ନୂଆଦିଲ୍ଲୀ: ଲର୍ଡସ୍ ଟେଷ୍ଟ୍କୁ ଭାରତ ୨୨ ରନ୍ରେ ହାରିବା ସହ ୧୪୫ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ଯାଇଛି। ଏକଦା ଭଲ ସ୍ଥିତିରେ ଥିଲେ ମଧ୍ୟ ପଞ୍ଚମ ତଥା ଶେଷ ଦିନରେ ଏହି ମ୍ୟାଚ୍ ଜିତିବା ଲାଗି ଆବଶ୍ୟକ ମାତ୍ର ୧୩୫ ରନ୍ କରି ନପାରି ଶୁବମନ୍ ଗିଲ୍ଙ୍କ ଦଳ ପରାଜିତ ହେବା ପ୍ରଶଂସକଙ୍କୁ ବ୍ୟଥିତ କରିଛି। ପ୍ରଥମ ପାଳିରେ ୱିକେଟ୍ରକ୍ଷକ ଋଷଭ ପନ୍ତଙ୍କ ରନ୍ଆଉଟ୍ ଏହି ମ୍ୟାଚ୍ର ଅନ୍ୟତମ ନିର୍ଣ୍ଣାୟକ ମୋଡ଼ ଥିଲା। ଏକଥା ଅଧିନାୟକ ଶୁବମନ ଗିଲ୍ ମଧ୍ୟ ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ସ୍ବୀକାର କରିଥିଲେ। ଚମତ୍କାର ବ୍ୟାଟିଂ କରୁଥିଲା ବେଳେ ସିଙ୍ଗଲ୍ ଚୋରାଇ ନେଇ କେଏଲ୍ ରାହୁଲଙ୍କୁ ଶତକ ପୂରଣ କରିବା ସୁଯୋଗ ଦେବା ପ୍ରୟାସରେ ପନ୍ତ ନିଜ ୱିକେଟ୍ ହରାଇଥିଲେ। ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ସିଧା ଥ୍ରୋ ଷ୍ଟମ୍ପ୍ସକୁ ଭାଙ୍ଗିବା ବେଳକୁ ସେ କ୍ରିଜ୍ରେ ପହଞ୍ଚି ନଥିଲେ।
ଫଳରେ ୭୪ ରନ୍ରେ ରନ୍ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ରାହୁଲଙ୍କ ସହ ଚତୁର୍ଥ ୱିକେଟ୍ରେ ସେ ୧୪୧ ରନ୍ ଯୋଡ଼ିଥିଲେ। ତେବେ ପନ୍ତ ଭଲ ଫର୍ମରେ ଥିବାରୁ ସେ ରନ୍ଆଉଟ୍ ହୋଇ ନଥିଲେ ଏହି ଯୋଡ଼ି ଆହୁରି ବଡ଼ ଭାଗୀଦାରି କରିପାରିଥା’ନ୍ତେ। କାରଣ ରାହୁଲ ଓ ପନ୍ତ ଓଭର ପିଛା ସାଢ଼େ ୪ରୁ ଅଧିକ ହାରରେ ରନ୍ ସଂଗ୍ରହ କରୁଥିଲେ। ପନ୍ତଙ୍କ ରନ୍ଆଉଟ୍ ପରେ ଏକଦା ଚାପରେ ଥିବା ଇଂଲଣ୍ଡ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଭାରତକୁ ୩୮୭ ରନ୍ରେ ଅଲଆଉଟ୍ କରି ଦେଇଥିଲା। ଇଂଲଣ୍ଡ ମଧ୍ୟ ୩୮୭ ରନ୍ କରିଥିବାରୁ ପ୍ରଥମ ପାଳି ଟାଇ ରହିଥିଲା। ଭାରତ ଏଜ୍ବାଷ୍ଟନ୍ ଟେଷ୍ଟ୍ ଜିତିବାରେ ଅଧିନାୟକ ଶୁବମନ୍ ଗିଲ୍ ପ୍ରମୁଖ ଭୂମିକା ତୁଲାଇଥିଲେ। ଏକାକୀ ୪୩୦ ରନ୍ କରିଥିଲେ ସେ। ହେଲେ ଲର୍ଡସ୍ରେ ଏହି ରନ୍ ମେସିନ୍ଙ୍କୁ ଇଂଲଣ୍ଡ ସଫଳତାର ସହ ରୋକିଥିଲା। ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ କରୁଣ ନାୟରଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା।
ଘରୋଇ କ୍ରିକେଟ୍ରେ ଚମତ୍କାର ପ୍ରଦର୍ଶନ କରି ୮ବର୍ଷ ପରେ ଭାରତୀୟ ଟେଷ୍ଟ୍ ଦଳକୁ ଫେରିଥିବା ନାୟରଙ୍କ ଉପରେ ଦଳୀୟ ଅଧିକାରୀମାନେ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଥିଲେ। ତାଙ୍କୁ ଗୁରୁତ୍ବପୂର୍ଣ୍ଣ ୩ ନମ୍ବର ସ୍ଥାନରେ ବି ଖେଳାଇଥିଲେ। ତେବେ ତିନିଟି ଟେଷ୍ଟ୍ ପରେ ବି ସେ ଗୋଟିଏ ହେଲେ ବି ଅର୍ଦ୍ଧଶତକ ଅର୍ଜନ କରିପାରି ନାହାନ୍ତି। ଲିଡ୍ସରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍ର ପ୍ରଥମ ପାଳିରେ ଖାତା ଖୋଲି ପାରି ନଥିଲେ ସେ। ଦ୍ବିତୀୟରେ ୨୦ ରନ୍ କରି ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ସେହିଭଳି ବର୍ମିଂହାମରେ ୩୧ ଓ ୨୬ ରନ୍ କରିଥିଲେ ବି ଏହାକୁ ବଡ଼ ସ୍କୋର୍ରେ ରୂପାନ୍ତର କରିପାରି ନଥିଲେ। ଲର୍ଡସ ଟେଷ୍ଟ୍ର ପ୍ରଥମ ପାଳିରେ ଲଢ଼ୁଆ ୪୦ ରନ୍ କରିବା ପରେ ଦ୍ବିତୀୟରେ ମାତ୍ର ୧୪ ରନ୍ କରିଥିଲେ। ଭାରତୀୟ ପୁରୁଷ ଓ ମହିଳା ଦଳର କ୍ରିକେଟର୍ମାନେ ମଙ୍ଗଳବାର ଇଂଲଣ୍ଡର ରାଜା କିଙ୍ଗ୍ ଚାର୍ଲସ୍ଙ୍କୁ ତାଙ୍କ ଲଣ୍ଡନସ୍ଥିତ କ୍ଲିଅରାନ୍ସ ହାଉସ୍ ବାସଭବନରେ ଭେଟିଥିଲେ।
ଏହି ଅବସରରେ ଲର୍ଡସ ଟେଷ୍ଟ୍ ଫଳାଫଳକୁ ନେଇ କିଙ୍ଗ୍ ଚାର୍ଲସ ଗିଲ୍ ବାହିନୀ ସହ ଆଲୋଚନା କରିଥିଲେ। ଓପନର୍ ଯଶସ୍ବୀ ଜୟସ୍ବାଲଙ୍କ ବେପରୁଆ ସଟ୍ ଚୟନ ମଧ୍ୟ ଭାରତର ଲର୍ଡସ୍ ପରାଜୟର ଅନ୍ୟତମ କାରଣ ବୋଲି କୁହାଯାଇପାରେ। ବିଶେଷ କରି ଦ୍ବିତୀୟ ପାଳିରେ ଜୋଫ୍ରା ଆର୍ଚରଙ୍କ ଦ୍ରୁତ ଗତିକୁ ସମ୍ମୁଖୀନ ହେବା ତାଙ୍କ ପାଇଁ କାଠିକର ପାଠ ହୋଇଥିଲା। ଶେଷରେ ଏକ ଦୁର୍ବଳ ସଟ୍ ଖେଳି ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରି ଯାଇଥିଲେ। ସେହିଠାରୁ ହିଁ ଭାରତର ଅଧୋପତନ ଆରମ୍ଭ ହୋଇଥିଲା। ଦ୍ବିତୀୟ ପାଳିରେ ଲଢ଼ିଥିଲେ ମଧ୍ୟ ପ୍ରଥମରେ ଭାରତ ନିମ୍ନକ୍ରମ ପୂରା ନିରାଶ କରିଥିଲା। ଇଂଲଣ୍ଡର ୩୮୭ ରନ୍ ଜବାବରେ ଭାରତ ୬ ୱିକେଟ୍ ବିନିମୟରେ ୩୭୬ ରନ୍ କରି ନେଇଥିଲା। ଫଳରେ ପ୍ରଥମ ପାଳିରେ ଅଗ୍ରଣୀ ପାଇବ ବୋଲି ଆଶା କରାଯାଉଥିଲା। ଭାରତୀୟ କ୍ରିକେଟ୍ ଦଳ ପୁଣି ଥରେ ଏକାଧିକ କ୍ୟାଚ୍ ହାତଛଡ଼ା କରି ଇଂଲଣ୍ଡକୁ ସମ୍ମାନଜନକ ସ୍କୋର୍ କରିବାର ସୁଯୋଗ ଦେଇଥିଲା। ଇଂଲଣ୍ଡର ପ୍ରଥମ ପାଳିରେ ହିଁ ଭାରତ ଅନ୍ୟୂନ ଚାରିଟି କ୍ୟାଚ୍ ଛାଡ଼ିଥିଲା।










