ବାଲେଶ୍ୱର: ଅନ୍ଧାର ରାତିରେ ଠିକଣା ପଚାରିବା ଆଳରେ ଯୁବକର ବେକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଯୁବକ ଜଣକ ବାଲେଶ୍ୱରକୁ ସ୍ଥାନାନ୍ତର । ଜଳେଶ୍ୱର ଥାନା ସେକସରାଇ ଗାଁରେ ଘଟିଛି ଏହି ଅଘଟଣ । ଗୁରୁତର ଯୁବକ ହେଲେ ସେକସରାଇ ଗାଁର ହରିପଦ ମାନ୍ନା । ସେକସରାଇ ଅଂଚଳର ବେଆଇନ ବାଲି ଖାଦାନକୁ ହରିପଦ ବିରୋଧ କରୁଥିବାରୁ ତାଙ୍କୁ ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି ।ଜଳେଶ୍ୱର ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ ସେକସରାଇ ଗାଁ ହରିପଦ ମାନ୍ନା ରାତି ୮ଟା ସମୟରେ ଗାଁ ଛକରୁ ଘରକୁ ଫେରୁଥିଲେ । ଏହି ସମୟରେ ଦୁଇ ଯୁବକ ଏକ ବାଇକରେ ଆସି ହରିପଦଙ୍କୁ ଅଟକାଇ ଠିକଣା ପଚାରି ପଛପଟୁ ବେକକୁ ଧାରୁଆ ଅସ୍ତ୍ରରେ ହାଣି ଫେରାର ହୋଇଯାଇଥିଲେ । ଆକ୍ରମଣରେ ଯୁବକ ଜଣକର ବେକରେ ଗଭୀର କ୍ଷତ ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଚିତ୍କାର ଶୁଣି ସ୍ଥାନୀୟ ଲୋକ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ଜଳେଶ୍ୱର ହସ୍ପିଟାଲକୁ ଆଣିଥିଲେ। ସେଠାରେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।










