କୋଲକାତା : ବାଂଲାଦେଶର କିମ୍ବଦନ୍ତୀ ବଙ୍ଗୀୟ କବି ନଜରୁଲ ଇସ୍ଲାମଙ୍କ ଏକ ଗୀତକୁ ନେଇ ବଲିଉଡ୍ର ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଏ.ଆର.ରେହମାନ ବର୍ତ୍ତମାନ ଅଡୁଆ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ମୁକ୍ତିଲାଭ କରିବାକୁ ଥିବା ହିନ୍ଦୀ ଚଳଚ୍ଚିତ୍ର ‘ପିପ୍ପା’ ପାଇଁ ରେହମାନ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବାବେଳେ ଗୋଟିଏ ଗୀତରେ ନଜରୁଲଙ୍କ କବିତାକୁ ସ୍ଥାନିତ କରିଛନ୍ତି । ତେବେ ନଜରୁଲ୍ଙ୍କ ମୂଳ ରଚନାର ଧୁନ୍କୁ ପରିବର୍ତ୍ତନ କରାଯାଇଥିବାରୁ ନଜରୁଲଙ୍କ ପରିବାର ଏବଂ ନଜରୁଲ ଗୀତିର ସମର୍ଥକମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ନଜରୁଲଙ୍କ ନାତି ଅନିର୍ବାଣ କହିଛନ୍ତି ଯେ ମାଆଙ୍କ ଅନୁମତି ନେଇ ରେହମାନ୍ ‘ପିପ୍ପା’ ଚଳଚ୍ଚିତ୍ରରେ ଅଜାଙ୍କ ଗୀତ ବ୍ୟବହାର କରିଛନ୍ତି ସତ, ତେବେ ଏହାର ମୂଳ ଧୁନ୍କୁ ବଦଳାଇଥିବାରୁ ଆମେ ଅସନ୍ତୁଷ୍ଟ । ନଜରୁଲ ଇସ୍ଲାମ ବାଲାଦେଶର ଜାତୀୟ କବିଭାବେ ମାନ୍ୟତା ପାଇଥିଲେ ସୁଦ୍ଧା ଭାରତରେ ତାଙ୍କର ଯଥେଷ୍ଟ ସୁନାମ ରହିଛି । ୧୯୨୨ରେ ‘ବାଂଲାର କଥା’ ପତ୍ରିକାରେ ପ୍ରଥମ ଥର ନଜରୁଲଙ୍କ ଏହି ଗୀତ ପ୍ରକାଶିତ ହୋଇଥିଲା । ସୋସିଆଲ ମିଡିଆରେ ମଧ୍ୟ ନଜରୁଲ ପ୍ରେମୀମାନେ ରେହମାନଙ୍କୁ ସମାଲୋଚନା କରିଛନ୍ତି ।