ବାଙ୍ଗାଲୋର: ସରକାରୀ ଚାକିରି ଲୋଭରେ ନିଜ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ଏହି ଅପରାଧକୁ ଲୁଚାଇବା ପାଇଁ ରାତାରାତି ନିଜ ସ୍ୱାମୀର ଅନ୍ତିମ ସଂସ୍କାର କରିଥିଲା ସ୍ତ୍ରୀ । ଏଭଳି ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ ଚିତ୍ରଦୁର୍ଗର ହୋଲାଲକେ ଅନ୍ତର୍ଗତ ନେହେରୁ ନଗରରୁ । ମୃତ ସୁରେଶ ମୋଲକାମପୁର ବ୍ଲକର ତହସିଲଦାର କାର୍ଯ୍ୟାଳୟରେ ଏସଡିଏ ଭାବେ କାର୍ଯ୍ୟ କରୁଥିଲେ । ସୁରେଶଙ୍କ ବାପା ଜଣେ ସରକାରୀ ଚାକିରିଆ ଥିଲେ ଏବଂ ତାଙ୍କ ମୃତ୍ୟୁ ପରେ ମାଆଙ୍କ ସୁପାରିଶରେ ଅନୁକମ୍ପା ଆଧାରରେ ସୁରେଶଙ୍କୁ ତାଙ୍କ ବାପାଙ୍କ ଚାକିରି ମିଳିଥିଲା । ଅପରପକ୍ଷରେ ସୁରେଶଙ୍କ ପତ୍ନୀ ନାଗରତ୍ନା ସବୁବେଳେ ଝଗଡ଼ା କରୁଥିଲେ । ଶେଷରେ ସୁରେଶ ନିଜ ପରିବାର ଠାରୁ ଅଲଗା ହୋଇଯାଇଥିଲେ । ୨୦୨୪ରେ ଅକ୍ଟୋବର ୮ରେ ଅଚାନକ୍ ସୁରେଶଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ମା’ ବୋହୂ ନାଗରତ୍ନାକୁ ସନ୍ଦେହ କରିଥିଲେ।
ସେ ପୁଅକୁ ତଣ୍ଟି ଚିପି ମାରିଥିବା ଅଭିଯୋଗ କରିଥିଲେ । ଏନେଇ ସେ ପୋଲିସ ଏବଂ ଲୋକାୟୁକ୍ତରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଯାଞ୍ଚ ଆରମ୍ଭ କରିଥିଲେ । ଛାନଭିନ୍ ସମୟରେ ସୁରେଶଙ୍କ ମୃତଦେହ ଠାବ କରାଯାଇଥିଲା । ସରକାରୀ ଚାକିରି ପାଇବାର ଲୋଭରେ ପତ୍ନୀ ନିଜ ସ୍ୱାମୀକୁ ହତ୍ୟା କରିବା ପରେ ପରିବାର କିମ୍ବା ସମ୍ପର୍କୀୟ କାହାରିକୁ ନ ଜଣାଇ ଅନ୍ତିମ ସଂସ୍କାର କରିଦେଇଛନ୍ତି । ଘର ଲୋକେ ପ୍ରଶ୍ନ ଉଠାଇବାରୁ ସ୍ୱମୀଙ୍କୁ ଜଣ୍ଡିସ୍ ହୋଇଥିବା କଥା କହିଥିଲେ ନାଗରତ୍ନା । କିନ୍ତୁ ଶ୍ୱଶୁର ଘର ଲୋକେ ତାଙ୍କ କଥାକୁ ବିଶ୍ୱାସ କରିନଥିଲେ । ପୁଅକୁ ବୋହୂ ମାରିଦେଇଥିବା ଅଭିଯୋଗ ନେଇ ଶାଶୁ ଥାନାରେ ଏତଲା ଦେଇଥିଲେ । ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ୪ ମାସ ପରେ କବରରୁ ସୁରେଶଙ୍କ ମୃତ ଦେହ ଠାବ କରିବାରେ ସଫଳ ହୋଇଥିଲା । ଏବେ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ଅସଲ କାରଣ ଜଣାପଡ଼ିଯିବ। ବର୍ତ୍ତମାନ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।