଇଫୋଭ୍ୟାଲି)ରେ ଡାଟା ସେଣ୍ଡର ପ୍ରତିଷ୍ଠା କରିବ । ସେହିଭଳି ଆମପିନ ସୋଲାର ପ୍ରାଇଭେଟ ଲିମିଟେଡ ଇଏମସି ପାର୍କ(ଇଫୋଭ୍ୟାଲି)ରେ ସୋଲାର ସେଲ ଆଣ୍ଡ ମୋଡୁଲସ୍ ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିବ । ୯୫.୯୬ କୋଟି ଟଙ୍କା ବିନିଯୋଗରେ ରୋଏଲ ହୋଟେଲ ପ୍ରାଇଭେଟ ଲିମିଟେଡ ଖୋର୍ଦ୍ଧାଠାରେ ଏକ ଆଇଟି ପାର୍କ ପ୍ରତିଷ୍ଠା କରିବ । ଫାର୍ମାସ୍ୟୁଟିକାଲ୍ ସେଗମେଣ୍ଟରେ ଟ୍ରୋପିକ ରିସୋର୍ସ ପ୍ରାଇଭେଟ ଲିମିଟେଡ ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ ଏକ ୪ ଇଫଫ୍ୟୁଜନ ଏବଂ ମିନେରାଲ ୱାଟର ପ୍ଲାଣ୍ଟ ସ୍ଥାପନ କରିବ ।
ଅନ୍ୟପଟେ ଡ୍ରାଇକେମ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ୫୭.୫୦ କୋଟି ଟଙ୍କା ବିନିଯୋଗରେ ଜିପସମ୍ ପ୍ଲାଷ୍ଟର ଏବଂ ଜିପସମ୍ ବୋର୍ଡ, ଆରଏମପି ଟାଇଲ ଏବଂ ୱାଲ ପୁଟି ଉତ୍ପାଦନ ୟୁନିଟ ଭଦ୍ରକ ଜିଲ୍ଲା ଧାମରାରେ ପ୍ରତିଷ୍ଠା କରିବ । ଟେକ୍ସଟାଇଲ୍ କ୍ଷେତ୍ରରେ ସାହି ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ ୨୫୦ କୋଟି ବିନିଯୋଗରେ ଖୋର୍ଦ୍ଧା ଜିଲ୍ଲାରେ ରେଡିମେଟ ଗାରମେଣ୍ଟ ୟୁନିଟ ପ୍ରତିଷ୍ଠା କରିବ । ଏହାଦ୍ୱାରା ୧୦ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିଭଳି କେମିକାଲ ଏବଂ ପେଟ୍ରୋକେମିକାଲ କ୍ଷେତ୍ରରେ ଗାଜପାରାଦ୍ୱୀପ ପ୍ରାଇଭେଟ ଲିମିଟେଡ ୨ ଏମଟିପିଏ କ୍ଷମତା ବିଶିଷ୍ଟ ରେଫ୍ରିଜିରେଟ ପ୍ରୋପାନ ଏବଂ ବ୍ୟୁଟେନ (ଏଲପିଜି) ଷ୍ଟୋରେଜ ଟର୍ମିନାଲ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପରେ ପ୍ରତିଷ୍ଠା କରିବ । ଓଡିଶା ସରକାର ସର୍ବଦା ଶିଳ୍ପୋଦ୍ୟୋଗୀମାନଙ୍କୁ ରାଜ୍ୟକୁ ସ୍ୱାଗତ କରିଛନ୍ତି ଏବଂ ରାଜ୍ୟରେ ବିନିଯୋଗ କରିବାକୁ ଉତ୍ସାହିତ କରିଛନ୍ତି । ପ୍ରାକୃତିକ ସମ୍ପଦର ଉପଲବ୍ଧତା ଥିବା ଓଡ଼ିଶା ପୁଞ୍ଜି ବିନିଯୋଗ ପାଇଁ ଉତ୍କୃଷ୍ଟ ।