25.1 C
Bhubaneswar
Saturday, December 6, 2025
Homeଓଡିଶାମହିଳା ବୁଣାକାର ହେଉଛନ୍ତି ଓଡ଼ିଶା ବୟନ ଅର୍ଥନୀତିର ମେରୁଦଣ୍ଡ : ମୁଖ୍ୟ ଅତିଥି

ମହିଳା ବୁଣାକାର ହେଉଛନ୍ତି ଓଡ଼ିଶା ବୟନ ଅର୍ଥନୀତିର ମେରୁଦଣ୍ଡ : ମୁଖ୍ୟ ଅତିଥି

  • କେବଳ ମହିଳା ବୁଣାକାର ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ହସ୍ତତନ୍ତ ସାମଗ୍ରୀର ପ୍ରଦର୍ଶନୀ
    – ୨୪ ଫେବୃଆରୀରୁ ୧୦ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଚାଲିବ
    –  ଦିବା ୧୧ ରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ

ଭୁବନେଶ୍ୱର: ମହିଳା ବୁଣାକାରମାନେ ହେଉଛନ୍ତି ଓଡ଼ିଶା ବୟନ ଅର୍ଥନୀତିର ମେରୁଦଣ୍ଡ । ପୁରାତନ ଓ ନୂତନ ବୟନ କଳାର ଅଭିନବ ସମିଶ୍ରଣ ଦ୍ୱାରା ସେମାନେ ପ୍ରସ୍ତୁତ କରୁଛନ୍ତି ଆକର୍ଷଣୀୟ ବୟନ ଉତ୍ପାଦ । ସ୍ଥାନୀୟ ଏକାମ୍ର ହାଟଠାରେ ମହିଳା ବୁଣାକାର ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ହସ୍ତତନ୍ତ ସାମଗ୍ରୀର ସ୍ଵତନ୍ତ୍ର ପ୍ରଦର୍ଶନୀ କୁ ଉଦ୍ଘାଟନ କରି ଏହା କହିଛନ୍ତି ମୁଖ୍ୟ ଅତିଥି ତଥା ବୟନିକାର ପରିଚାଳନା ନିର୍ଦ୍ଦେଶକ ପ୍ରଣତି ଛୋଟରାୟ ।

ଏହି ଉଦ୍ଘାଟନୀ ସମାରୋହରେ ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ବିକ୍ରମାଦିତ୍ୟ ବାରିକ ଯୋଗ ଦେଇ କହିଛନ୍ତି, ମହିଳା ବୁଣାକାରମାନଙ୍କର ଶ୍ରମ ଓ ବୟନଭିତ୍ତିକ ନବସୃଜନ ଓଡ଼ିଶାକୁ ନୂଆ ପରିଚୟ ଦେଇଛି । ସେମାନଙ୍କ ପ୍ରଚେଷ୍ଟାକୁ ଅଧିକ ପ୍ରେରିତ କରିବା ସହ ସେମାନଙ୍କର ଆର୍ଥିକ ସଶକ୍ତିକରଣ ଦିଗରେ ଏହି ସ୍ଵତନ୍ତ୍ର ପ୍ରଦର୍ଶନୀ ଏକ ପ୍ରକୃଷ୍ଟ ମଞ୍ଚ । ରାଜ୍ୟ ହସ୍ତତନ୍ତ ପୁଞ୍ଜ ବିକାଶ ସଂସ୍ଥା (SADHAC) ଦ୍ୱାରା ଆୟୋଜିତ ଏହି ସ୍ଵତନ୍ତ୍ର ପ୍ରଦର୍ଶନୀ ୧୦ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଚାଲିବ । ଦିବା ୧୧ ଟା ରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଖୋଲା ରହିବ । ଏଥର ମୋଟ ୩୩ ଟି ଷ୍ଟଲ ଖୋଲା ଯାଇଛି । ଏହି ସ୍ୱତନ୍ତ୍ର ପ୍ରଦର୍ଶନୀରେ ବରଗଡ଼, କଟକ, ସୋନପୁର, ଆଠଗଡ଼, ବୌଦ୍ଧ, ବଲାଙ୍ଗିର, ଖୋର୍ଦ୍ଧା, ବାରିପଦା, ବାଲେଶ୍ୱର, ବ୍ରହ୍ମପୁର, ନୟାଗଡ଼, ଢେଙ୍କାନାଳ, କୋରାପୁଟ, ସୁନ୍ଦରଗଡ ଅଞ୍ଚଳରୁ ଅଂଶ ଗ୍ରହଣ କରିଥିବା ମହିଳା ବୁଣାକାର ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କର ହସ୍ତତନ୍ତ ଉତ୍ପାଦ ଯଥା ଶାଢ଼ି, ପୋଷାକ ସାମଗ୍ରୀ, କପଡ଼ା, ଘର ସାଜସଜ୍ଜା ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରୟ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିଛି।

ମହିଳା ବୁଣାକାରଙ୍କ ହସ୍ତତନ୍ତ ଉତ୍ପାଦ ମଧ୍ୟରେ ସମ୍ବଲପୁରୀ, ମାଣିଆବନ୍ଧ, ସୋନପୁର ବାନ୍ଧ ଶାଢ଼ି, ବୌଦ୍ଧ, ସୋନପୁର ବମକାଇ ଶାଢ଼ି, କୋରାପୁଟ ଓ ମୟୂରଭଞ୍ଜ ଆଦିବାସୀ ଶାଢ଼ି, ନୂଆପାଟଣା ଓ ବ୍ରହ୍ମପୁର ପାଟ ଶାଢ଼ି, ଗୋପାଳପୁର ଓ ମାଙ୍କିଡିଆ ଟସର ଶାଢ଼ି, ପୋଷାକ ସାମଗ୍ରୀ, କପଡ଼ା, ଘର ସାଜସଜ୍ଜା ଉପକରଣ ସମେତ ବିଭିନ୍ନ ପ୍ରକାରର ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶନ କରାଯାଉଛି । ହସ୍ତତନ୍ତ ଶିଳ୍ପ ପ୍ରୋତ୍ସାହନ ଯୋଜନା (POHI) ଅଧୀନରେ ଏହା ଆୟୋଜନ ହୋଇଥିବା ବେଳେ ମହିଳା ବୁଣାକାରଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ଲକ୍ଷ୍ୟ ରହିଛି । ଏହା ହସ୍ତତନ୍ତ ସାମଗ୍ରୀର ବିକ୍ରୟ ବୃଦ୍ଧି ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ବୁଣାକାର ସଦସ୍ୟମାନଙ୍କୁ ନିୟମିତ ନିଯୁକ୍ତି ପ୍ରଦାନ କରିବାରେ ମଧ୍ୟ ସାହାଯ୍ୟ କରିବ । ଏହି ଉଦଘାଟନ ଉତ୍ସବରେ ବୟନଶିଳ୍ପ ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର ଅଧିକାରୀ ଇନ୍ଦିରା ବେହେରା, ଯୁଗ୍ମ ସଚିବ ମମତା ନାୟକ, ରେଶମ ଚାଷର ଅତିରିକ୍ତ ନିର୍ଦ୍ଦେଶକ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ବୟନଶିଳ୍ପର ଯୁଗ୍ମ ନିର୍ଦ୍ଦେଶକ ଦେବଜିତ ନନ୍ଦୀ, ଯୁଗ୍ମ ନିର୍ଦ୍ଦେଶକ ଶିଶିର କୁମାର ରଥ, ଉପ-ନିର୍ଦ୍ଦେଶକ ମାନଗୋବିନ୍ଦ ଜେନା, ରାଜ୍ୟ ହସ୍ତତନ୍ତ ପୁଞ୍ଜ ବିକାଶ ସଂସ୍ଥାର ଅଧିକାରୀ ଓ କର୍ମକର୍ତ୍ତା, ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking