26.1 C
Bhubaneswar
Monday, March 2, 2026
Homeଓଡିଶାଇଣ୍ଡିଆସ୍କିଲ୍ସ ଆଞ୍ଚଳିକ ପ୍ରତିଯୋଗିତା ୨୦୨୫-୨୬: ଚମକିଲେ ପୂର୍ବ ଭାରତର ଦକ୍ଷ ଯୁବ ପ୍ରତିଭା

ଇଣ୍ଡିଆସ୍କିଲ୍ସ ଆଞ୍ଚଳିକ ପ୍ରତିଯୋଗିତା ୨୦୨୫-୨୬: ଚମକିଲେ ପୂର୍ବ ଭାରତର ଦକ୍ଷ ଯୁବ ପ୍ରତିଭା

ଓଡ଼ିଶା, ବିହାର ଏବଂ ପଶ୍ଚିମବଙ୍ଗର ପ୍ରତିଯୋଗୀଙ୍କ ଶ୍ରେଷ୍ଠ ସଫଳତା

ଭୁବନେଶ୍ୱରରେ ଶେଷ ହେଲା ୪ଦିନିଆ ଦକ୍ଷତା ମହାକୁମ୍ଭ; ୧୩୨ ଜଣ କୃତି ପ୍ରତିଯୋଗୀ ପୁରସ୍କୃତ

ପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ

ଭୁବନେଶ୍ୱର : ପୂର୍ବ ଭାରତ ପାଇଁ ଆୟୋଜିତ ଇଣ୍ଡିଆସ୍କିଲ୍ସ ଆଞ୍ଚଳିକ ପ୍ରତିଯୋଗିତା ୨୦୨୫-୨୬ ଆଜି ଭୁବନେଶ୍ୱରସ୍ଥିତ ଏସଡିଆଇ (SDI) ଅଡିଟୋରିୟମରେ ଉଦଯାପିତ ହୋଇଛି। ଏହା ଥିଲା ଯୁବ ପ୍ରତିଭା, ବୈଷୟିକ ଉତ୍କର୍ଷତା ଏବଂ ଆଞ୍ଚଳିକ ଗୌରବର ମହାକୁମ୍ଭ। କେନ୍ଦ୍ର କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏବଂ ଜାତୀୟ କୌଶଳ ବିକାଶ ନିଗମ ସହାୟତାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ୨୦୦ରୁ ଅଧିକ ଦକ୍ଷ ଯୁବକ ଯୁବତୀ ୫୯ଟି କୌଶଳ ବର୍ଗରେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ କେନ୍ଦ୍ର କୌଶଳ ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ (ସ୍ୱତନ୍ତ୍ର ଦାୟିତ୍ୱ) ଶ୍ରୀ ଜୟନ୍ତ ଚୌଧୁରୀ କହିଛନ୍ତି, “ଏହି ପ୍ରତିଯୋଗିତା ଆମ ଯୁବପିଢ଼ିଙ୍କ ମଧ୍ଯରେ ବଢୁଥିବା ଆକାଂକ୍ଷା ଏବଂ ସାମର୍ଥ୍ୟର ପ୍ରତିଫଳନ। ପୂର୍ବ ଭାରତର ରାଜ୍ୟଗୁଡ଼ିକ ଦେଶର ବିକାଶ ଯାତ୍ରାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଏହି ପ୍ଲାଟଫର୍ମ ଶିଳ୍ପ ସଂସ୍ଥା ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ସମନ୍ୱୟ ରକ୍ଷା କରି ପ୍ରତିଟି ଜିଲ୍ଲାର ପ୍ରତିଭାଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଛି, ଯାହା ‘ବିକଶିତ ଭାରତ’ ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।”

ସେହିପରି ରାଜ୍ଯ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, “ପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଏହା ଦକ୍ଷତା ଉପରେ ଆଧାରିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଅନୁଯାୟୀ, ଯେତେବେଳେ ଜ୍ଞାନ ଏବଂ କୌଶଳ ଏକାଠି ହୁଏ, ସେତେବେଳେ ଦେଶର ଶକ୍ତି ବହୁଗୁଣିତ ହୁଏ। ଏହି ଯାତ୍ରାରେ, ରାଜ୍ଯ ସରକାର ବିକଶିତ ଓଡ଼ିଶାର ଦୃଷ୍ଟିକୋଣ ହାସଲ କରିବା ପାଇଁ ଏକ ସ୍ପଷ୍ଟ ଏବଂ ଭବିଷ୍ୟତମୁଖୀ ରୋଡମ୍ୟାପ୍ ଉପସ୍ଥାପନ କରି ଉଦାହରଣ ସ୍ଥାପନ କରିଛନ୍ତି। ସେହିପରି ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିକଳ୍ପିତ ସ୍କିଲ୍ ଇଣ୍ଡିଆ ମିଶନ ଦକ୍ଷତା ବିକାଶକୁ ଏକ ଜାତୀୟ ଆନ୍ଦୋଳନରେ ପରିଣତ କରିଛି। ସେ ସମସ୍ତ ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ, ଶିକ୍ଷା ସହିତ ନିଯୁକ୍ତି ଏବଂ ନୂତନତ୍ୱର ସମନ୍ୱୟ ଏହି ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିଛି।

ଉଦଯାପନୀ ସମାରୋହରେ ମୋଟ ୧୩୨ ଜଣ କୃତି ପ୍ରତିଯୋଗୀଙ୍କୁ ପଦକ ପ୍ରଦାନ କରାଯାଇଛି। ୫୩ ଜଣଙ୍କୁ ସ୍ୱର୍ଣ୍ଣ ପଦକ, ୪୮ଜଣଙ୍କୁ ରୌପ୍ୟ ପଦକ ଏବଂ ୩୧ ଜଣଙ୍କୁ କାଂସ୍ୟ ପଦକରେ ସମ୍ମାନିତ କରାଯାଇଛି। ସେହିପରି ୩୭ ଜଣଙ୍କୁ ଉତ୍କର୍ଷତା ପଦକ ଦିଆଯାଇଛି। କ୍ଲାଉଡ୍ କମ୍ପ୍ୟୁଟିଂ, CNC ମେସିନିଂ, ମୋବାଇଲ୍ ଆପ୍ ବିକାଶ, ୱେବ୍ ଟେକ୍ନୋଲୋଜି, ଫ୍ୟାଶନ ଟେକ୍ନୋଲୋଜି ଏବଂ ୱେଲଡିଂ ପରି ଅତ୍ୟାଧୁନିକ କୌଶଳରେ ପ୍ରତିଯୋଗୀମାନେ ନିଜର ପାରଦର୍ଶିତା ଦେଖାଇଥିଲେ। ରାଜ୍ୟୱାରୀ ପ୍ରଦର୍ଶନରେ ଓଡ଼ିଶା ଶୀର୍ଷ ସ୍ଥାନରେ ରହିଥିବା ବେଳେ ଏହା ପଛକୁ ବିହାର ଏବଂ ପଶ୍ଚିମବଙ୍ଗ ରହିଛନ୍ତି।

ଆଞ୍ଚଳିକସ୍ତରରେ ବିଜେତାମାନେ ଏବେ ଜାତୀୟସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ଏବଂ ଆଗାମୀ ଦିନରେ ବିଶ୍ୱସ୍ତରୀୟ ‘WorldSkills’ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବାକୁ ସୁଯୋଗ ପାଇବେ। ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଉତ୍ସାହ ମଧ୍ୟରେ ଶେଷ ହୋଇଥିବା ଏହି କାର୍ଯ୍ୟକ୍ରମ ପୂର୍ବ ଭାରତର ଯୁବପିଢ଼ିଙ୍କ ମଧ୍ୟରେ ଏକ ନୂତନ ଆଶା ଓ ଆତ୍ମବିଶ୍ୱାସ ଭରିଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking