କାଠମାଣ୍ଡୁ : ନେପାଳରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଭୂମିକମ୍ପ ଅନୁଭୂତ ହୋଇଥିବାବେଳେ ଏଥିଯୋଗୁଁ ୧୫୭ ଜଣ ପ୍ରାଣ ହରାଇଛନ୍ତି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ରହିଥିଲା । ଶତାଧିକ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେଣୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି କୁହାଯାଇଛି । କାଠମାଣ୍ଡୁଠାରୁ ୩୩୧ କିମିଦୂର ଜାଜାରକୋଟ୍ ଜିଲ୍ଲା ଅନ୍ତର୍ଗତ ରାମିଦଣ୍ଡାଠାରେ ଏହି ଭୂମିକମ୍ପ କେନ୍ଦ୍ରୀଭୂତ ହୋଇଥିଲା । ଭୂମିକମ୍ପର ପ୍ରଭାବ ରାଜଧାନୀ କାଠମାଣ୍ଡୁ ସମେତ ଭାରତର ଦିଲ୍ଲୀ, ଏନ୍ସିଆର ଓ ନେପାଳ ସୀମାନ୍ତବର୍ତ୍ତୀ ବିହାରରେ ମଧ୍ୟ ଅନୁଭୂତ ହୋଇଛି ।
ଭୂମିକମ୍ପ ଯୋଗୁଁ ଜାଜାରକୋଟ୍ ଓଧ ରୁକୁମ୍ ଜିଲ୍ଲାରେ ସବୁଠାରୁ ଅଧିକ କ୍ଷୟକ୍ଷତି ଘଟିଛି । ଶତାଧିକ ବାସଗୃହ ଧରାଶାୟୀ ହୋଇଥିବାବେଳେ ଲୋକେ ପ୍ରାଣ ବିକଳରେ ରାସ୍ତାକୁ ବାହାରି ଆସିଥିବା ଲକ୍ଷ୍ୟ କରାଯାଇଥିଲା । ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କୁମାର ଦହଲ ଓରଫ ପ୍ରଚଣ୍ଡ ଏହି ଘଟଣାରେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଶନିବାର ସକାଳେ ସେ ୧୬ ଜଣିଆ ଆର୍ମି ଡଶକ୍ତରୀ ଦଳ ସହ ଭୂକମ୍ପ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିବା ଜଣାପଡିଛି । ଉଦ୍ଧାର କାର୍ଯ୍ୟରେ ସେନାକୁ ନିୟୋଜିତ କରାଯାଇଛି । ଧ୍ୱସଂସ୍ତୂପ ତଳେ ଚାପିହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଉଛି । ଭୂକମ୍ପ ଯୋଗୁଁ କେତେକ ପ୍ରମୁଖ ସଡକ ଅବରୋଧ ହୋଇଥିବାରୁ ସେଠାକୁ ରିଲିଫ୍ ସାମଗ୍ରୀ ପଠାଇବା କଷ୍ଟକର ହୋଇପଡିଛି । ନେପାଳରେ ବିମାନସେବା ସାମୟିକ ବାତିଲ କରାଯାଇଥିବାବେଳେ ସମସ୍ତ ହେଲିକପ୍ଟର ସେବା ଯୋଗ।।
ଉଥିବା କମ୍ପାନୀଙ୍କୁ ଷ୍ଟାଣ୍ଡବାଏ ମୋଡ୍ରେ ରଖାଯାଇଛି । ଜାଜାରକୋଟ୍ ଏକ ପାର୍ବତ୍ୟାଞ୍ଚଳ ହୋଇଥିବା ଏବଂ ସଡକପଥ ନଷ୍ଟ ହୋଇଥିବାରୁ ଆହତଙ୍କୁ ହେଲିକପ୍ଟର ଯୋଗେ କାଠମାଣ୍ଡୁ ଅଣାଯିବାର ବ୍ୟବସ୍ଥା କରାଯାଉଛି । ଭାରତର ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିଛନ୍ତି । ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନେପାଳକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମୋଦୀ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ୨୦୧୫ ଏପ୍ରିଲ ୨୫ରେ ନେପାଳରେ ୭.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବାବେଳେ ପ୍ରାୟ ୯୦୦୦ ଲୋକଙ୍କର ପ୍ରାଣହାନି ଘଟିଥିଲା । ଲକ୍ଷାଧିକ ଲୋକ ବାସଚ୍ୟୁତ ହୋଇଥିବାବେଳେ ନେପାଳକୁ ୬ ବିଲିୟନ ଡଲାର କ୍ଷତି ସହିବାକୁ ପଡିଥିଲା । ହିମାଳୟ ପର୍ବତମାଳାର ଇଣ୍ଡିଆନ୍ ଓ ୟୁରାସିଆନ୍ ଟେକ୍ଟୋନିକ୍ ପ୍ଲେଟ୍ ଉପରେ ଅବସ୍ଥିତ ହୋଇଥିବାରୁ ନେପାଳରେ ନିୟମିତ ବ୍ୟବଧାନରେ ଭୂମିକମ୍ପ ଅନୁଭୂତ ହୋଇଥାଏ ।