ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟରେ ଅଦାନୀ ଗ୍ରୁପ୍ ବିରୋଧରେ ହିଣ୍ଡେନ୍ବର୍ଗ ରିପୋର୍ଟ ସମ୍ପର୍କିତ ଦୁଇଟି ଜନସ୍ୱାର୍ଥ ମାମଲାର ଶୁଣାଣି ଶୁକ୍ରବାର ହୋଇଛି । ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ପିଏସ୍ ନରସିହ୍ମା ଏବଂ ଜେବି ପାରଦିୱାଲାଙ୍କ ଖଣ୍ଡପୀଠ ଭବିଷ୍ୟତରେ ନିବେଶକଙ୍କ ସୁରକ୍ଷା ପାଇଁ କ’ଣ ଉପାୟ ନିଆଯାଇପାରିବ ସେ ସମ୍ପର୍କରେ ସେବିଠାରୁ ପରାମର୍ଶ ମାଗିଛନ୍ତି । ସେବି ପକ୍ଷରୁ ଉପସ୍ଥିତ ସଲିସିଟିର ଜେନେରାଲ୍ ତୁଷାର ମେହେଟାଙ୍କୁ ମାମଲା ଉପରେ ସୋମବାର ପୂରା ସୂଚନା ସହିତ ଆସିବା ପାଇଁ କୋର୍ଟ କହିଥିଲେ ।
ଆଡ୍ଭୋକେଟ୍ ଏମ୍ଏଲ୍ ଶର୍ମା ଓ ବିଶାଳ ତିୱାରୀ ଏହି ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି, ହିଣ୍ଡେନ୍ବର୍ଗ ଶେୟାର୍କୁ ଶର୍ଟ ସେଲ୍ କରିବା ଫଳରେ ନିବେଶକଙ୍କୁ ଭହୁ କ୍ଷତି ହୋଇଛି । ତିୱାରୀ କହିଥିଲେ, ହିଣ୍ଡେନ୍ବର୍ଗ ରିପୋର୍ଟ ଦେଶର ଛବିକୁ ଖରାପ କରିଛି । ଏହା ସହିତ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରୁଛି । ଅନ୍ୟପକ୍ଷରେ ରିପୋର୍ଟ ସମ୍ପର୍କରେ ମିଡିଆ ଦ୍ୱାରା କରାଯାଇଥିବା ପ୍ରଚାର ବଜାରକୁ ପ୍ରଭାବିତ କରିଥିବା ବେଳେ ହିଣ୍ଡେନ୍ବର୍ଗ ପ୍ରତିଷ୍ଠାତା ନାଥନ୍ ଆଣ୍ଡରସନ୍ ମଧ୍ୟ ଭାରତୀୟ ରେଗୁଲେଟର ସେବିକୁ ନିଜ ଦାବିର ପ୍ରମାଣ ଦେବାରେ ବିଫଳ ହୋଇଛନ୍ତି ବୋଲି ଶର୍ମା ନିଜ ଆବେଦନରେ ଦାବି କରିଛନ୍ତି । ମନୋହର ଲାଲ୍ ଶର୍ମା ନିଜ ଆଦେନରେ ଆଣ୍ଡରସନ୍ ଏବଂ ଭାରତରେ ଥିବା ତାଙ୍କ ସହଯୋଗୀଙ୍କ ବିରୋଧରେ ଯାଞ୍ଚ୍ ସହିତ ଏଫ୍ଆଇଆର୍ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଦାବି କରିଛନ୍ତି । ସେହିପରି ବିଶାଳ ତିୱାରୀ ସୁପ୍ରିମ୍କୋର୍ଟର ଅବସରପ୍ରାପ୍ତ ଜଜ୍ଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ରିୋର୍ଟର ଯାଞ୍ଚ୍ ପାଇଁ ଦାବି କରିଛନ୍ତି ।