24.1 C
Bhubaneswar
Tuesday, February 10, 2026
Homeଖେଳମହିଳା ଟି-୨୦ ବିଶ୍ୱକପ୍‌: ବିପଦରେ ଶ୍ରୀଲଙ୍କାର ସେମି ରାସ୍ତା; ଅଷ୍ଟ୍ରେଲିଆର ବିଜୟୀ ଅଭିଯାନ

ମହିଳା ଟି-୨୦ ବିଶ୍ୱକପ୍‌: ବିପଦରେ ଶ୍ରୀଲଙ୍କାର ସେମି ରାସ୍ତା; ଅଷ୍ଟ୍ରେଲିଆର ବିଜୟୀ ଅଭିଯାନ

ଶାରଜାହ: ୟୁଏଇରେ ଚାଲିଥିବା ଆଇସିସି ମହିଳା ଟି-୨୦ ବିଶ୍ୱକପ୍‌ର ୫ମ ମ୍ୟାଚ୍‌ରେ ଶନିବାର ଶ୍ରୀଲଙ୍କାକୁ ୬ ୱିକେଟ୍‌ରେ ହରାଇ ଅଷ୍ଟ୍ରେଲିଆ ଅଭିଯାନ ଆରମ୍ଭ କରିଛି। ଏହି ପରାଜୟ ପରେ ଶ୍ରୀଲଙ୍କା ସେମିଫାଇନାଲ୍ ଦୌଡ଼ରୁ ପ୍ରାୟତଃ ବାଦ୍ ପଡ଼ିଛି। ଅଷ୍ଟ୍ରେଲିଆ ବିଜୟରେ ବୋଲର୍‌ଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଶାରଜାହ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ୭ ୱିକେଟ୍ ହରାଇ ୯୩ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୧୪.୨ ଓଭର୍‌ରେ ୪ ୱିକେଟ୍ ବିନିମୟରେ ଲକ୍ଷ୍ୟ ହାସଲ କରିନେଇଥିଲା।
ପ୍ରଥମେ ବ୍ୟାଟିଂ ନେଇଥିବା ଶ୍ରୀଲଙ୍କା ବହୁ ମନ୍ଥର ବ୍ୟାଟିଂ କରିଥିଲା। ପୂରା ଇନିଂସ୍‌ରେ ମାତ୍ର ଦୁଇଟି ଚୌକା ଲାଗିଥିଲା। ୬ ରନ୍‌ର ସ୍କୋର୍ ମଧ୍ୟରେ ଟିମ୍ ଦୁଇ ଓପ୍ନର୍ ଭିଶ୍ମି ଗୁଣରତ୍ନେ (୦) ଏବଂ କ୍ୟାପ୍‌ଟେନ୍ ଚମାରୀ ଅଟାପାଟ୍ଟୁ (୩)ଙ୍କ ୱିକେଟ୍ ହରାଇଥିଲା। ଟିମ୍ ପକ୍ଷରୁ ନିଳାକ୍ଷୀ ଡି ସିଲ୍‌ଭା ସର୍ବାଧିକ ୨୯ ରନ୍ କରି ଶେଷ ପର୍ଯ୍ୟନ୍ତ ଆଉଟ୍ ହୋଇନଥିଲେ। ହର୍ଷିତା ମାଧବୀ (୨୩ ରନ୍‌) ଏବଂ ଅନୁଷ୍କା ସଞ୍ଜୀବନୀ (୧୬ ରନ୍‌)ଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଦୁଇଅଙ୍କ ମଧ୍ୟ ଛୁଇଁପାରି ନଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମେଗାନ୍ ଶୁଟ୍ ୩ଟି ଏବଂ ସୋଫି ମୋଲିନେକ୍ସ ୨ଟି ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ଆସ୍‌ଲେ ଗାର୍ଡନର୍ ଓ ଜର୍ଜିୟା ୱେରହାମ୍‌ଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା।
୯୪ ରନ୍‌ର ସହଜ ଲକ୍ଷ୍ୟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ଟିମ୍ ମଧ୍ୟ ପ୍ରଥମରୁ ଝୁଣ୍ଟିଥିଲା। ଟିମ୍ ମାତ୍ର ୩୫ ରନ୍ ମଧ୍ୟରେ ତିନିଟି ଶୀର୍ଷ ୱିକେଟ୍ ହରାଇଥିଲା। କ୍ୟାପ୍‌ଟେନ୍ ଆଲିସା ହିଲି (୪), ଜର୍ଜିୟା ୱେର୍‌ହାମ୍ (୩) ଏବଂ ଏଲିସ୍ ପେରୀ (୧୭) ଆଉଟ୍ ହୋଇଥିଲେ। ତେବେ ଓପ୍ନର୍ ବେଥ୍ ମୁନି ଗୋଟିଏ ପଟେ ତିଷ୍ଠି ରହି ଏଲିସ୍ ପେରୀ ଏବଂ ଆସ୍‌ଲେ ଗାର୍ଡନର୍ (୧୭)ଙ୍କ ସହ ଭାଗୀଦାରି କରି ଟିମ୍‌କୁ ବିପଦରୁ ଉଦ୍ଧାର କରିଥିଲେ। ମୁନି ୩୮ ବଲ୍‌ରେ ୪ ଚୌକା ସହାୟତାରେ ୪୩ ରନ୍‌ର ଇନିଂସ୍ ଖେଳିଥିଲେ। ଅଷ୍ଟ୍ରେଲିଆଂ ୧୪.୨ ଓଭର୍‌ରେ ୪ ୱିକେଟ୍ ହରାଇ ୯୪ ରନ୍ କରିବା ସହିତ ମ୍ୟାଚ୍ ହାତେଇଥିଲା। ଫୋଏବ୍ ଲିଚ୍‌ଫିଲ୍ଡ ୯ ରନ୍ କରି ଅପରାଜିତ ଥିବାବେଳେ ଶ୍ରୀଲଙ୍କା ପକ୍ଷରୁ ଉଦେଶିକା ପ୍ରବୋଧିନୀ, ଇନୋକା ରଣବୀରା ଏବଂ ସୁଗନ୍ଧିକା କୁମାରୀଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି।
ଏହି ପରାଜୟ ଫଳରେ ଶ୍ରୀଲଙ୍କା ଚଳିତ ବିଶ୍ୱକପ୍‌ର ସେମିଫାଇନାଲ୍‌ରୁ ବାଦ୍ ପଡ଼ିବା ଆଶଙ୍କା ବୃଦ୍ଧି ପାଇଛି। ଟିମ୍‌କୁ ସେମିଫାଇନାଲ୍ ଖେଳିବାକୁ ହେଲେ ବାକି ଜିତିବା ସହିତ ଅନ୍ୟ ଟିମ୍‌ର ଫଳାଫଳ ଉପରେ ନିର୍ଭର କରିବାକୁ ପଡ଼ିବ। ଗ୍ରୁପ୍‌-ଏ’ରେ ଅଷ୍ଟ୍ରେଲିଆ ପଏଣ୍ଟ ଟେବଲ୍‌ର ଦ୍ୱିତୀୟ ସ୍ଥାନରେ ଥିବାବେଳେ ପ୍ରାରମ୍ଭିକ ଦୁଇଟି ମ୍ୟାଚ୍ ହାରି ଶ୍ରୀଲଙ୍କା ଚତୁର୍ଥ ସ୍ଥାନରେ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking