ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରୁ କିଛି ବର୍ଷ ମଧ୍ୟରେ ୪୪ ହଜାରରୁ ଅଧିକ ଯୁବତୀଙ୍କୁ କାମ ଦେବା ନାଁରେ ରାଜ୍ୟ ବାହାରକୁ ଚାଲାଣ କରାଯାଇଛି । ସେମାନଙ୍କ ମଧ୍ୟରୁ ୧୩ ହଜାର ଯୁବତୀଙ୍କ ଖୋଜଖବର ମିଳୁନାହିଁ । ଗାଁରେ ସମସ୍ତେ ଝିଅଙ୍କ ଫେରିବା ବାଟକୁ ଲୁହଭିଜା ଆଖିରେ ଚାହିଁ ବସିଛନ୍ତି । କନକ ନ୍ୟୁଜର ଗ୍ରାଉଣ୍ଡ ଜିରୋ ରିପୋର୍ଟ । ସୁନ୍ଦରଗଡ଼ ଜିଲ୍ଲା ଲୁଲୁକିଡ଼ିହି ଗାଁର ୭୦ ବର୍ଷୀୟା କାର୍ମିଲା କୁଜୁର । ପ୍ରାୟ ୧୮ ବର୍ଷ ତଳେ ଗାଁର ଜଣେ ଦଲାଲ ତାଙ୍କ ଝିଅକୁ କାମ ଦେବା ନାଁରେ ଦିଲ୍ଲୀକୁ ନେଇଥିଲା । ସେବେଠାରୁ ଝିଅର ପତ୍ତା ନାହିଁ । କାର୍ମିଲା କୁଜୁର ଅନେକ ଥର ଦଲାଲକୁ ପଚାରି ନିରାଶ ହୋଇଛନ୍ତି । ଅନ୍ୟଝିଅଙ୍କ ବିବାହ, ସ୍ୱାମୀଙ୍କ ମୃତ୍ୟୁ ଓ ପୁଅ ନପଚାରିବାରୁ କାର୍ମିଲା କୁଜୁର ଅସହାୟ ଅବସ୍ଥାରେ ଝିଅର ଫେରିବା ବାଟକୁ ଅପେକ୍ଷା କରି ପଡ଼ିରହିଛନ୍ତି । ସୁଖନୀ ତନ୍ତୀଙ୍କ ବି ଅବସ୍ଥା ସମାନ । ଦୁଇଜଣ ଦଲାଲ ସୁଖନୀଙ୍କ ଦୁଇଝିଅଙ୍କୁ ଦିଲ୍ଲୀ ନେଇଥିଲେ । କିଛିଦିନ ପରେ ଘରକୁ ଫେରି ଆସି ଦୁଃଖ ବର୍ଣ୍ଣନା କରିଥିଲେ ସାନଝିଅ । ଦୁଇଭଉଣୀଙ୍କୁ ଦିଲ୍ଲୀରେ ବିକି ଦିଆଯାଇଥିଲା । ସାନଝିଅକୁ ଅନୈତିକ କାମରେ ଲଗାଇବାରୁ ସେ ଗର୍ଭବତୀ ହୋଇଥିଲେ । କୌଣସି ପ୍ରକାରେ ଗାଁକୁ ଆସି ଏକ ପୁତ୍ର ସନ୍ତାନ ଜନ୍ମ ଦେବା ପରେ ନ୍ୟାୟ ପାଇଁ ପୁଣି ଦିଲ୍ଲୀ ଯାଇଛନ୍ତି ଯେ ଯାଇଛନ୍ତି । କେବଳ ଜଣେ ଦୁଇଜଣ ନୁହନ୍ତି, ପ୍ରଗତି ଓ ନାଓା ଏନଜିଓର ସର୍ଭେ ଅନୁଯାୟୀ, କିଛି ବର୍ଷ ମଧ୍ୟରେ ସୁନ୍ଦରଗଡ଼ରୁ ୪୪ ହଜାର ଝିଅଙ୍କୁ ଦଲାଲ ଚାଲାଣ କରିଛନ୍ତି । ସେଥିରୁ ୧୩ ହଜାରରୁ ଅଧିକ ଝିଅଙ୍କ ପତ୍ତା ମିଳୁନାହିଁ । ନମୁନା ସର୍ଭେଠାରୁ ବାସ୍ତବ ସ୍ଥିତି ଆହୁରି ଅଧିକ ହୋଇପାରେ। ଏନେଇ ଆମେ ଜିଲ୍ଲପାଳ ଓ ଏସପିଙ୍କୁ ଭେଟିବାକୁ ଚାହିଁଥିଲୁ । କିନ୍ତୁ ସେମାନେ କ୍ୟାମେରା ସମ୍ମୁଖରେ କିଛି କହିବା ପାଇଁ ମନା କରିଦେଇଥିଲେ । ପ୍ରଶ୍ନ ଉଠୁଛି, ସୁନ୍ଦରଗଡ଼ ଜିଲ୍ଲାରୁ ଯୁବତୀ ଚାଲାଣ ପରି ଗୁରୁତର ସମସ୍ୟାର ସମାଧାନ କରିବ କିଏ?










