17.1 C
Bhubaneswar
Monday, December 8, 2025
Homeଓଡିଶାମହିଳା କଂଗ୍ରେସର ପ୍ରତିଷ୍ଠା ଦବସ ପାଳିତ; ଇନ୍ଦିରା ଓ ନନ୍ଦିନୀଙ୍କୁ ମନେ ପକାଇଲେ

ମହିଳା କଂଗ୍ରେସର ପ୍ରତିଷ୍ଠା ଦବସ ପାଳିତ; ଇନ୍ଦିରା ଓ ନନ୍ଦିନୀଙ୍କୁ ମନେ ପକାଇଲେ

ଭୁବନେଶ୍ୱର: ସୋମବାର ମଧ୍ୟାହ୍ନରେ କଂଗ୍ରେସ ଭବନରେ ଭାରତୀୟ ମହିଳା କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ରାଜ୍ୟ ସଭାନେତ୍ରୀ ମୀନାକ୍ଷି ବାହିନୀପତିଙ୍କ ଅଧ୍ୟକ୍ଷତାରେ ଓ ମଧୁସ୍ମିତା ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏକ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ, ଭାରତରେ ନାରୀ ଶକ୍ତିର ସବୁଠୁ ବଡ ପ୍ରତୀକ ଇନ୍ଦିରା ଗାନ୍ଧିଙ୍କ ରାଷ୍ଟ୍ରନିର୍ମାଣ କାର୍ଯ୍ୟକ୍ରମ ଦେଶରେ ନାରୀ ସଶକ୍ତୀକରଣର ସୂତ୍ରପାତ କରିଥିଲା। ୧୯୭୧ ଯୁଦ୍ଧରେ ପାକିସ୍ତାନଠାରୁ ବାଂଲାଦେଶକୁ ଅଲଗା କରିଦେଇଥିବା ଇନ୍ଦିରା ଗାନ୍ଧିଙ୍କ ଲଢେଇ ଓ ସଂଗଠନ ନିର୍ମାଣର ସଂକଳ୍ପ ଯୋଗୁଁ ମହିଳାମାନଙ୍କ ମଂଚମଣ୍ଡନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ଜନସଂଖ୍ୟାର ୫୦ ପ୍ରତିଶତ ହେଉଛନ୍ତି ମହିଳା; ଭୁବନେଶ୍ବରରେ ୫ ହଜାର ମହିଳା ସଂଗଠିତ ହେବା ସହ ଯଦି ନାରୀନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଓଡିଶାର ୨୦ ହଜାର ମହିଳା ଘେରିବା ସାମର୍ଥ୍ୟ ରଖିବେ, ସେଦିନ ମହିଳା କଂଗ୍ରେସ ଗଠନର ପ୍ରକୃତ ଲକ୍ଷ୍ୟ ସାଧିତ ହେବ ବୋଲି ସେ କହିଥିଲେ। ଏଆଇସିସି ଓଡିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଥିଲେ, ରାଜୀବ ଗାନ୍ଧି ଦେଶରେ ପଂଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପ୍ରତିନିଧିତ୍ବ କରାଇ ସେମାନଙ୍କ ସଶକ୍ତୀକରଣର ମାର୍ଗ ପ୍ରଶସ୍ତ କରିଥିଲେ। ‘ଲଡ୍‌କି ହୋ, ଲଡ୍‌ଶକ୍ତି ହୋ’ ସ୍ଲୋଗାନ ଦେଇ ଉପସ୍ଥିତ ମହିଳାମାନଙ୍କୁ ଉତ୍ସାହିତ କରିଥିଲେ ଶ୍ରୀ ଲଲ୍ଲୁ। ଓଡିଶାରେ ମହିଳା ପ୍ରସଙ୍ଗରେ ୧୪ ବିଧାୟକ ସସ୍‌ପେଣ୍ଡ ହେବା ପ୍ରମାଣ କରୁଛି ଯେ କଂଗ୍ରେସ ମହିଳାଙ୍କ ସାଙ୍ଗରେ ଅଛି ବୋଲି ସେ କହିଥିଲେ।

ପୂର୍ବତନ ଲୋକସଭା ସଦସ୍ୟା ସୁଶୀଳା ତିରିଆ କହିଥିଲେ, ମହିଳା ବିଲ କେମିତି ଲାଗୁ ହୋଇ ମହିଳା ସଶକ୍ତୀକରଣ କରାଯିବ, ଆମକୁ ଏହା ଉପରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଆଜି ମଧ୍ୟ ରାଜନୀତିରେ ମହିଳାଙ୍କ ହାର ନଗଣ୍ୟ। ତେଣୁ ମହିଳାମାନେ ବହୁ ସଂଖ୍ୟାରେ ଗଣତାନ୍ତ୍ରିକ ରାଜନୀତିରେ ଯୋଗ ଦେବା ନିହାତି ଆବଶ୍ୟକ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ କଂଗ୍ରେସ ନେତା ସରସ୍ବତୀ ହେମ୍ବ୍ରମ କହିଥିଲେ, ୧୯୭୫ ମସିହାରେ ରାଜନୀତିରେ ପାଦ ଥାପିଥିଲି ଓ ଏଥିପାଇଁ ଆମ ପରିବାରରେ ବିବାଦ ହୋଇଗଲା। ମୋ ଦେଢଶୁର ମୋ ରାଜନୀତିକୁ ଯିବା ଘୋର ବିରୋଧ କରୁଥିଲେ କିନ୍ତୁ ମୋ ଶ୍ୱଶୁର ମତେ ଉତ୍ସାହ ଓ ସାହସ ଦେଇଛନ୍ତି। ପୁଣି ସେ କହିଥିଲେ, ଇନ୍ଦିରା ଗାନ୍ଧୀଙ୍କ ପ୍ରେରଣାରେ ଆମେ ରାଜନୀତିକୁ ଆସିଥିଲୁ, ନନ୍ଦିନୀ ଶତପଥୀ ମଧ୍ୟ ସହଯୋଗ କରିଛନ୍ତି। ଦଳ ମଧ୍ୟରେ ପରସ୍ପର କୁତ୍ସାରଟନା ହେଉଛି ସବୁଠୁ ବଡ଼ ବିପଦଜନକ କାର୍ଯ୍ୟ । ଏହାଦ୍ୱାରା ନେତୃମଣ୍ଡଳୀଙ୍କ ସମେତ ଦଳର ଅପୂରଣୀୟ କ୍ଷତି ହୋଇଥାଏ। କଂଗ୍ରେସ ଦଳ ଏକ ପରିବାର ଏବଂ ଆମକୁ ଏକ ଶୃଙ୍ଖଳିତ ସଦସ୍ୟ ଭାବେ ରହି କାର୍ଯ୍ୟ କରିବାକୁ ପଡ଼ିବ ତା ହେଲେ ଯାଇ କଂଗ୍ରେସ ଆଗେଇବ ବୋଲି ଶ୍ରୀମତୀ ହେମ୍ବ୍ରମ ମତପ୍ରକାଶ କରିଥିଲେ।

ମହିଳା କଂଗ୍ରେସର ଅନ୍ୟତମ ନେତ୍ରୀ ପ୍ରଣତି ମିଶ୍ର ସାଙ୍ଗଠନିକ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରି କହିଥିଲେ ଯେ, ସଦସ୍ୟତା ଅଭିଯାନ ଜାରୀ ରହିବା ସହ ଆମକୁ ଏସଏଚଜି ଗଠନ କରିବାକୁ ପଡ଼ିବ। ବର୍ତ୍ତମାନ ମଧ୍ୟ ୫୦% ମହିଳା ଏସଏଚଜିରେ ସାମିଲ ହୋଇ ନାହାନ୍ତି ତେଣୁ ମହିଳା କଂଗ୍ରେସକୁ ଶକ୍ତ କରିବା ପାଇଁ ଆମ ହାତରେ ସୁଯୋଗ ଅଛି । ପିସିସି ଉପସଭାପତି ସସ୍ମିତା ବେହେରା କହିଲେ, ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ଆପଣଙ୍କ ହାତରେ ଜାତୀୟ କଂଗ୍ରେସ ଦଳର ମହିଳା ବିଭାଗ ଭଳି ଏକ ଗୁରୁତ୍ୱପୂର୍ଣ ଦାୟିତ୍ୱ ଦିଆଯାଇଛି। ଆପଣମାନେ ଏହି ଦାୟିତ୍ୱ ନେଇ ସୁଚାରୁରୂପେ ପାଳନ କରନ୍ତୁ ମହିଳା କଂଗ୍ରେସକୁ ସମସ୍ତ ସାହାଯ୍ୟ ସହଯୋଗ ପିସିସି ପକ୍ଷରୁ କରାଯିବ। ତେଣୁ ଆମକୁ ତୃଣମୂଳ ସ୍ତରରେ କାର୍ଯ୍ୟକରି କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ପଡ଼ିବ।

ଶେଷରେ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି କହିଲେ ଯେ, ଆଜି ଆମ ମହିଳା କଂଗ୍ରେସର ଜନ୍ମ। ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ଉଦ୍ୟମ ଯୋଗୁଁ ଆଜି ଏଠି ଆମେ ମହିଳା କଂଗ୍ରେସ ଆନୁକୂଲ୍ୟରେ ସଭା କରିପାରୁଛୁ। ଆଜି ଆମ ସଭାରେ ବିଶିଷ୍ଟ ମହିୟସୀ ମହିଳା ଅଛନ୍ତି, ସେମାନଙ୍କଠାରୁ ପ୍ରେରଣା ନେଇ ଆମକୁ ସଂଗଠିତ ହେବାକୁ ପଡିବ, ନାରୀଙ୍କ ଉତ୍ଥାନ ପାଇଁ କାମ କରିବାକୁ ପଡ଼ିବ। ଯେତେବେଳେ ମହିଳା ଘରୁ ପଦାକୁ ବାହାରୁ ନ ଥିଲେ ଏହି କଂଗ୍ରେସ ମହିଳାଙ୍କୁ ଲୋକସଭା, ରାଜ୍ୟସଭା ଓ ବିଧାନସଭା ପଠାଇଥିଲା। ମନ୍ତ୍ରୀ ପଦରେ ଅଳଙ୍କୃତ କରିଥିଲା। କଂଗ୍ରେସ ହିଁ କେବଳ ମହିଳାଙ୍କୁ ସମ୍ମାନ ଦେଇ ଜାଣେ। ତେଣୁ ଆମର କର୍ତ୍ତବ୍ୟ କଂଗ୍ରେସ ଦଳକୁ କିପରି ମଜବୁତ କରିବା। ରାଜ୍ୟ ମହିଳା କଂଗ୍ରେସ କର୍ମକର୍ତ୍ତା ଗଠନ ପ୍ରକ୍ରିୟା ପରେ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ନେତୃତ୍ୱ ଚୟନ ହେବ। ଏବଂ ଏସବୁ ଚୟନ ପ୍ରକ୍ରିୟା ପରେ ମହିଳା କଂଗ୍ରେସକୁ ଶକ୍ତିଶାଳୀ କରିବା ପାଇଁ ସମସ୍ତ ସଦସ୍ୟ ଜୋରଦାର କାର୍ଯ୍ୟ କରିବାକୁ ଶ୍ରୀମତୀ ବାହିନୀପତି ଆହ୍ୱାନ ଜଣାଇଥିଲେ। ଏହି ଅବସରରେ ସୁଶୀଳା ତିରିଆ ଓ ସରସ୍ବତୀ ହେମ୍ବ୍ରମଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking