ମୁମ୍ବାଇ: ରାଜସ୍ଥାନ ରୟାଲ୍ ବିପକ୍ଷ ମ୍ୟାଚ୍ରେ ଆଇପିଏଲ୍ ଆଚାର ସଂହିତା ଉଲ୍ଲଂଘନ କାରଣରୁ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପ୍ଟେନ୍ ଋଷଭ ପନ୍ତ୍ ଓ ଫାଷ୍ଟ ବୋଲର୍ ଶାର୍ଦ୍ଦୁଲ୍ ଠାକୁରଙ୍କୁ ଜୋରିମାନା କରାଯାଇଛି । ଅନ୍ୟପକ୍ଷରେ ଦିଲ୍ଲୀର ସହାୟକ କୋଚ୍ ପ୍ରବୀଣ ଆମ୍ରେ ଗୋଟିଏ ମ୍ୟାଚ୍ରୁ ନିଲମ୍ବିତ ହୋଇଛନ୍ତି । ଏହା ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଏହି ମ୍ୟାଚ୍କୁ ୧୫ ରନ୍ରେ ଜିତିଥିଲା । ଆଇପିଏଲ୍ର ବିଜ୍ଞପ୍ତି ଅନୁସାରେ, ଆମ୍ରେଙ୍କୁ ଗୋଟିଏ ମ୍ୟାଚ୍ରୁ ନିଲମ୍ବିତ କରାଯାଇଥିବା ବେଳେ ତାଙ୍କୁ ପୂରା ମ୍ୟାଚ୍ ଫି’ ଜୋରିମାନା କରାଯାଇଛି । ସେହିପରି ପନ୍ତ୍ଙ୍କ ପୂରା ମ୍ୟାଚ୍ ଫି’ ଏବଂ ଠାକୁରଙ୍କର ୫୦ ପ୍ରତିଶତ ମ୍ୟାଚ୍ ଫି’ କଟାଯାଇଛି ।
ଶୁକ୍ରବାର ଅନୁଷ୍ଠିତ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ର ଅନ୍ତିମ ଓଭର୍ରେ ପ୍ରଦର୍ଶନ ଆଚରଣ କାରଣରୁ ଏହି ତିନିଜଣଙ୍କୁ ଦଣ୍ଡିତ କରାଯାଇଛି । ଏହି ମ୍ୟାଚ୍ର ଅନ୍ତିମ ଓଭର୍ରେ ବିଜୟ ପାଇଁ ଦିଲ୍ଲୀକୁ ୩୬ ରନ୍ ଆବଶ୍ୟକ ଥିବାବେଳେ ଆବେଦ ମାକୟଙ୍କ ପ୍ରଥମ ତିନିଟି ବଲ୍ରେ ବ୍ୟାଟ୍ସମ୍ୟାନ୍ ରୋଭ୍ମାନ୍ ପାୱେଲ୍ ତିନିଟି ଛକା ଲଗାଇଥିଲେ । ତେବେ ତୃତୀୟ ବଲ୍ଟି ଫୁଲ୍ଟଚ୍ ଥିବାରୁ ଦିଲ୍ଲୀ ପକ୍ଷରୁ ଏହାକୁ ନୋବଲ୍ ଦେବାକୁ ଦାବି କରାଯାଇଥିଲା ।
ପରେ କ୍ୟାପ୍ଟେନ୍ ପନ୍ତ୍ ବ୍ୟାଟିଂ କରୁଥିବା ରୋଭ୍ମାନ୍ ପାୱେଲ୍ ଓ କୁଲଦୀପ ଯାଦବଙ୍କୁ ପଡ଼ିଆରୁ ଫେରିଆସିବାକୁ କହିଥିଲେ । ଅନ୍ୟପକ୍ଷରେ ଅମ୍ପାୟାର୍ଙ୍କ ସହ କଥା ହେବାକୁ ସହାୟକ କୋଚ୍ ଆମ୍ରେ ପଡ଼ିଆ ମଧ୍ୟକୁ ଚାଲିଯାଇଥିଲେ । ଋଷଭ ପନ୍ତ୍ ଆଇପିଏଲ୍ ଆଚାର ସଂହିତାର ଅନୁଚ୍ଛେଦ ୨.୭ ଅନୁସାରେ ଲେଭେଲ୍-୨ ଦୋଷ ସ୍ୱୀକାର କରିବା ସହ ଦଣ୍ଡ ମାନିନେଇଛନ୍ତି । ସେହିପରି ଠାକୁର ଓ ଆମ୍ରେ ଯଥାକ୍ରମେ ଅନୁଚ୍ଛେଦ ୨.୮ ଓ ୨.୨ରେ ଲେଭେଲ୍-୨ ଦୋଷ ଓ ଦଣ୍ଡ ମଧ୍ୟ ସ୍ୱୀକାର କରିଛନ୍ତି ।