ନୂଆଦିଲ୍ଲୀ: ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଟିଏମ୍ସି ସାଂସଦ ମହୁଆ ମୈତ୍ରଙ୍କ ସଂସଦ ସଦସ୍ୟତା ରଦ୍ଦ ହେବାର ବିପଦ ଜାରି ରହିଛି । ଏହି ମାମଲାରେ ପାର୍ଲାମେଣ୍ଟ୍ ଏଥିକ୍ସ କମିଟି ଯାଞ୍ଚ୍ ରିପୋର୍ଟ ଶୁକ୍ରବାର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ପ୍ରଦାନ କରିଛି । ରିପୋର୍ଟରେ କମିଟି ମହୁଆଙ୍କ ଅପରାଧକୁ ଗମ୍ଭୀର ବୋଲି ଦର୍ଶାଇଛି । ସୂତ୍ର ଅନୁସାରେ ରିପୋର୍ଟରେ ମହୁଆଙ୍କ ଲୋକସଭା ସଦସ୍ୟତା ରଦ୍ଦ ପାଇଁ ସୁପାରିସ କରାଯାଇଛି । ଏହି ରିପୋର୍ଟକୁ କମିଟି ଗୁରୁବାର ମଞ୍ଜୁରୀ ପ୍ରଦାନ କରିଥିଲା । ରିପୋର୍ଟ ସମର୍ଥନରେ ୬ ଏବଂ ବିରୋଧରେ ୪ ସାଂସଦ ଭୋଟ୍ କରିଥିଲେ ।
କମିଟି ନିଜ ସୁପାରିସରେ ରାଷ୍ଟ୍ରୀୟ ସୁରକ୍ଷାକୁ ସବୁଠୁ ପ୍ରମୁଖ ଆଧାର କରିଛି । ସୁପାରିସରେ କୁହାଯାଇଛି, ମହୁଆ ନିଜ ସଂସଦୀୟ ଆକାଉଣ୍ଟ୍ର ଲଗ୍-ଇନ୍ ଡିଟେଲ୍ ଅନଧିକୃତ ବ୍ୟକ୍ତିଙ୍କ ସହିତ ଶେୟାର୍ କରିଛନ୍ତି । ଏହାର ପ୍ରଭାବ ରାଷ୍ଟ୍ରୀୟ ସୁରକ୍ଷା ଉପରେ ପଡ଼ୁଛି । କମିଟି ଏହାକୁ ଗୁରୁତର ଅପରାଧ ଭାବେ ମାନିଛି ଏବଂ ଏଥିପାଇଁ ମହୁଆଙ୍କ ଲୋକସଭା ସଦସ୍ୟ ରଦ୍ଦ ପାଇଁ ସୁପାରିସ କରିଛି । ଲଗ୍ ଇନ୍ ଆଇଡି ଏବଂ ପାସ୍ୱାର୍ଡ ଶେୟାର୍ କରିବା ଅପରାଧ ଉପରେ କମିଟି କହିଛି, ଏହି ଗୁରୁତର ଅପରାଧ ପାଇଁ ମହୁଆଙ୍କୁ କଠୋର ଦଣ୍ଡା ମିଳିବା ଉଚିତ ।