ବିନିକା: ୧୮ ବର୍ଷ ପରେ ଘରକୁ ଫେରିଲେ ଯୁବକ । ବଡ ଭାଇ ସହ ସାମାନ୍ୟ ବଚସାକୁ ନେଇ ଘରୁ ଚାଲିଯାଇଥିଲେ ସାନ ପୁଅ । ୧୮ ବର୍ଷ ପରେ ଘରକୁ ଫେରିଲେ ଯୁବକ । ପୁଅକୁ ପାଇ ଖୁସିର ଲହରୀ ଖେଳିଯାଇଛି । ଏଭଳି ଏକ ଭାବବିହ୍ୱଳ କରିଦେବା ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସାହାଣୀଡିହ ଗାଁରେ । ଜୁଗିନ୍ଦ୍ର ମେଣ୍ଡେଲିଙ୍କ ସାନ ପୁଅ କରୁଣାକର ଦିନେ ବଡଭାଇଙ୍କ ସହ କୌଣସି କଥାକୁ ନେଇ ବଚସା କରି ରାଗି ଘରୁ ଚାଲିଯାଇଥିଲେ।
ପରେ ସେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ବହୁତ ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ସନ୍ଧାନ ମିଳିନଥିଲା । ପୁଅକୁ ଝୁରି ଝୁରି ବାପା ଯୁଗିନ୍ଦ୍ର ଓ ପରେ ବଡଭାଇ ସୁଭାକରଙ୍କ ମୃତ୍ୟୁ ଘଟିଥିଲା । ପରିବାର ମନରେ ଆଶା ଥିଲା ଦିନେ ନା ଦିନେ କରୁଣାକର ଫେରିବେ । ଅନ୍ୟପଟେ କରୁଣାକର ବିଭିନ୍ନ ସ୍ଥାନ ଘୁରି କର୍ଣ୍ଣାଟକର ଦାମନଗିରିର ଏକ ଆଶ୍ରମରେ ରହୁଥିଲେ । ସେଠାରେ ନିଜ ପରିଚୟ ଗୋପନ ରଖିଥିଲେ । ହଠାତ୍ ପରିବାରକଥା ମନେ ପଡ଼ିବାରୁ ଘରକୁ ଫେରିବାକୁ ମନସ୍ଥ କରିଥିଲେ । ସ୍ଥାନୀୟ ଲୋକଙ୍କ ମାଧ୍ୟମରେ ତାଙ୍କ ପରିଚୟ ଜଣାପଡ଼ିବା ପରେ ଉଲୁଣ୍ଡା ପୁଲିସ ପରିବାରକୁ ଖବର ଦେଇଥିଲେ । ମଝିଆ ଭାଇ ଓ ଭାଉଜ କର୍ଣ୍ଣାଟକ ଯାଇ କରୁଣାକରଙ୍କୁ ନେଇ ଗାଁକୁ ଫେରିଥିଲେ । ହେଲେ ଘରକୁ ଫେରି ବାପା ଓ ବଡଭାଇଙ୍କୁ ନାପାଇ କରୁଣାକର ଦୁଃଖରେ ଭାଙ୍ଗିପଡ଼ିଥିଲେ ।










