ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଲୁଗେଲ ପଞ୍ଚାୟତ ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ ।ରାଜରାସ୍ତାରେ ଧାନ ପକାଇ ଚାଷୀଙ୍କ ପ୍ରତିବାଦ । କାଲିମେଳା ରୁ ମୋଟୁ କୁ ସଂଯୋଗ କରିଥିବା ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କଲେ ଶହ ଶହ ଚାଷୀ । ମଣ୍ଡି ଅଚଳାବସ୍ଥାକୁ ନେଇ ରାଜରାସ୍ତାରେ ପ୍ରତିବାଦ କରିଛନ୍ତି ଚାଷୀ । ମଣ୍ଡିରେ ବିକ୍ରି ହୋଇପାରୁନି ଧାନ । ଶୀତ କାକରରେ ଉଜାଗର ହୋଇ ଧାନ ବିକ୍ରି ଅପେକ୍ଷାରେ ଚାଷୀ , ଆରମ୍ଭରୁ ଝୁଣ୍ଟୁଛି ମଣ୍ଡି । ଗୋଟିଏ ଦୁଇଟି ସ୍ଥାନ ନୁହେଁ, କାଲିମେଳା ବ୍ଲକର ବିଭିନ୍ନ ମଣ୍ଡିରେ ଚରମ ବିଶୃଙ୍ଖଳା ହେଉଥିବାର ଅଭିଯୋଗ ହୋଇଛି । ଚଳିତବର୍ଷ ଗୋଟିଏ ବି ମଣ୍ଡି ସଠିକ ଢଙ୍ଗରେ ଚାଲୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ଧାନ ବିକା ଏବେ ଚାଷୀଙ୍କ ପାଇଁ ଯନ୍ତ୍ରଣା ପାଲଟିଛି । କେତେବେଳେ ଟୋକନ୍ ମିଳୁନି ତ ଆଉ କେତେବେଳେ ମଣ୍ଡି ଖୋଲୁନି । ଆଉ ଯେଉଁଠି ମଣ୍ଡି ଖୋଲିଛି, ସେଠୁ ଧାନ ଉଠୁନି । ଏମିତି ଯାବତୀୟ ସମସ୍ୟା ଦେଇ ଗତି କରୁଛନ୍ତି ଚାଷୀ । ଫଳରେ ଶୁକ୍ରବାର ଦିନ ଲୁଗେଲ ପଞ୍ଚାୟତର ସରପଞ୍ଚ ସୁରେଶ ସନ୍ଧି ଓ ସ୍ଥାନୀୟ ଚାଷୀ କାଲିମେଳା ରୁ ମୋଟୁ କୁ ସଂଯୋଗ କରିଥିବା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଏମଭି – ୭୯ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଏବଂ ସ୍ଥାନୀୟ ତାସିଲଦର୍ , କାଲିମେଳା ଲେମ୍ପ ଅଧିକାରୀ ପହଂଚି ଦୀର୍ଘ୍ ସମୟ ଧରି ସରପଞ୍ଚ ଶ୍ରୀ ସନ୍ଧି ଓ ଚାଷୀଙ୍କ ସହ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।









