ଭୁବନେଶ୍ୱର: ଟାଟା ଷ୍ଟିଲ କଳିଙ୍ଗନଗରର ଭାଇସ୍ ପ୍ରେସିଡେଣ୍ଟ ରାଜୀବ କୁମାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ରାଜୀବ କୁମାରଙ୍କ ଇସ୍ତଫା ପରେ କର୍ପୋରେଟ୍ ଜଗତରେ ହଇଚଇ ସୃଷ୍ଟି ହୋଇଛି । କୁହାଯାଉଛି ରାଜୀବ କୁମାର ଏବେ ବେଦାନ୍ତ ଗ୍ରୁପରେ ସାମିଲ ହୋଇପାରନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜୀବକୁମାରଙ୍କ ତରଫରୁ ଏନେଇ କିଛି ସ୍ପଷ୍ଟ କରାଯାଇ ନାହିଁ । ଗତକାଲି ରାଜୀବ କୁମାର ଟାଟା ଷ୍ଟିଲ୍ର ସିଇଓ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ଟି.ବି ନରେନ୍ଦ୍ର ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଇସ୍ତଫା ସମ୍ପର୍କରେ ରାଜୀବ କୁମାର ତାଙ୍କ ଅଧୀନସ୍ଥ ଅଧିକାରୀ ଏବଂ ୟୁନିଅନ ନେତାମାନଙ୍କୁ ମଧ୍ୟ ଜଣାଇଥିଲେ । ତେବେ ରାଜୀବଙ୍କ ଇସ୍ତଫା କମ୍ପାନୀ ପାଇଁ ଏକ ବଡ଼ ରଣନୈତିକ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି କୁହାଯାଉଛି । କାରଣ ସେ ଟାଟା ଷ୍ଟିଲ କଳିଙ୍ଗନଗରର ପ୍ରକଳ୍ପର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଧିକାରୀଙ୍କ ମଧ୍ୟରୁ ଜଣେ ଥିଲେ । ରାଜୀବ କୁମାର ୨୫ ବର୍ଷ ଧରି ଟାଟା ଷ୍ଟିଲ ସହ ଜଡିତ ଥିଲେ ।
ଟାଟା ଷ୍ଟିଲର ରଣନୀତି ଏବଂ ବିଭିନ୍ନ ପ୍ରକଳ୍ପ ପାଇଁ ମହତ୍ବପୂର୍ଣ୍ଣ ନିଷ୍ପତ୍ତି ନେଉଥିବା ଅଧିକରୀଙ୍କ ମଧ୍ୟରେ ତାଙ୍କ ନାମ ପ୍ରଥମେ ଆସିଥାଏ । ତାଙ୍କୁ ଜଣେ ପ୍ରମୁଖ ନିଷ୍ପତ୍ତି ନିର୍ମାତା ଭାବରେ ବିବେଚନା କରାଯାଉଥିଲା । ବିଶେଷକରି କଳିଙ୍ଗନଗର ପ୍ରୋଜେକ୍ଟକୁ ସଫଳ କରିବାରେ ରାଜୀବ କୁମାରଙ୍କ ବଡ ଯୋଗଦାନ ରହିଛି । ଯେଉଁଥିପାଇଁ କି ତାଙ୍କ ଇସ୍ତଫାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଏପଟେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ରାଜୀବ କୁମାର ବେଦାନ୍ତ ଗ୍ରୁପରେ ଏକ ବଡ ଦାୟିତ୍ବ ନେବାକୁ ଯାଉଥିବା ଚର୍ଚ୍ଚା ବି ଚାଲିଛି ।