ମୁମ୍ବାଇ: ୧୩ ବର୍ଷର ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ । ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପୋକ୍ସ ଆକ୍ଟ ଅଧୀନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୁଲିସର କହିବା ଅନୁସାରେ, ଅଭିଯୁକ୍ତ ୨୧ ବର୍ଷୀୟ ଯୁବକ ଏକ ହୋଟେଲରେ କାମ କରନ୍ତି । ପୀଡିତାଙ୍କ ସହ ତାଙ୍କର ଇନଷ୍ଟାଗ୍ରାମରେ ପରିଚୟ ହେଇଥିଲା । ଏହାପରେ ଉଭୟ ଭେଟିବାକୁ ନିଷ୍ପତ୍ତି ନେଇଥିଲେ । ଉଭୟ ମହାରାଷ୍ଟ୍ରର ଅନ୍ଧେରୀରେ ପରସ୍ପରକୁ ଭେଟିଥିଲେ । ସେଠାରେ ପୀଡ଼ିତାଙ୍କ ସହ ଅଭିଯୁକ୍ତ ଶାରୀରିକ ସମ୍ପର୍କ ରଖିଥିଲେ । ଏହାପରେ ଅଗଷ୍ଟ ୧୫ରେ ଅନ୍ୟ ଏକ ଗାଁକୁ ନେବେ କହି ଗୁଜରାଟକୁ ନେଇଥିଲେ । ସେଠାରେ ଆଉ ତିନି ଥର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଗଷ୍ଟ ୧୫ରେ ଘରକୁ ନ ଫେରିବାରୁ ନାବାଳିକାଙ୍କ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ, ହେଲେ ପାଇନଥିଲେ । ପରେ ସେ ନିଜେ ଘରକୁ ଫେରିଥିଲେ । ପରିବାର ଲୋକେ ତାଙ୍କୁ ପଚରାଉଚରା କରିବାରୁ ସେ ଘଟଣା ବାବଦରେ କହିଥିଲେ ।
ଏହାପରେ ପରିବାର ଲୋକେ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଥାନାରେ ଏତଲା ଦେଇଥିଲେ । ପୁଲିସ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଫଟୋ ସଂଗ୍ରହ କରି ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଚଳାଇଛି । କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା, ମହାରାଷ୍ଟ୍ରର ଥାନେ ଜିଲ୍ଲା ବଦଲାପୁରରେ କିଣ୍ଡରଗାର୍ଟେନରେ ପଢୁଥିବା ଦୁଇ ଝିଅଙ୍କୁ ସଫେଇ କର୍ମଚାରୀ ଦୁଷ୍କର୍ମ କରିବା ଘଟଣାକୁ ନେଇ ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ଏହି ମାମଲା ସାମ୍ନାକୁ ଆସିଛି । ନାବାଳିକା/ନାବାଳକମାନଙ୍କୁ ମଧ୍ୟ ସୋଶାଲ ମିଡିଆ ବ୍ୟବହାର ପାଇଁ ବାରମ୍ବାର ବାରଣ କରାଯାଉଛି । ବାପାମାଆଙ୍କୁ ନ ଜଣାଇ ଅପରିଚିତ ବ୍ୟକ୍ତିଙ୍କୁ ଭେଟିବାକୁ ଯିବା ମଧ୍ୟ କେତେ ମାରାତ୍ମକ, ତାହା ଏଥିରୁ ଅନୁମେୟ । ସତର୍କତା ଅବଲମ୍ବନ କରିବା ସହ ସୋଶାଲ ମିଡିଆର ଦୂରୁପୋଯୋଗ ପ୍ରତି ସାବଧାନ ରହିବା ଜରୁରୀ ।










