ଢାକା : ଆଗାମୀ ଏସିଆ କପ୍ ପାଇଁ ଶନିବାର ସାକିବ୍ ଅଲ୍ ହସନ୍ଙ୍କ ନେତୃତ୍ୱରେ ବାଂଲାଦେଶର ୧୭ ଜଣିଆ ସ୍କ୍ୱାଡ୍ ଘୋଷଣା ହୋଇଛି । ଅନ୍କ୍ୟାପ୍ଡ ଓପ୍ନର୍ ତନ୍ଜିଦ୍ ତମିମ୍ଙ୍କୁ ଏଥିରେ ସାମିଲ କରାଯାଇଛି । ସେହିପରି ବାଂଲାଦେଶ ପକ୍ଷରୁ ଟି-୨୦ରେ ପ୍ରତିନିଧିତ୍ୱ କରିଥିବା ଯୁବ ବ୍ୟାଟର୍ ଶମିମ୍ ପାଟୋୱାରୀଙ୍କୁ ପ୍ରଥମ ଥର ପାଇଁ ଦିନିକିଆ ଟିମ୍ରେ ସ୍ଥାନ ମିଳିଛି । ସେହିପରି ଦୁଇବର୍ଷ ପରେ ମେହେଦି ହସନ୍ଙ୍କ ଟିମ୍ରେ ପ୍ରତ୍ୟାବର୍ତ୍ତନ ଘଟିଛି । ସେ ୱେଲିଂଟନ୍ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଦିନିକିଆ ମ୍ୟାଚ୍ ୨୦୨୧ରେ ଖେଳିଥିଲେ । ନିକଟରେ ଶେଷ ହୋଇଥିବା ଇମର୍ଜିଂ ଏସିଆ କପ୍ର ପ୍ରଦର୍ଶନ ଆଧାରରେ ତନ୍ଜିଦ୍ଙ୍କୁ ଟିମ୍ରେ ସାମିଲ କରାଯାଇଛି ।
ଏହି ଟୁର୍ଣ୍ଣାମେଣ୍ଟ୍ରେ ସେ ତିନିଟି ଅର୍ଦ୍ଧଶତକ ହାସଲ କରି ତମିମ୍ ଇକ୍ବାଲ୍ଙ୍କ ସ୍ଥାନରେ ଓପ୍ନିଂ ପାଇଁ ବଡ଼ ଦାବିଦାର ହୋଇପାରିଛନ୍ତି । ସେହିପରି ଓପ୍ନର୍ ଭାବେ ବାଂଲାଦେଶ ମହମ୍ମଦ ନଇମ୍ଙ୍କ ଉପରେ ଭରସା କରିଥିବା ବେଳେ ଅନ୍ୟତମ ଓପ୍ନର୍ ରୋନି ତାଲୁକଦାର ତାଙ୍କ ସ୍ଥାନ ବଜାୟ ରଖିବାରେ ବିଫଳ ହୋଇଛନ୍ତି । ତାଙ୍କ ସ୍ଥାନ ତନ୍ଜିଦ୍ ନେଇଛନ୍ତି । ଶମିମ୍ ଓ ମେହେଦିଙ୍କ ବ୍ୟତୀତ ବାମହାତୀ ସ୍ପିନର୍ ନସୁମ୍ ଅହମ୍ମଦଙ୍କର ମଧ୍ୟ ଟିମ୍କୁ ପ୍ରତ୍ୟାବର୍ତ୍ତନ ଘଟିଛି । ତେବେ ସମ୍ଭାବିତ ୩୨ ଜଣିଆ ଏସିଆ କପ୍ ଦଳରେ ଥିବା ଅଭିଜ୍ଞ ମହମ୍ମଦୁଲ୍ଲାହ ଟିମ୍ରେ ସ୍ଥାନ ହାସଲ କରିବାରେ ବିଫଳ ହୋଇଛନ୍ତି । ୩୭ ବର୍ଷୀୟ ମହମ୍ମଦୁଲ୍ଲାହ ଶେଷଥର ପାଇଁ ଚଳିତ ବର୍ଷ ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ୍ ଖେଳିଥିଲେ ।
ବାଂଲାଦେଶ ସ୍କ୍ୱାଡ୍: ସାକିବ୍ ଅଲ୍ ହସନ୍ (କ୍ୟାପ୍ଟେନ୍), ଲିଟନ୍ ଦାସ, ତନ୍ଜିସ୍ ତମିମ୍, ନଜମୁଲ୍ ହୋସେନ୍ ସାଣ୍ଟୋ, ଟୋହିଦ୍ ହ୍ରିଦୟ, ମୁସ୍ଫିକୁର୍ ରହିବ, ମେହେଦି ହସନ୍ ମିର୍ଜା, ତାସ୍କିନ୍ ଅହମଦ୍, ମୁସ୍ତାଫିଜୁର୍ ରହମନ୍, ହସନ୍ ମହମୁଦ୍, ଶେଖ୍ ମାହେଦି, ନସୁମ୍ ଅହମଦ, ଶମିମ୍ ହୋସେନ୍, ଆଫିଫ୍ ହୋସେନ୍, ଶୋରିଫୁଲ୍ ଇସ୍ଲାମ, ଇବାଦତ୍ ହୋସେନ୍, ମହମ୍ମଦ ନଇମ୍ ।
ଷ୍ଟାଣ୍ଡ୍ବାଇ: ତାଇଜୁଲ୍ ଇସ୍ଲାମ, ସୈଫ୍ ହସନ୍, ତନ୍ଜିମ୍ ହସନ୍ ସାକିବ୍ ।