ଭୋପାଳ: ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ ଗତ ଦୁଇ ଦିନ ତଳେ ଏକ ବୋମା କାରଖାନାରେ ହୋଇଥିବା ଭୟାବହ ବିସ୍ଫୋରଣ ଘଟଣାରେ ୧୩ଜଣଙ୍କ ମୃତ୍ୟୁ ତଥା ଶତାଧିକ ଲୋକ ଆହତ ହୋଇଥିଲେ । ଏହି ଘଟଣାରେ ସରକାରଙ୍କ ବିରୋଧରେ ପ୍ରତିବାଦ ପ୍ରଦର୍ଶନ ପୂର୍ବକ ହରଦାରୁ ବିଧାୟକ ଥିବା କଂଗ୍ରେସ ନେତା ଆରକେ ଦୋଗନେ ଗୁରୁବାର ବିଧାନସଭାକୁ ଏକ ସୁତୁଲି ବୋମାର ହାର ପିନ୍ଧି ଆସିବା ଦେଖିବାକୁ ମିଳିଥିଲା । ବିଧାନସଭା ଅଧିବେଶନର ଆଜି ଦ୍ୱିତୀୟ ଦିନ ଥିବା ବେଳେ ବିଧାୟକଙ୍କ ଏପ୍ରକାର କାରନାମା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି ।
ଏତଦ୍ବ୍ୟତୀତ ତାଙ୍କର ଏକ ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏଥିରେ ବିଧାୟକ କାନ୍ଦ କାନ୍ଧ ଆଖିରେ ହରଦା ଘଟଣାରେ ପୀଡିତ ଲୋକଙ୍କୁ ସହଯୋଗ୍ୟ, ସାହଯ୍ୟର ହାତ ବଢ଼ାଇବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି । ଏହି ଘଟଣା ପ୍ରତି ରାଜ୍ୟସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ଆଜି ସେ ଏପରି କରିଥିବା ଗଣମାଧ୍ୟମକୁ କହିଛନ୍ତି । ଏତଦ୍ବ୍ୟତୀତ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତିତଳେ ବସି ସେ ଧାରଣା ମଧ୍ୟ ଦେଇଛନ୍ତି । ସରକାରଙ୍କୁ ମୃତକଙ୍କ ପରିବାରକୁ ସହାୟତା ରାଶି ବୃଦ୍ଧି ସହ ଆହତଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବାକୁ ଏବଂ ଏହି ଘଟଣାର ତଦନ୍ତ କରାଯିବା ପୂର୍ବକ ଅଭିଯୁକ୍ତଙ୍କୁ କଠୋର ଦଣ୍ଡବିଧାନ କରାଯିବା ପାଇଁ ସେ ଦାବି କରିଛନ୍ତି । ତେବେ ବିଧାନସଭାରେ ମଧ୍ୟ ଆଜି ହରଦା ଘଟଣା ସମ୍ପର୍କରେ ଆଲୋଚନା ହୋଇଥିବା ସମ୍ପର୍କରେ ସୂଚନା ମିଳିଛି ।