17.1 C
Bhubaneswar
Tuesday, December 16, 2025
Homeଦେଶ ବିଦେଶଦୋଷ ପ୍ରମାଣ ହେଲେ ରାଜନୀତିରୁ ସନ୍ନ୍ୟାସ ନେବି: ସିଦ୍ଧରମୈୟା

ଦୋଷ ପ୍ରମାଣ ହେଲେ ରାଜନୀତିରୁ ସନ୍ନ୍ୟାସ ନେବି: ସିଦ୍ଧରମୈୟା

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ବିବୃତିକୁ ନେଇ ବରିଷ୍ଠ କଂଗ୍ରେସ ନେତା ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଆଜି ଏକ ବଡ଼ ବୟାନ୍ ଦେଇଛନ୍ତି। ସିଦ୍ଧରମୈୟା କହିଛନ୍ତି, ଯଦି ତାଙ୍କ ବିରୋଧରେ ରହିଥିବା ଅଭିଯୋଗ ମଧ୍ୟରୁ ଗୋଟିଏ ମଧ୍ୟ ପ୍ରମାଣିତ ହୁଏ ତେବେ ସେ ଚିରଦିନ ପାଇଁ ରାଜନୀତିରୁ ସନ୍ୟାସ ନେଇନେବେ। ମୋଦୀଙ୍କ ଅଭିଯୋଗର କଡ଼ା ଜବାବ ଦେବାକୁ ଯାଇ ସିଦ୍ଧରମୈୟା କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ ମୋଦୀ ଏପ୍ରକାର ମିଛ କହିବା କିଛି ନୂଆ କଥା ନୁହେଁ। ମୋଦୀଙ୍କ ଅନୁଯାୟୀ କର୍ଣ୍ଣାଟକର ଏକ୍ସାଇଜ୍ ବିଭାଗ ମହାରାଷ୍ଟ୍ର ନିର୍ବାଚନ ପାଇଁ ୭୦୦ କୋଟି ଟଙ୍କା ପଠାଇଛି। ତେବେ ଅବକାରୀ ବିଭାଗ କେଉଁଠାରୁ ୭୦୦ କୋଟି ଟଙ୍କା ପାଇବ? ଯଦି ଏପ୍ରକାର ଅଭିଯୋଗ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବଳିଷ୍ଠ ପ୍ରମାଣ ଉପସ୍ଥାପନ କରନ୍ତି କିମ୍ବା ଏସବୁ ଅଭିଯୋଗ ସତ ପ୍ରମାଣିତ ହୁଏ ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେବେ। କିନ୍ତୁ ଯଦି ଏହି ଅଭିଯୋଗ ପ୍ରମାଣିତ ନହୁଏ, ତେବେ ମୋଦୀ ଅବସର ନେଇଯିବା ଉଚିତ୍ ବୋଲି ସିଦ୍ଧରମୈୟା କହିଛନ୍ତି। ସିଦ୍ଧରମୈୟାଙ୍କ କହିବାନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ଏବେ ନିଜ ଭାଷଣରେ କର୍ଣ୍ଣାଟକକୁ ବାରମ୍ବାର ଉଲ୍ଲେଖ କରୁଛନ୍ତି। ଏଥିରୁ ଜଣାପଡୁଛି ଯେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟଜନିତ ଦୁଃଖ, ଗ୍ଳାନିରୁ ପ୍ରଧାନମନ୍ତ୍ରୀ ମୋଦୀ ଏପର୍ଯ୍ୟନ୍ତ ବାହାରିପାରିନାହାଁନ୍ତି।
ନିକଟରେ ଅକୋଲା ଠାରେ ଆୟୋଜିତ ଏକ ଦଳୀୟ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ମୋଦୀ କଂଗ୍ରେସ ଓ କଂଗ୍ରେସ ନେତାମାନେ ଦୁର୍ନୀତି, ଭ୍ରଷ୍ଟାଚାରରେ ଲିପ୍ତ ରହିଥିବା ଅଭିଯୋଗ କରିଥିଲେ। ବିଶେଷକରି ମୋଦୀ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ରହିଥିବା ‘ମୁଦା’ ଦୁର୍ନୀତି ସମ୍ପର୍କରେ, ମଧ୍ୟ ପ୍ରଶ୍ନ ଉଠାଇଥିଲେ। ସେହିପରି ସିଦ୍ଧରମୈୟାଙ୍କ ନେତୃତ୍ୱରେ କର୍ଣ୍ଣାଟକରେ କ୍ଷମତାସୀନ ଥିବା କଂଗ୍ରେସ ସରକାର ରାଜ୍ୟର ମଦ ବ୍ୟବସାୟୀଙ୍କଠାରୁ ୭୦୦ କୋଟି ଟଙ୍କା ସଂଗ୍ରହ କରି ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଖର୍ଚ୍ଚ ପାଇଁ ପଠାଇଥିବା ସମ୍ପର୍କରେ ମଧ୍ୟ ମୋଦୀ ଅଭିଯୋଗ କରିଥିଲେ। ମୋଦୀ କହିଥିଲେ, ଯେଉଁଠାରେ କଂଗ୍ରେସ ସରକାର ରହିଥାଏ, ଏହା ରାଜ୍ୟ ଦଳ ତଥା ରାଜ ପରିବାର (ଗାନ୍ଧୀ ପରିବାର) ପାଇଁ ଏଟିଏମ୍ ପାଲଟିଯାଏ। ଆଜିକାଲି କର୍ଣ୍ଣାଟକ, ହିମାଚଳ ପ୍ରଦେଶ ଏବଂ ତେଲେଙ୍ଗାନା କଂଗ୍ରେସର ଏଟିଏମ୍‌ରେ ପରିଣତ ହୋଇଛି। ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏଭଳି ଭିତ୍ତିହୀନ ଅଭିଯୋଗ ସତରେ ବେଶ ଆଶ୍ଚର୍ଯ୍ୟଜନକ ବୋଲି ରାଜ୍ୟ ଗୃହମନ୍ତ୍ରୀ ଡିଜି ପରମେଶ୍ୱର କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking