ନୂଆଦିଲ୍ଲୀ : ଦୁବାଇ ଏୟାରପୋର୍ଟରେ ଦୁଇଟି ବିମାନ ପରସ୍ପର ସହ ମୁହାଁମୁହିଁ ଧକ୍କାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଫଳରେ ଉଭୟ ବିମାନରେ ଥିବା ଶତାଧିକ ଯାତ୍ରୀ ଆସନ୍ନ ମୃତ୍ୟୁମୁଖରୁ ବଞ୍ଚିଯାଇଛନ୍ତି । ସୂଚନା ଅନୁସାରେ ଶତାଧିକ ଯାତ୍ରୀଙ୍କୁ ନେଇ ଏହି ଦୁଇଟି ବିମାନ ଭାରତ ଆସୁଥିଲେ ଏବଂ ଟେକ୍ଅଫ୍ ପାଇଁ ଏକ ସମୟରେ ଉଭୟ ରନ୍ୱେରେ ପହଞ୍ଚି ଯାଇଥିଲେ । ଘଟଣା ଜାନୁଆରୀ ୯ ତାରିଖର ହୋଇଥିବା ବେଳେ ଏବେ ଏହି ସୂଚନା ସାର୍ବଜନୀନ ହୋଇଛି । ଜଣେ ପ୍ରତ୍ୟକ୍ଷଦର୍ଶୀ ଏଏନ୍ଆଇକୁ ଦେଇଥିବା ସୂଚନା ଅନୁସାରେ, ଦୁବାଇ-ହାଇଦ୍ରାବାଦ ଇକେ-୫୨୪ ଫ୍ଲାଇଟ୍ ଟେକ୍-ଅଫ୍ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବିପରୀତ ଦିଗରୁ ଏମିରେଟ୍ର ଇକେ-୫୬୮ ବିମାନ ସେହି ରନ୍ୱେରେ ତୀବ୍ର ବେଗରେ ଆସୁଥିବା ଜଣେ କ୍ରୁ ମେମ୍ବର ଦେଖିବାକୁ ପାଇଥିଲେ । ଏଟିସି ଦ୍ୱାରା ତୁରନ୍ତ ଟେକ୍-ଅଫ୍କୁ ରଦ୍ଦ କରିବା ପାଇଁ ଆଦେଶ ଦିଆଯିବା ପରେ ରନ୍ୱେ ପାର୍ କରିସାରିଥିବା ବିମାନର ଗତି ଧୀମା ହୋଇଥିଲା । ବେଙ୍ଗାଲୁରୁ ଆସିବାକୁ ଥିବା ଏହି ବିମାନକୁ ଟେକ୍-ଅଫ୍ ପାଇଁ ଏଟିସି ପକ୍ଷରୁ ମଞ୍ଜୁରୀ ଦିଆଯାଇଥିବା ବେଳେ ହାଇଦ୍ରାବାଦ ଆସିବାକୁ ଥିବା ବିମାନ ବିନା ମଞ୍ଜୁରୀରେ ରନ୍ୱେ ଉପରେ ଥିଲା । ୟୁଏଇ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।