19.1 C
Bhubaneswar
Sunday, February 8, 2026
Homeଓଡିଶାନିଶା ମାଙ୍କଡ଼ିଆ ମୃତ୍ୟୁକୁ ଗଣମାଧ୍ୟମ କାହିଁକି ଏତେ ଗୌଣ ଦେଖୁଛନ୍ତି

ନିଶା ମାଙ୍କଡ଼ିଆ ମୃତ୍ୟୁକୁ ଗଣମାଧ୍ୟମ କାହିଁକି ଏତେ ଗୌଣ ଦେଖୁଛନ୍ତି

ଭୁବନେଶ୍ୱର: କଂଗ୍ରେସ ଭବନଠାରେ ଆଦିବାସୀ ମାଙ୍କଡ଼ିଆ ସମାଜର ଦୁର୍ଦଶା ଉପରେ ଏକ ଗୁରୁତ୍ୱପୂର୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସମ୍ମିଳନୀରେ ଏଆଇସିସି ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଶରତ ରାଉତ, ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ ଓ ମୁଖପାତ୍ର ଡ଼ଃ ମନୀଷା ଦାସ ପଟ୍ଟନାୟକ ନିଜ ବ୍ୟକ୍ତବ୍ୟ ଉପସ୍ଥାପନ କରିଥିଲେ । ପୂର୍ବତନ ମନ୍ତ୍ରୀ ଶ୍ରୀ ରାଉତ କ୍ଷୋଭ ପ୍ରକାଶ କରି କହିଲେ ଯେ, ଦେଶରେ ମାଙ୍କଡ଼ିଆ ଆଦିବାସୀ ଏକ ବିରଳ ଅନୁସୂଚିତ ଜନଜାତି ରୂପେ ଚିହ୍ନଟ କରାଯାଇଛି । ୨୦୧୧ ଜନଗଣନା ଅନୁସାରେ ଏମାନଙ୍କ ସଂଖ୍ୟା କେବଳ ୨୨୦୦ ମାତ୍ର । ସୁକିନ୍ଦା ବ୍ଲକ ଅନ୍ତର୍ଗତ ମଲାର ସାହିରେ ୮୭ ପରିବାର ରହୁଥିଲେ ଯାହା ବୃଦ୍ଧି ପାଇ ଏବେ ୧୫୦ ପରିବାର ହୋଇଛନ୍ତି । ମଲାର ସାହିରେ ମାଙ୍କଡ଼ିଆ ଆଦିବାସୀ ଆଜି ମଧ୍ୟ ପତ୍ର କୁଡ଼ିଆ ଓ ଜରି ପାଲ ଟଣା ଘରେ ରହୁଛନ୍ତି । ସରକାରୀ ବାସଗୃହ ସୁବିଧା ମିଳିନି । ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ଏମାନେ ରହିବାକୁ ବାଧ୍ୟ ହେଉଛନ୍ତି । ବିଶୁଦ୍ଧ ପାଣିର ସୁବିଧା ମଧ୍ୟ ନାହିଁ । ଅକ୍ଟୋବର ୨୫ ତାରିଖରେ ମଲାର ସାହିର ରିସା ମାଙ୍କଡ଼ିଆଙ୍କ ମୃତ୍ୟୁ ହେବା ଖବର ସମ୍ବାଦ ପତ୍ର ମାନଙ୍କରେ ପ୍ରକାଶିତ ହୋଇଥିଲା । ପ୍ରଦେଶ କଂଗ୍ରେସ କମିଟି ତରଫରୁ ବିଧାୟକ ଅଶୋକ ଦାସଙ୍କ ନେତୃତ୍ୱରେ ଏକ ଟିମ ଯାଇ ଘଟଣାର ସତ୍ୟାସତ୍ୟ ଜାଣିବାକୁ ଯାଇ ପରିବାର ବର୍ଗଙ୍କୁ ଭେଟିଥିଲେ । ଜାଣିଲେ ଅନାହାରରେ ମୃତ୍ୟୁ ଘଟିଛି । ଗତ ଜୁନ ମାସରୁ ତାକୁ ଅନ୍ତୋଦୟ ଚାଉଳ ମିଳୁ ନଥିଲା । ଇ କେୱାଇସି କରାଯାଇ ନାହିଁ ବୋଲି ତାକୁ ଚାଉଳ ଯୋଗାଣ ବନ୍ଦ ଥିଲା । ଫଳରେ ସେ ଭିକ୍ଷାବୃତ୍ତି କରି ଖାଉଥିଲା କିନ୍ତୁ ଅସୁସ୍ଥ ହେବାରୁ କୁଆଡେ ଯାଇ ନ ପାରି ଖାଦ୍ୟ ଅଭାବରେ ମୃତ୍ୟୁ ବରଣ କଲା ବୋଲି ତାର ଦୂର ସମ୍ପର୍କୀୟ ଏବଂ ସମ୍ପ୍ରଦାୟର ଲୋକେ ପ୍ରକାଶ କରିଥିଲେ । ଅନାହାର ମୃତ୍ୟୁ ଭଳି ଏକ ଲଜ୍ୟାଜନକ ଘଟଣା ଘଟିଥିଲେ ମଧ୍ୟ ଯାଜପୁର ଜିଲ୍ଲାପାଳ ଏବଂ କୌଣସି ପ୍ରଶାସନିକ ଅଧିକାରୀ ଏହି ଅନାହାର ମୃତ୍ୟୁକୁ ନେଇ ତତ୍ପରତା ପ୍ରକାଶ କଲେନାହିଁ । ପୁଣି ଏହି ଦୁଃଖଦ ଘଟଣାକୁ ନେଇ ମୁଁ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ସୁଧାଂଶୁ ଦେଓ ଏବଂ ଯାଜପୁର କଂଗ୍ରେସର କର୍ମକର୍ତ୍ତା ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ମାଙ୍କଡ଼ିଆ ଆଦିବାସୀଙ୍କ କରୁଣ କାହାଣୀ କହିବା ସହ ରିସା ମାଙ୍କଡ଼ିଆଙ୍କ ଅନାହାର ମୃତ୍ୟୁ ବିଷୟ ଉପସ୍ଥାପନ କଲୁ । ମାନ୍ୟବର ରାଜ୍ୟପାଳ ଏହାକୁ ଗମ୍ଭୀରତାର ସହିତ ଗ୍ରହଣ କରି ଉଚିତ କାର୍ଯ୍ୟାନୁଷ୍ଠାନର ପ୍ରତିଶୃତି ଦେଲେ । ପୂର୍ବରୁ ୨୦୨୨ ସେପ୍ଟେମ୍ବର ୨୭ ତାରିଖରେ ସୁରେନ୍ଦ୍ର ମାଙ୍କଡ଼ିଆଙ୍କ ଅନାହାର ମୃତ୍ୟୁ ଘଟିଥିଲା । ସେତେବେଳେ ମଧ୍ୟ ସରକାର କିଛି ପଦକ୍ଷେପ ନେଇ ନ ଥିଲେ ।

ଗୋଟିଏ ପଟେ ରତ୍ନଗର୍ଭା ସୁକିନ୍ଦା ଖଣି ଅଞ୍ଚଳରେ କ୍ରୋମାଇଟ ଖନନ କରି କମ୍ପାନୀ ଏବଂ ସରକାର ହଜାର ହଜାର କୋଟି ଟଙ୍କା ଆୟ କରୁଛନ୍ତି ଏପରିକି ଅସାଧୁ ବେପାରୀ କଳାବଜାରୀ କରି ଶହ ଶହ କୋଟି ଉପାର୍ଜନ କରାଯାଇ ପାରୁଛନ୍ତି କିନ୍ତୁ ଅନ୍ୟ ପଟେ ସେଇ ଖଣି ଜଙ୍ଗଲ ଜମିର ଆଦିମ ଅଧିବାସୀ ଆଜି ବାସଚ୍ୟୁତ, ଦରିଦ୍ର ଓ ନିଷ୍ପେସିତ । ଶ୍ରୀ ରାଉତ ଗଣମାଧ୍ୟମକୁ ତାଙ୍କ ଦାୟିତ୍ୱ ବିଷୟକୁ ନେଇ କହିଲେ । ଏକବିଂଶ ଶତାବ୍ଦୀରେ ଆଧୁନିକ ଯୁଗରେ ପ୍ରାଚୁର୍ଯ୍ୟରେ ଭରା ଅଞ୍ଚଳରେ ଜଣଙ୍କ ଅନାହାରରେ ମୃତ୍ୟୁ ହେଉଛି ଅଥଚ ଆପଣ ଗଣମାଧ୍ୟମ ଏହି ବିଷୟକୁ ଗୌଣ ବିଚାର କରୁଛନ୍ତି । ଯେତିକି ପ୍ରାଧାନ୍ୟ ଦେବା କଥା ଦେଉ ନାହାନ୍ତି । ଆପଣଙ୍କୁ ଅନୁରୋଧ ମାଙ୍କଡ଼ିଆ ସମ୍ପ୍ରଦାୟର ଦୁର୍ଦଶାକୁ ଉଜାଗର କରନ୍ତୁ । ମୁଖପାତ୍ର ଡ଼ଃ ପଟ୍ଟନାୟକ କହିଲେ, ଇ-କେୱାଇସି ନାମରେ ଲକ୍ଷ ଲକ୍ଷ ହିତାଧିକାରୀଙ୍କ ନାମ କାଟି ଦେଇଛନ୍ତି । ଗରିବ ନିରକ୍ଷର ଲୋକଟିଏ କେମିତି ଏସବୁ କରିପାରିବ ଚିନ୍ତା କଲେନାହିଁ । ପୁଣି କେମିତି ଏମାନେ ଇ କେ୍ୱାସି କରି ପାରିବେ ବ୍ୟବସ୍ଥା କଲେନାହିଁ କିନ୍ତୁ ନାମ କାଟିଦେଲେ । ଏହା ଫଳରେ ଲକ୍ଷ ଲକ୍ଷ ଆଦିବାସୀ ଓ ଜନଜାତି ତାଙ୍କ ମୌଳିକ ଅଧିକାରରୁ ବଞ୍ଚିତ ହେଲେ । ଯଦି ଅଯୋଗ୍ୟ ହିତାଧିକାରୀ ବୋଲି ନାମ କାଟିଛନ୍ତି ତେବେ ସେମାନଙ୍କ ତାଲିକା ସାର୍ବଜନୀନ କରିବାକୁ କଂଗ୍ରେସ ଆହ୍ୱାନ ଦେଉଛି ବୋଲି କହିବା ସହ ବିଜେପି ସରକାର ଆଦିବାସୀ ନେତା କରି ଆଦିବାସୀ ମାରଣ ନୀତି ଅବଲମ୍ବନ କରୁଥିବା ପ୍ରକାଶ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking