ୱାଶିଂଟନ: ୧୭ ଜଣ ରୋଗୀଙ୍କୁ ମାତ୍ରାଧିକ ଔଷଧ ଦେଇ ହତ୍ୟା କରିଥିବ ଅଭିଯୋଗରେ ପୁଲିସ ଆମେରିକାର ପେନ୍ସିଲଭାନିଆସ୍ଥିତ ଏକ ହସ୍ପିଟାଲରେ କାର୍ଯ୍ୟରତ ଜଣେ ନର୍ସଙ୍କୁ ଗିରଫ କରିଛନ୍ତି । ହିଦର ପ୍ରେସ୍ଡି ନାମ୍ନୀ ଏହି ୪୧ ବର୍ଷୀୟା ନର୍ସ ସେଠାରେ ଚିକିତ୍ସିତ ହେଉଥିବା ଡାଏବେଟିସ ରୋଗୀଙ୍କ ଦାୟିତ୍ୱରେ ଥିଲେ । ତେବେ ୨୦୨୦ରୁ ଏପର୍ଯ୍ୟନ୍ତ ସେ ସଂପୃକ୍ତ ରୋଗୀଙ୍କ ସୁଗାର ଟେଷ୍ଟ ରିପୋର୍ଟକୁ ଅଣଦେଖା କରିବା ସହ ମାତ୍ରାଧିକ ଇନ୍ସୁଲିନ୍ (ଡାଏବେଟିସ୍ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଔଷଧ) ଦେବାଫଳରେ ସେମାନଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଏହାବ୍ୟତୀତ ମାତ୍ରାଧିକ ଇନ୍ସୁଲିନ୍ ନେଇଥିବାରୁ ଆଉ କେତେକ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଲ ହୋଇପଡିଛି । ଏହି କାରଣରୁ ପ୍ରେସ୍ଡିଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ମଧ୍ୟ ରୁଜୁ କରାଯାଇଛି । ପ୍ରେସ୍ଡିଙ୍କୁ ବର୍ତ୍ତମାନ ବୋଷ୍ଟନ ଜେଲ୍ରେ ରଖାଯାଇଛି ।