ମୟୂରଭଞ୍ଜ : ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର। ପରିବାର ପକ୍ଷରୁ ହତ୍ୟା ସନ୍ଦେହ କରି ଥାନାରେ ଅଭିଯୋଗ। ଏଭଳି ଏକ ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା କୁସୁମବନ୍ଧ ପଞ୍ଚାୟତ ଶାଳବଣୀ ଗ୍ରାମରେ ଦେଖିବାକୁ ମିଳିଛି। କାର୍ତ୍ତିକ ବେହେରାଙ୍କ ଏକମାତ୍ର ପୁଅ ଏକାଦଶୀ ବେହେରା (22)। ଗତ ଗୁରୁବାର ରାତିରୁ କେଉଁଆଡେ ଚାଲିଯାଇଥିଲେ। ପରିବାର ଲୋକେ ଗ୍ରାମବାସୀଙ୍କ ସାହାଯ୍ୟରେ ରାତିସାରା ସବୁଆଡେ ଖୋଜି ନିରାଶ ହୋଇଥିଲେ। ଘରପାଖ ଅଳ୍ପ ପାଣି ଥିବା ଘର ପାଖ ଗଡିଆରେ ନିଖୋଜ ଏକାଦଶୀର ମୃତଦେହ ପଡିଥିବା ଗ୍ରାମବାସୀ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ପୋଖରୀରୁ ଏକାଦଶୀର ମୃତଦେହ ଉଦ୍ଧାର ପରେ ମୁଣ୍ଡ ,କାନ ଓ ଆଖିରେ କ୍ଷତ ଚିହ୍ନ ସହିତ ରକ୍ତ ବାହାରୁ ଥିବାରୁ ବାପା କାର୍ତ୍ତିକ ଥାନାର ଦ୍ବାରସ୍ଥ ହୋଇଛନ୍ତି। ପୁଅକୁ କେହି ମାରି ପକାଇ ଦେଇଥିବା ସନ୍ଦେହ କରି ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏକ ମାମଲା ରୁଜୁ କରି ମୃତଦେହ ଜବତ ସହ ବ୍ୟବଚ୍ଛେଦ ପାଇଁ ପଦକ୍ଷେପ ନେଇଥିବା ବେଳେ ସାଇଣ୍ଟିଫିକ ଟିମର ସହାୟତା ନେଇ ଅଧିକ ତଦନ୍ତ କରିଥିଲା ବାଙ୍ଗିରିପୋଷି ଥାନା ପୋଲିସ। ମାତ୍ର
ସାରସକଣ 56 ନଂ ଜିଲ୍ଲା ପରିଷଦ ଜୋନ ଉପନିର୍ବାଚନର ଫଳାଫଳ ପାଇଁ ଥାନା ଅଧିକାରୀ ଦୟାନିଧି ଦାସ ଯାଇଥିବାରୁ ଘଟଣାସ୍ଥଳରେ ଦିନସାରା ଶବ ପଡିରହିଥିଲା। ଯାହାକୁନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପୋଲିସ ଘଟଣାକୁନେଇ ତତ୍ପରତା ନ ଦେଖାଇଲେ ରାସ୍ତା ଅବରୋଧ ସହ ଥାନା ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି।
ଏପଟେ ଶବ ବ୍ଯବେଚ୍ଛଦ ରିପୋର୍ଟ ଆସିଲେ ଏହାର ସତ୍ୟାସତ୍ୟ ସହ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିବା ସହିତ ସେହି ଆଧାରରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢିବ ବୋଲି ପୋଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି।