ମୁମ୍ବାଇ: ଚିତ୍ରଶିଳ୍ପୀ ରାଜା ରବିବର୍ମାଙ୍କ ୧୮୯୦ ମସିହାର ‘ଯଶୋଦା ଓ କୃଷ୍ଣ’ଙ୍କ ଚିତ୍ରକଳା ଦେଶର ସବୁଠୁ ମହଙ୍ଗା କଳାକୃତି ହୋଇପାରିଛି। ଏହି ଚିତ୍ରକଳା ୧୬୭.୨ କୋଟି ଟଙ୍କାରେ ମୁମ୍ବାଇର ସାଫ୍ରୋନାର୍ଟର ନିଲାମରେ ବିକ୍ରି ହୋଇଛି। ‘ଯଶୋଦା ଓ କୃଷ୍ଣ’ ଚିତ୍ରକଳା ମା’ ଓ ଶିଶୁର ଭଲପାଇବାକୁ ପ୍ରଦର୍ଶିତ କରିଛି। ଏହା ଏମ୍ ଏଫ୍ ହୁସେନଙ୍କ ଶୀର୍ଷକହୀନ (ଗ୍ରାମଯାତ୍ରା)କୁ ପଛରେ ପକାଇ ଦେଇଛି। ବୁଧବାର ମୁମ୍ବାଇରେ ସାଫ୍ରୋନାର୍ଟର ସ୍ପ୍ରିଙ୍ଗ ଲାଇଭ୍ ଅକ୍ସନରେ ଏକ ତୀବ୍ର ନିଲାମ ପ୍ରତିଦ୍ବନ୍ଦ୍ବିତାରେ ଏହି ଚିତ୍ରକୁ ଶିଳ୍ପପତି ତଥା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ପ୍ରତିଷ୍ଠାତା କୋଟିପତି ସାଇରସ୍ ପୁନାୱାଲା କିଣିଥିଲେ। ସୂଚନାଯୋଗ୍ୟ, ହୁସେନଙ୍କ ଚିତ୍ରକଳା ନ୍ୟୁୟର୍କର କ୍ରିଷ୍ଟିରେ ୧୧୮-୧୧୯ କୋଟି ଟଙ୍କାରେ ବିକ୍ରି ହୋଇଥିଲା। ଏହି ରେକର୍ଡ଼କୁ ରବି ବର୍ମାଙ୍କ ଚିତ୍ରକଳା ପଛରେ ପକାଇ ଦେଇଛି।










