ବ୍ରହ୍ମପୁର : ଗୋପାଳପୁର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ରଙ୍କ ପୋଷ୍ଟ ମର୍ଟମରେ ସାଂଘାତିକ ଖୁଲାସା । ଅତ୍ୟଧିକ ମାଡ଼ ସହ ଶ୍ବାସ ରୁଦ୍ଧରୁ ହୋଇଛି ସୁଧୀରଙ୍କ ମୃତ୍ୟୁ । ସୁଧୀରଙ୍କ ମୁଣ୍ଡ ଓ ଛାତିରେ ପ୍ରବଳ ମାଡ଼ ହୋଇଥିଲା । ମାଡ଼ରେ ପିଞ୍ଜରା ହାଡ଼ ଭାଙ୍ଗିଯାଇଥିଲା । ଶ୍ୱାସ ରୁଦ୍ଧ ସହ ଛାନିଆରେ ସୁଧୀରଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି mkcg ର FMT ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସୁଦୀପା ଦାଶ । ସେପଟେ ହତ୍ୟା ମାମଲାରେ ପୁଣି ଥରେ ଦୁଇ ପୁରୁଣା ଅଭିଯୁକ୍ତଙ୍କ ସହ ଭାଇଭଉଣୀଙ୍କୁ ରିମାଣ୍ଡରେ ନେଇପାରେ ପୋଲିସ । ଏହି ମାମଲାର ଗିରଫ ୯ ଅଭିଯୁକ୍ତଙ୍କ ମଧ୍ୟରୁ ଅଭିଯୁକ୍ତ କାଳୁ ପ୍ରଧାନ, ସୂର୍ଯ୍ୟ ପ୍ରତାପ ସିଂଙ୍କ ସମେତ ସୁଧୀରଙ୍କ ଝିଆରୀ ନିବେଦିତା ପାତ୍ର ଓ ପୁତୁରା ତୁଷାରଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବା ପାଇଁ ବିଚାର ବିଭାଗୀୟ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ଗ୍ରାମୀଣ କୋର୍ଟ ରେ ଆବେଦନ କରିଛି ପୋଲିସ । ସୁଧୀରଙ୍କ ଝିଆରୀ ନିବେଦିତା ପୋଲିସକୁ ଦେଇଥିବା ବୟାନ ଓ ସୁଧୀରଙ୍କ ଝିଅ ଗଣମାଧ୍ୟମକୁ ଦେଇଥିବା ବୟାନ ଭିତରେ ତାଳମେଳ ରହୁନାହିଁ । ସତ ଜାଣିବା ପାଇଁ ନିବେଦିତାର ମାଆ ଓ ମାମୁଙ୍କୁ ମଧ୍ୟ ଡକାଇଛି ପୋଲିସ । ପ୍ରଥମ ପର୍ଯ୍ୟାୟ ଜେରା ବେଳେ ପୋଲିସ ଅପହରଣ ଓ ହତ୍ୟା ପଛର କିଛି ରହସ୍ୟ ଭେଦ କରିଥିଲେ ବି ଆଉ କିଛି ଅସମାହିତ ପ୍ରଶ୍ନର ଉତ୍ତର ଖୋଜିବ ପୋଲିସ ।










