27.1 C
Bhubaneswar
Monday, February 2, 2026
Homeଓଡିଶାବିଶ୍ୱବ୍ୟାଙ୍କ ପ୍ରତିନିଧି ଦଳ-ମୁଖ୍ୟ ସଚିବ ବୈଠକ

ବିଶ୍ୱବ୍ୟାଙ୍କ ପ୍ରତିନିଧି ଦଳ-ମୁଖ୍ୟ ସଚିବ ବୈଠକ

ଭୁବନେଶ୍ୱର: ବିଶ୍ୱବ୍ୟାଙ୍କର ଏକ ପ୍ରତିନିଧି ଦଳ ଗୁରୁବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ସହିତ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ବୈଠକରେ ଯୋଗଦେଇ ଓଡ଼ିଶାର ବିକାଶ ପାଇଁ ସମ୍ଭାବ୍ୟ ସହଯୋଗିତା ନେଇ ଆଲୋଚନା କରିଛନ୍ତି। ବିଶ୍ୱ ବ୍ୟାଙ୍କର ଦକ୍ଷିଣ ଏସିଆ ଆଞ୍ଚଳିକ ଉପସଭାପତି ଜୋହାନେସ୍ ଜୁଟ୍ ଏବଂ ଆଞ୍ଚଳିକ ନିର୍ଦ୍ଦେଶକ ଇମାଦ୍ ଫାକୁରୀଙ୍କ ସମେତ ବିଶ୍ୱବ୍ୟାଙ୍କର ଅନ୍ୟ ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ ଅନୁ ଗର୍ଗ, ଶିଳ୍ପ, ସୂଚନା ଓ ଲୋକସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତଥିଲେ।

ବୈଠକରେ ମୁଖ୍ୟ ଶାସନ ସଚିବ ଓଡ଼ିଶାର ଅଭିବୃଦ୍ଧି ପରିପ୍ରେକ୍ଷୀରେ ରାଜ୍ୟର ଆଗାମୀ ଲକ୍ଷ୍ୟ, ଆର୍ôଥକ ବ୍ୟବସ୍ଥା, ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସଂପର୍କରେ ବିଶ୍ୱବ୍ୟାଙ୍କ ପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟରେ କୃଷିଭିତ୍ତିକ ଅର୍ଥନୀତି, ଶିଳ୍ପ ବିକାଶ, ଦକ୍ଷତା ବିକାଶ, ବନ୍ଦରଭିତ୍ତିକ ବିକାଶ ଆଦି ସମ୍ପର୍କରେ ଆଲୋଚନା କରିବା ସହିତ ଓଡ଼ିଶାକୁ ବିପୁଳ ସମ୍ଭାବନାର ରାଜ୍ୟ ଭାବେ ଉପସ୍ଥାପିତ କରିଥିଲେ। ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ ରାଜ୍ୟର ବିକଶିତ ଓଡ଼ିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ସଂପର୍କରେ ଭିଜନ ଡକ୍ୟୁମେଣ୍ଟ ଉପସ୍ଥାପନ କରିଥିଲେ। ରାଜ୍ୟର ଭୌଗୋଳିକ, ଜନସଂଖ୍ୟା, ଅବିବୃଦ୍ଧିର କ୍ରମ ବିକାଶ, ଶିକ୍ଷା , ସ୍ୱାସ୍ଥ୍ୟ ଆଦିର ସାମ୍ପ୍ରତିକ ସ୍ଥିତି ସଂପର୍କରେ ସେ ଉପସ୍ଥାପନ କରିବା ସହ ରାଜ୍ୟର ପ୍ରାକୃତିକ ସଂପଦ, ଖଣିଜ ସଂପଦ, ସୁଦୀର୍ଘ ସାମୁଦ୍ରିକ ବେଳାଭୂମି, ଜଳ ସଂପଦ, ଯୁବ ଶକ୍ତି ସଂବଳ, ଅର୍ଥନୈତିକ ଓ ବିତ୍ତୀୟ ସ୍ଥିରତା ଯୋଗୁଁ ରାଜ୍ୟର ଆଗାମୀ ବିକାଶର ଉଜ୍ୱଳ ସମ୍ଭାବନା ଉପରେ ସେ ଆଲୋଚନା କରିଥିଲେ। ବିଭିନ୍ନ ସମୟରେ ଓଡ଼ିଶା ସମ୍ମୁଖୀନ ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ, ଦାରିଦ୍ର‌୍ୟ ଦୂରୀକରଣ, ଦକ୍ଷତା ବିକାଶ, ଜନଜାତିଙ୍କ ସଶକ୍ତିକରଣ, ଭିତ୍ତିଭୂମି ବିକାଶ, ନିରନ୍ତରତା ଭିତ୍ତିରେ ସହରାଞ୍ଚଳ ବିକାଶ , ଶିକ୍ଷା, ସ୍ୱାସ୍ଥ୍ୟରେ ଗୁଣାତ୍ମକ ଉନ୍ନତି ଏବଂ ଅତ୍ୟାବଶ୍ୟକ ମୌଳିକ ସେବା ପ୍ରଦାନ କ୍ଷେତ୍ରରେ ରାଜ୍ୟର ଆହ୍ୱାନ ଓ ସେ ସଂପର୍କରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସେ ଉପସ୍ଥାପନ କରିଥିଲେ।

କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ପାଢୀ ରାଜ୍ୟରେ କୃଷିଭିତ୍ତିକ ଯୋଜନା ଓ କାର୍ଯ୍ୟକ୍ରମ, କୃଷିରେ ଉତ୍ପାଦନ ବୃଦ୍ଧି, କୃଷି ବିବିଧିକରଣକୁ ଗୁରୁତ୍ୱ, ରୋଗପୋକ ନିୟନ୍ତ୍ରଣରେ ସଫଳତା ସଂପର୍କରେ ଆଲୋଚନା କରିବା ସହ ପ୍ରାକୃତିକ ବିପର୍ଯ୍ୟୟ କୃଷି ପରିଚାଳନା ପାଇଁ ଆହ୍ୱାନ ରହିଥିବା ସମ୍ପର୍କରେ କହିଥିଲେ। ଇପିକଲର ପରିଚାଳନା ନିର୍ଦ୍ଦେଶକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ ରାଜ୍ୟରେ ଶିଳ୍ପ ଇକୋସିଷ୍ଟମ ଓ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶିଳ୍ପ ଓ ଆନୁଷଙ୍ଗିକ ଶିଳ୍ପର ବିକାଶ ଓ ପୁଞ୍ଜି ନିବେଶ ସଂପର୍କରେ ଆଲୋକପାତ କରିଥିଲେ। ଓଡିଶାର ବିକାଶ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଓ ଆଗାମୀ ଦୃଷ୍ଟିକୋଣକୁ ବିଶ୍ୱ ବ୍ୟାଙ୍କର ପ୍ରତିନିଧିମାନେ ଉଚ୍ଚ ପ୍ରଶଂସା କରିଥିଲେ । ବିଶ୍ୱବ୍ୟାଙ୍କ ଟିମ୍‌ର ପ୍ରତିନିଧିମାନେ ରାଜ୍ୟରେ ଦକ୍ଷତା ବିକାଶ, କୃଷି, ପର୍ଯ୍ୟଟନ, ଏମଏସଏମଇ, ନିଯୁକ୍ତି ସୁଯୋଗ, ରୋଜଗାର ବୃଦ୍ଧି, ନିରନ୍ତରତା ଭିତ୍ତିରେ ଅଭିବୃଦ୍ଧି, ସହରାଂଚଳରେ ଆବାସ ଆଦି କ୍ଷେତ୍ରରେ ଆବଶ୍ୟକ ସହଯୋଗ କରିବେ ବୋଲି ପ୍ରକାଶ କରିଥିଲେ। ଓଡ଼ିଶାକୁ ଏକ ଶ୍ରେଷ୍ଠ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳ ରାଜ୍ୟ ଭାବେ ଅଭିହିତ କରି ଓଡ଼ିଶାରେ ପୁଞ୍ଜି ନିବେଶ ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗିତା ନେଇ ଆନ୍ତର୍ଜାତୀୟ ସ୍ତରରେ ଆଲୋଚନା କରିବେ ବୋଲି ସଦସ୍ୟମାନେ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking