ଲଣ୍ଡନ: ବିଶ୍ୱର ପୂର୍ବତନ ନଂ.୧ ଟେନିସ୍ ଖେଳାଳି ସର୍ବିୟାର ନୋଭାକ୍ ଜୋକୋଭିଚ୍ ବୁଧବାର ୱମ୍ବଲଡନ୍ର ପୁରୁଷ ସିଙ୍ଗଲ୍ସ ସେମିଫାଇନାଲ୍ରେ ପହଞ୍ଚିଛନ୍ତି । ହିପ୍ ଇଞ୍ଜୁରୀ କାରଣରୁ ଆଲେକ୍ସ ଡି ମିନାଉର୍ ନାମ ପ୍ରତ୍ୟାହାର କରିନେବାରୁ ଏହାର ଫାଇଦା ଜୋକୋଭିଚ୍ଙ୍କୁ ମିଳିଛି । ସେହିପରି ୩୧ତମ ସିଡ୍ ବାର୍ବୋରା କ୍ରେଜିକ୍କୋଭା ଓ ଚତୁର୍ଥ ସିଡ୍ ଏଲେନା ରିବାକିନା ମଧ୍ୟ ମହିଳା ସିଙ୍ଗଲ୍ସ ସେମିଫାଇନାଲ୍ରେ ସ୍ଥାନପକ୍କା କରିଛନ୍ତି ।
ଅଷ୍ଟ୍ରେଲିଆର ନବମ ସିଡ୍ ଡି ମିନାଉର୍ ବୁଧବାର ସେଣ୍ଟର୍ କୋର୍ଟରେ ଜୋକୋଭିଚ୍ଙ୍କ ବିପକ୍ଷ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଟୁର୍ଣ୍ଣାମେଣ୍ଟରୁ ଓହରିଯିବା ଘୋଷଣା କରିଥିଲେ । ସୋମବାର ଚତୁର୍ଥ ରାଉଣ୍ଡ୍ରେ ଆର୍ଥର୍ ଫିଲ୍ସଙ୍କ ବିପକ୍ଷ ୬-୨, ୬-୪, ୪-୬, ୬-୩ ବିଜୟ ଅବସରରେ ‘କ୍ରାକ୍’ ଶବ୍ଦ ଶୁଣିଥିଲେ ବୋଲି କହିଛନ୍ତି । ମ୍ୟାଚ୍ ସମାପ୍ତ ପରେ ସେ ସାବଧାନର ସହ ନେଟ୍ ନିକଟକୁ ଯାଇଥିଲେ । କିନ୍ତୁ ମିଡିଆ ସହ କଥାବାର୍ତ୍ତା ବେଳେ ସେ ସ୍ଥିତିର ଗମ୍ଭୀରତାକୁ ସମ୍ଭାଳି ନେଇଥିଲେ । ଏହି ୱାକ୍ଓଭର୍ ଫଳରେ ଜୋକୋଭିଚ୍ ୧୩ତମ ଥର ୱିମ୍ବଲଡନ୍ ସେମିଫାଇନାଲ୍ରେ ସ୍ଥାନ ହାସଲ କରିଛନ୍ତି । ଏହା ସହିତ ସେ ପୁରୁଷ ସିଙ୍ଗଲ୍ସରେ ରୋଜର୍ ଫେଡେରର୍ଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି । ଦ୍ୱିତୀୟ ସିଡ୍ ଜୋକୋଭିଚ୍ ପୁରୁଷ ସିଙ୍ଗଲ୍ସରେ ରେକର୍ଡ ୨୪ ଗ୍ରାଣ୍ଡ୍ସ୍ଲାମ୍ ଟାଇଟଲ୍ ମଧ୍ୟରୁ ସାତଟି ୱିଲମ୍ବଡନ୍ରେ ଜିତିଛନ୍ତି । ଫାଇନାଲ୍ରେ ସ୍ଥାନ ହାସଲ ପାଇଁ ଶୁକ୍ରବାର ଜୋକୋଭିଚ୍ ଟେଲର୍ ଫ୍ରିଟ୍ଜ ଓ ଲୋରେଞ୍ଜ ମୁସେଟ୍ଟିଙ୍କ ମ୍ୟାଚ୍ର ବିଜେତାଙ୍କୁ ଭେଟିବେ ।
ବୁଧବାର ଅନୁଷ୍ଠିତ କ୍ୱାର୍ଟର୍ ଫାଇନାଲ୍ ମ୍ୟାଚ୍ରେ କ୍ରେଜିକ୍କୋଭା ଲାଟ୍ଭିଆର ୧୩ଶ ସିଡ୍ ଜେଲେନା ଓସ୍ତାପେଙ୍କୋଙ୍କୁ ୬-୪, ୭-୬ (୪) ସିଧା ସେଟ୍ରେ ହରାଇ ଦେଇଛନ୍ତି । ଫଳରେ ୨୦୧୭ ପ୍ରେଞ୍ଚ୍ ଓପନ୍ ଚାମ୍ପିଅନ୍ ଓସ୍ତାପେଙ୍କୋଙ୍କ ଦ୍ୱିତୀୟ ଗ୍ରାଣ୍ଡ୍ସ୍ଲାମ୍ ଟାଇଟଲ୍ ଜିତିବା ଆଶା ଧୂଳିସାତ୍ ହୋଇଛି । ଏହି ବିଜୟ ସହ ୨୦୨୧ ପ୍ରେଞ୍ଚ୍ ଓପନ୍ ଚାମ୍ପିଅନ୍ କ୍ରେଜିକ୍କୋଭା ପ୍ରଥମ ଥର ୱିମ୍ବଲଡନ୍ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି । ସେଣ୍ଟର କୋର୍ଟରେ ଖେଳାଯାଇଥିବା ଅନ୍ୟ ଏକ ମହିଳା ସିଙ୍ଗଲ୍ସ କ୍ୱାର୍ଟର୍ ଫାଇନାଲ୍ରେ ୨୦୨୨ ୱିମ୍ବଲଡନ୍ ଚାମ୍ପିଅନ୍ କଜାଖ୍ସ୍ତାନର ଏଲେନା ରିବାକିନା ୟୁକ୍ରେନ୍ର ଏଲିନା ସ୍ୱିତୋଲିନାଙ୍କୁ ୬-୩, ୬-୨ ସିଧା ସେଟ୍ରେ ହରାଇ ଅନ୍ତିମ-୪ରେ ପ୍ରବେଶ କରିଛନ୍ତି । କ୍ୱିନ୍ କାମିଲା ଉପସ୍ଥିତ ଥିବା ଏହି ମ୍ୟାଚ୍ ୬୧ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା ।