ଭୁବନେଶ୍ୱର: ଅଖିଳ ଭାରତ ଯୁବ କଂଗ୍ରେସ ଗଣତନ୍ତ୍ରର ୫ମ ସ୍ତମ୍ଭ ଡିଜିଟାଲ ମିଡିଆର ସ୍ୱାଧୀନତା ପାଇଁ ସାରା ଦେଶରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏହି ସଂକ୍ରାନ୍ତରେ ଭାରତୀୟ ଯୁବ କଂଗ୍ରେସର ମିଡିଆ ବିଭାଗର ପ୍ରଭାରୀ ରାଜା ଅହମ୍ମଦ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯାନ ସଂପର୍କରେ ସୂଚନା ଦେଇଛନ୍ତି । ଆଜିର ଦିନରେ ସମ୍ବାଦ ପରିବେଷଣ ବ୍ୟବସ୍ଥାକୁ ଡିଜିଟାଏ ମିଡିଆ ଅଧିକ କ୍ରିୟାଶୀଳ କରିଛି । ସଠିକ୍ ସମ୍ବାଦ ପରିବେଷଣ କ୍ଷେତ୍ରରେ ମଧ୍ୟ ଡିଜିଟାଲ ମିଡିଆ ଏକ ବିପ୍ଳବ ଆଣିଛି । ଯେଉଁ ଖବରକୁ ଉଦ୍ଦେଶ୍ୟମୂଳକ ଭାବେ ଚାପି ଦିଆଯାଉଥିଲା ତାକୁ ଡିଜିଟାଲ ମିଡିଆ ଲୋକଲୋଚନକୁ ଆଣିବାକୁ ସକ୍ଷମ ହୋଇଛି ।
ଶ୍ରୀ ରଜକ୍ କହିଛନ୍ତି ଯେ, ସମ୍ବିଧାନକୁ ସଶକ୍ତ କରିବା ପାଇଁ ଡିଜିଟାଲ ଗଣମାଧ୍ୟମର ମଧ୍ୟ ବଳିଷ୍ଠ ଭୂମିକା ରହିଛି । କଂଗ୍ରେସ ଦଳ ବିଶେଷ କରି ଯେଉଁମାନେ ଡିଜିଟାଲ ମିଡିଆ ଚଲାଉଛନ୍ତି ବିଶେଷ କରି ୟୁଟୁବ୍, ଫେସବୁକ୍ ଓ ଇନ୍ଷ୍ଟାଗ୍ରାମ ଇତ୍ୟାଦିରେ ସମ୍ବାଦ ପରିବେଷଣ କରି ପ୍ରଭାବ ସୃଷ୍ଟି କରିପାରୁଛନ୍ତି ସେମାନେ କ୍ଷମତାଶାଳୀ ଲୋକଙ୍କ ରୋଷର ଶୀକାର ହେଉଛନ୍ତି । କଂଗ୍ରେସ ଦଳ ଏବଂ ବିଶେଷ କରି ଯୁବ କଂଗ୍ରେସ ସେମାନଙ୍କ ସହିତ ଛିଡା ହେବ । ଶ୍ରୀ ରଜ୍ଜାକ ଭୁବନେଶ୍ୱର ପରେ ବିଭିନ୍ନ ଜିଲ୍ଲାରେ ମଧ୍ୟ ୟୁଟୁବରମାନଙ୍କୁ ଭେଟି ସେମାନଙ୍କର ସମସ୍ୟା ସଂପର୍କରେ ଆଲୋଚନା କରିବେ । ଏପରିକି ଗ୍ରାମାଞ୍ଚଳରେ ଥିବା ୟୁଟୁବରମାନଙ୍କୁ ଯୋଗାଯୋଗ କରାଯାଇ ସମସ୍ତଙ୍କୁ ଏକାଠି କରିବା ପାଇଁ ଯୁବ କଂଗ୍ରେସ ପ୍ରୟାସଜାରି ରଖିବ । ଲୋକଙ୍କ ସ୍ୱର ଡିଜିଟାଲ ମାଧ୍ୟମର ପ୍ରଭାବକାରୀମାନଙ୍କ ଜରିଆରେ ପ୍ରକାଶ କରାଯିବା ପାଇଁ ପ୍ରଚେଷ୍ଟା ଜାରି ରହିବ । ଯୁବ କଂଗ୍ରେସ ଡିଜିଟାଲ ମିଡିଆର ସାମ୍ବାଦିକ ମାନଙ୍କୁ ଆଇନଗତ ସୁରକ୍ଷା, ଆଇଟି କ୍ଷେତ୍ରରେ ସାହାଯ୍ୟ ଯୋଗାଇବା ପାଇଁ ସଂକଳ୍ପ ନେଇଛି । ଏଥିପାଇଁ ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ ଯୁବ କଂଗ୍ରେସର ଏହି ବିଭାଗର ସ୍ୱତନ୍ତ୍ର ବିଭାଗ ଖୋଲା ରହିବ । ହେଲ୍ପ ଡେକ୍ସ ମଧ୍ୟ କରାଯାଇ ସହାୟତା ଯୋଗାଇବା ପାଇଁ ନିଷ୍ପତ୍ତି ମଧ୍ୟ କରାଯାଇଛି । ପ୍ରଦେଶ କଂଗ୍ରେସ, ଜିଲ୍ଲା କଂଗ୍ରେସ ଏବଂ ବ୍ଲକ କଂଗ୍ରେସ ସମସ୍ତ ପ୍ରକୋଷ୍ଠ ବିଭାଗ ଏହି କାର୍ଯ୍ୟକ୍ରମରେ ସହଯୋଗ କରିବେ । ଯେଉଁ ଡିଜିଟାଲ ମିଡିଆର ସାମ୍ବାଦିକ ମାନେ ନିଜ ଅଂଚଳର, ଜିଲ୍ଲାର ଓ ରାଜ୍ୟର ସମସ୍ୟାକୁ ଲୋକ ଲୋଚନକୁ ଆଣିବା ବେଳେ ଯେଉଁ ପ୍ରତିବନ୍ଧକ ସାମ୍ନା କରୁଛନ୍ତି ସେଥିରେ କଂଗ୍ରେସ ଦଳ ସାମ୍ବାଦିକ ମାନଙ୍କ ସହ ଛିଡା ହୋଇ ସାହାଯ୍ୟ କରିବେ । ଏହା ଜନନାୟକ ରାହୁଲ ଗାନ୍ଧୀଙ୍କର ନିର୍ଦ୍ଦେଶ ଏବଂ ଏହାକୁ ଓଡ଼ିଶାରେ କାର୍ଯ୍ୟ କରିବା ପାଇଁ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ମଧ୍ୟ ସହଯୋଗର ହସ୍ତ ପ୍ରସାରିତ କରିଛନ୍ତି । ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ର ରାଜ୍ୟର ସମସ୍ତ ବ୍ଲକରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିବେ । ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ସୁଦୀପ ସାମଲ ଉପସ୍ଥିତ ଥିଲେ ।










