21.1 C
Bhubaneswar
Tuesday, December 23, 2025
Homeଓଡିଶାଓଡ଼ିଶାର ପାରମ୍ପରିକ ଧାତୁଶିଳ୍ପର ପୁନରୁତ୍ଥାନ ପାଇଁ କର୍ମଶାଳା ଓ ପ୍ରଶିକ୍ଷଣ ଶିବିର

ଓଡ଼ିଶାର ପାରମ୍ପରିକ ଧାତୁଶିଳ୍ପର ପୁନରୁତ୍ଥାନ ପାଇଁ କର୍ମଶାଳା ଓ ପ୍ରଶିକ୍ଷଣ ଶିବିର

ଭୁବନେଶ୍ଵର: କଂସା-ପିତଳ ଓ ଢୋକ୍ରା ହସ୍ତଶିଳ୍ପରେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ହେବ । ହସ୍ତଶିଳ୍ପର କୁଶଳତା ସହ ବିଜ୍ଞାନ-ପ୍ରଯୁକ୍ତି ବିଦ୍ୟା ସଂଯୋଗ ହେଲେ ସାମଗ୍ରୀର ଗୁଣବତ୍ତା ବଢିବା ସହ କମ ଖର୍ଚ୍ଚରେ ଅଧିକ ଉତ୍ପାଦନ ହୋଇ ପାରିବ ବୋଲି ହସ୍ତଶିଳ୍ପ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ କହିଛନ୍ତି । ସ୍ଥାନୀୟ ସିଏସଆଇଆର-ଆଇଏମଏମଟିଠାରେ ଓଡ଼ିଶାର ପାରମ୍ପରିକ ଧାତୁଶିଳ୍ପର ପୁନରୁତ୍ଥାନ ପାଇଁ ଆୟୋଜିତ କର୍ମଶାଳା ଓ ପ୍ରଶିକ୍ଷଣ ଶିବିର ଉଦଘାଟନ କରି ମାନ୍ୟବର ମନ୍ତ୍ରୀ କହିଥିଲେ, କମ ପ୍ରଦୂଷଣ, କମ ଖର୍ଚ୍ଚ, କମ ସମୟ, କମ ପରିଶ୍ରମରେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ କରି ଆମେ ଉତ୍କୃଷ୍ଟ ମାନର ସାମଗ୍ରୀ ଉତ୍ପାଦନ କରିପାରିବା । ଫଳରେ ଅଧିକ ପରିମାଣରେ କଂସା-ପିତଳ ଓ ଢୋକ୍ରା ହସ୍ତଶିଳ୍ପ ବିକ୍ରି ହେବ ଓ କାରିଗରଙ୍କ ଜୀବନ-ଜୀବିକା ଆର୍ଥିକ ଭାବେ ଅଧିକ ସମୃଦ୍ଧ ହୋଇପାରିବ ।

ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର କହିଥିଲେ; କାରିଗରଙ୍କ ପାରମ୍ପରିକ ଦକ୍ଷତା ସହ ବିଜ୍ଞାନର ସଂଯୋଗ ଘଟିଲେ ଅଧିକ ଉତ୍କୃଷ୍ଟ ସାମଗ୍ରୀ ଉତ୍ପାଦନ ହୋଇପାରିବ । ଭଲ ସାମଗ୍ରୀ ଗ୍ରାହକଙ୍କ ହୃଦୟ ଜିତି ପାରିବ ଓ ବ୍ୟବସାୟ ଭଲ ହେବ । ଆଇଆଇଏମଟିର ନିର୍ଦ୍ଦେଶକ ଡକ୍ଟର ରାମାନୁଜନ ନାରାୟଣ ପ୍ରଯୁକ୍ତିବିଦ୍ୟାର ସାହାଯ୍ୟ ନେଇ ଓଡିଶାର ସମୃଦ୍ଧ ହସ୍ତକଳାକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି କହିଥିଲେ । ହସ୍ତଶିଳ୍ପ ନିର୍ଦ୍ଦେଶିକା ଡକ୍ଟର ନିବେଦିତା ପୃଷ୍ଟି କହିଥିଲେ ଏହି ଶିବିର; ଧାତୁ ଶିଳ୍ପର ପୁରୁଣା ଗୌରବକୁ ପୁନରୁଥାନ କରିବା ସହ ନୂତନ ରୋଜଗାର ସୃଷ୍ଟି ଓ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିବାରେ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ ।

ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଓ ସିଏସଆଇଆର-ଆଇଏମଏମଟିର ମିଳିତ ସହଯୋଗରେ ଏହି କର୍ମଶାଳା ଓ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା । ଓଡ଼ିଶାର ୧୩ ଟି ଜିଲ୍ଲାରୁ ୨୫୦ରୁ ଅଧିକ କଂସା-ପିତଳ ଓ ଢୋକ୍ରା ହସ୍ତଶିଳ୍ପୀ ଯୋଗ ଦେଇଥିଲେ । ଏହି ଶିବିର କାରିଗରଙ୍କର ଦକ୍ଷତା ବୃଦ୍ଧିରେ ସହାୟକ ହେବା ସଙ୍ଗେ ସଙ୍ଗେ ସେମାନଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ । ଏହି କାର୍ଯ୍ୟକ୍ରମରେ ସିଏସଆଇଆର-ଆଇଏମଏମଟିର ବୈଜ୍ଞାନିକ ଡକ୍ଟର ଏ. କେ. ଚୌବେ, ଡକ୍ଟର ୱାଇଏସ୍ ଚୌଧୁରୀ, ହସ୍ତଶିଳ୍ପ ଉପନିର୍ଦ୍ଦେଶକ ମାନଗୋବିନ୍ଦ ଜେନା, ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ହସ୍ତଶିଳ୍ପ ବିଭାଗର ଉପ-ନିର୍ଦ୍ଦେଶକ, ସହକାରୀ ନିର୍ଦ୍ଦେଶକ, ହସ୍ତଶିଳ୍ପ ବିକାଶ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking