26.1 C
Bhubaneswar
Thursday, February 19, 2026
Homeଓଡିଶାଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ

ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ

ଭୁବନେଶ୍ୱର: ଆଜି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଢ଼େଙ୍କାନାଳ ଜିଲ୍ଲାର କାଶୀପୁର ଅନ୍ତର୍ଗତ ଲହଡା ଗ୍ରାମଠାରେ ଜନଜାତି ଜାଗରଣ ସମାବେଶରେ ଯୋଗ ଦେଇଥିଲେ । ସମାବେଶରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଶ୍ରୀ ଦାସ କହିଲେ, ୮୦ ଦଶକରେ କଳାହାଣ୍ଡି ଅଞ୍ଚଳରେ ଲୋକେ ଯେଭଳି ଦୁର୍ଦ୍ଦଶାଗସ୍ତ ଅବସ୍ଥାରେ ରହୁଥିଲେ ଏହି ଆଧୁନିକ ଯୁଗରେ ମଧ୍ୟ ଢ଼େଙ୍କାନାଳର ଲହଡ଼ା ଅଞ୍ଚଳରେ ଆଦିବାସୀ, ଦଳିତ ସେଭଳି ଜୀବନଯାପନ କରୁଛନ୍ତି । ଯାହା ଅତି କ୍ଷୋଭର ବିଷୟ ଅଟେ । ଆଦିବାସୀ ଘର ଖଣ୍ଡିଏ ପାଇଁ ଅଫିସ ଅଫିସ ଦୌଡ଼ି ନୟାନ୍ତ । ତାଙ୍କୁ ସରକାର ଜମି ପଟ୍ଟା ଦେଉନାହିଁ । ଫଳରେ ସରକାରଙ୍କ କୌଣସି ଯୋଜନାରେ ଘର ଖଣ୍ଡିଏ ତିଆରି କରିପାରୁ ନାହାନ୍ତି । ସ୍ୱାଧୀନତାର ୭୬ ବର୍ଷ ପରେ ମଧ୍ୟ ଶୁଦ୍ଧ ପିଇବାପାଣି ମୁନ୍ଦିଏ ପିଇବାପାଇଁ ସ୍ୱପ୍ନ । ହଜାର ହଜାର କୋଟି ଟଙ୍କା ଜଳ ଯୋଗାଣ ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କିନ୍ତୁ ପାଇପ ସଂଯୋଗ ହୋଇପାରୁ ନାହିଁ । ଦୂଷିତ ପାଣି ଯୋଗୁଁ ଯାଜପୁର ଜିଲ୍ଲାର ପାଲଟପୁର ପଞ୍ଚାୟତର ୧୨୦ ଜଣ କିଡିନି ରୋଗରେ ଆକ୍ରାନ୍ତ ହୋଇ ମରଣ ସହିତ ସଂଗ୍ରାମ କରୁଛନ୍ତି । ଆମ କଂଗ୍ରେସ ସକରାର ମହାତ୍ମା ଗାନ୍ଧୀ ନରେଗା ଯୋଜନା ମାଧ୍ୟମରେ ଆପଣମାନଙ୍କୁ କର୍ମଯୋଗାଣ କରୁଥିଲା । ଯାହା ଫଳରେ ଆପଣ ପେଟ ପୋଷୁଥିଲେ ଏବଂ ପିଲାଛୁଆଙ୍କ ଭବିଷ୍ୟତ ଗଢ଼ୁଥିଲେ । କିନ୍ତୁ ବିଜେପି ସରକାର ଏହି ଯୋଜନା ବନ୍ଦ କରିଦେଲୋ । ଆପଣ କାମ ବଦଳରେ ଯେଉଁ ଟଙ୍କା ପାଉଥିଲେ ତାହା ବନ୍ଦ ହୋଇଗଲା । ଦୁଃଖ ଏବଂ ନିରାଶାର ଏକ ବାତାବରଣ ଛାଇ ଯାଇଛି । ଦଳିତ ଆଦିବାସୀଙ୍କ ଅଧିକାର ମାଧ୍ୟମରେ ସରକାର ସହଯୋଗ କ’ଣ କରିବ ସାମାଜିକ ନ୍ୟାୟ ବ୍ୟବସ୍ଥାକୁ ଧ୍ୱଂସ କରିଦେଇଛି ।

ଆମ ପୂର୍ବ ପୁରୁଷ କ’ଣ ଏହି ସ୍ୱାଧୀନ ଭାରତର ସ୍ୱପ୍ନ ଦେଖିଥିଲେ । ଯେଉଁଠି ଅଫିସର ଅମଲା, ନେତା, ମନ୍ତ୍ରୀ ସରଳ ଲୋକଙ୍କୁ ବିପଥଗାମୀ କରିବେ? ଏହି କାରଣ ଯୋଗୁଁ ମୁଁ ସାରା ଓଡ଼ିଶା ପାଦରେ ପରିଭ୍ରମଣ କରିବାକୁ ଚାହୁଛି । ପ୍ରତ୍ୟେକ ବ୍ଲକରେ ଚାଲିବି ଏବଂ ଲୋକଙ୍କ ଦୁଃଖ ସମସ୍ୟା ସିଧାସଳଖ ସେମାନଙ୍କର ତୁଣ୍ଡରୁ ଶୁଣିବି ଏବଂ ସେହି ଅନୁସାରେ ଆମେ ସାଧାରଣ ଜନତାଙ୍କୁ ନେଇ ସାରା ଓଡ଼ିଶାରେ ଆନ୍ଦୋଳନ ଆରମ୍ଭ କରିବୁ । ଯିଏ କଂଗ୍ରେସରେ କାମ କରିବ ଜିଲ୍ଲା ସଭାପତି ହୁଅନ୍ତୁ ବା କୌଣସି ପଦାଧିକାରୀ ହୁଅନ୍ତୁ ଚାଲି ଚାଲି ଗାଁ ଗଣ୍ଡାରେ ପହଞ୍ôଚ ଲୋକଙ୍କ ସମସ୍ୟା ଶୁଣି ସମାଧାନ ପାଇଁ ଉଦ୍ୟମ କରିବାକୁ ପଡ଼ିବ । ଚାଷୀଙ୍କ ପରିଶ୍ରମ ଉପାର୍ଜିତ ଧାନ କ୍ୟୁଂଟାଲ ପ୍ରତି ୧୦ କେଜି କାଟୁଛନ୍ତି । ଯଦି ହିସାବ କରାଯାଏ ଓଡ଼ିଶାର ସମସ୍ତ ଚାଷୀଙ୍କ ଠାରୁ ଏହି ପ୍ରାୟ ୫ ହଜାର କୋଟି ଟଙ୍କା ସମବାୟ, ଯୋଗାଣ, କୃଷି ବିଭାଗ ଏବଂ ଏହି ବିଭାଗ ମାନଙ୍କ ମନ୍ତ୍ରୀ ତଥା ମିଲର ବେନିୟମ ଉପାୟରେ ଚାଷୀଙ୍କ ତଣ୍ଟିଚିପି ନିଜ ଭିତରେ ଅର୍ଥ ବଂଟନ କରୁଛନ୍ତି । ଯେଉଁ ଚାଷୀ ୧୫୦ କ୍ୟୁଂଟାଲରୁ ଅଧିକ ଅମଳ କରୁଛି ସେହି ଅଧିକ ଅମଳ ଧାନକୁ ସରକାରକୁ କିଣୁ ନାହିଁ । ଫଳରେ ମିଲର ୧୭୦୦-୧୮୦୦ ଦେଇ ଶାଗମାଛ ମୂଲ୍ୟରେ କିଣୁଛି । ଦେଶକୁ ବାବା ସାହେବ ଆମ୍ବେଦକର ସମ୍ବିଧାନ ଦେଇଛନ୍ତି କିନ୍ତୁ ସରକାର ସମ୍ବିଧାନ ପାଳନ କରୁ ନାହାନ୍ତି । ସେଥିପାଇଁ ସବୁଠାରୁ ଉକୃଷ୍ଟ ପନ୍ଥା ହେଉଛି ଗାନ୍ଧୀ ପଥ । ଏହି ପଥ ଅନୁସରଣ କରି ଅହିଂସା ଉପାୟରେ ଯଦି ହଜାର ହଜାର ଜନଜାତି ଏବଂ ଦଳିତ ରାସ୍ତାକୁ ଓହ୍ଳାଇ ଅଧିକାରର ଆନ୍ଦୋଳନ କରିବେ ତେବେ ସରକାର ନ୍ୟାୟ ଦେବାପାଇଁ ବାଧ୍ୟ ହେବ । ଲକ୍ଷ ଲକ୍ଷ କୋଟି ଟଙ୍କାର ଖଣିଜ ଦ୍ରବ୍ୟ ଲୁଟ ଚାଲିଛି । ଖଣି କମ୍ପାନୀ ମାନଙ୍କ ଉପରେ ଦେଢ଼ଲକ୍ଷ କୋଟି ଟଙ୍କା ବକେୟା ପଡ଼ିଛି ।

ସରକାର କାହିଁକି ଏହି ଟଙ୍କା ଅସୁଲ କରୁନାହିଁ । ଏତେ ଟଙ୍କାରେ ସ୍କୁଲ, ଗୃହ, ପାଣି, ବିଜୁଳି ସମସ୍ତ ଆବଶ୍ୟକ ପୂରଣ ହୋଇ ଓଡ଼ିଶା ହସିବ । କିନ୍ତୁ ସରକାର ଚୁପ କାହିଁକି? ଶିଳ୍ପପତି ଆମକୁ ଲୁଟ କରୁଥିବା ବେଳେ ସାଧାରଣ ଜନତା ଗରିବରୁ ଗରିବ ହେବାରେ ଲାଗିଛନ୍ତି । ଆଦିବାସୀ ଜନଜାତି, ଅନୁସୂଚିତ ଜାତି ଆଦି ସବୁଠାରୁ ଅଧିକ ନିଷ୍ପେଷିତ ଅବସ୍ଥାରେ ଅଛନ୍ତି । ଦଳିତ ଆଜଶବି ନିର୍ଯାତିତ । ଧରାକୋଟରେ ଉଲଗ୍ନ କରି ପ୍ୟାରେଡ କରାଯାଉଛି ତ କେନ୍ଦ୍ରାପଡ଼ାରେ ଜଣେ ଦଳିତ ଝିଅ ଅଙ୍ଗନୱାଡ଼ି କର୍ମୀ ହେଲାବୋଲି ତା ହାତ ରନ୍ଧା ନଖାଇ ବାସନ୍ଦକରି ପିଲାଙ୍କୁ ପଠାଉ ନାହାନ୍ତି । ଆଜିବି ଆପଣଙ୍କ ଅଞ୍ଚଳ ସେ ୮୦ ଦଶକରେ ଅଛି । ଅଭାବ, ଅନାଟନ, ଅତ୍ୟାଚାର ସବୁ ଚାଲିଛି । ଆପଣଙ୍କ ଜମିକୁ ଶିଳ୍ପପତି ହଡ଼ପ କରିନେଉଛନ୍ତି । ମୁଁ ସରକାରଙ୍କୁ ଚେତାବନୀ ଦେବାକୁ ଚାହେଁ ଏହି ଅଞ୍ଚଳର ଜନଜାତିଙ୍କୁ ତାଙ୍କ ଅଧିକାର ଅନୁଯାୟୀ ସମସ୍ତ ପ୍ରକାର ସହଯୋଗ ଏବଂ ବ୍ୟବସ୍ଥା କରାଯାଉ । ଯଦି କରାନଗଲା ତେବେ କ୍ରାନ୍ତି ହେବ ଏବଂ ସେଥିପାଇଁ ସରକାର ଦାୟୀ ରହିବେ ।

ସଭାପତି ଶ୍ରୀ ଦାସଙ୍କ ଢ଼େଙ୍କାନାଳ ଗସ୍ତ ଏବଂ ସମାବେଶକୁ ଜିଲ୍ଲା କଂଗ୍ରେସ ସଭାପତି ଛବିରାଜ ବିଶ୍ୱାଳ ଆୟୋଜନ କରିଥିବା ବେଳେ ସମାବେଶରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ, କଂଗ୍ରେସ ମହିଳା ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ଡ. ବନମାଳି ଦାସ, ବିଜୟାନନ୍ଦ ଚାଉଳିଆ, ବିପ୍ରବର ସାହୁ, ରଞ୍ଜିତ କୁମାର ସାହୁ, ସୁବ୍ରତ ଗଡ଼ନାୟକ, ଗୋବର୍ଦ୍ଧନ ନାୟକ, ଜିତେନ୍ଦ୍ର ସାହୁ, ପିସିସି ସଂପାଦିକା ଶିଳ୍ପିଶ୍ରୀ ହରିଚନ୍ଦନ ଏବଂ ହଜାର ହଜାର ସ୍ଥାନୀୟ ଆଦିବାସୀ ଜନଜାତି, ଅନୁସୂଚିତ ଜାତିର ଲୋକ ଯୋଗଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking