ନୂଆଦିଲ୍ଲୀ: ଟି-୨୦ ୱାର୍ଲ୍ଡକପ୍ ବିଜୟ ପରେ ଅଧିନାୟକ ରୋହିତ ଶର୍ମା ଅନ୍ତର୍ଜାତୀୟ ଟି-୨୦ ଫର୍ମାଟ୍ରୁ ଅବସର ଘୋଷଣା କରିଛନ୍ତି । ତେବେ ରୋହିତଙ୍କ ପରେ କିଏ ଟି-୨୦ ଟିମ୍ର ଅଧିନାୟକତ୍ୱ ଦାୟିତ୍ୱ ଗ୍ରହଣ କରିବେ, ବିସିସିଆଇ କାହା ଉପରେ ଏହି ଗୁରୁଦାୟିତ୍ୱ ନ୍ୟସ୍ତ କରିବ ଏସବୁ ପ୍ରଶ୍ନ ଏବେ ଭାରତୀୟ କ୍ରିକେଟ୍ ପାଇଁ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ରିପୋର୍ଟ ଅନୁସାରେ ରୋହିତ୍ଙ୍କ ବିକଳ୍ପ ଭାବେ ବିସିସିଆଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ହୁଏତ ଦେଖିପାରେ । କାରଣ ବର୍ତ୍ତମାନ ସମୟରେ ହାର୍ଦ୍ଦିକ ଏହି ପଦ ପାଇଁ ଦୃଢ଼ ଦାବିଦାର ଭାବେ ଉଭା ହୋଇଛନ୍ତି ।
ତେବେ କେବଳ ହାର୍ଦ୍ଦିକ ନୁହଁନ୍ତି, ଭାରତୀୟ କ୍ରିକେଟ୍ ଟିମ୍ରେ ଜସ୍ପ୍ରୀତ୍ ବୁମରାଙ୍କ ଠାରୁ ଆରମ୍ଭ କରି ଆଉ କିଛି ଖେଳାଳୀ ଅଛନ୍ତି ଯେଉଁମାନେ ଟି-୨୦ ଫର୍ମାଟ୍ରେ ଭାରତକୁ ପ୍ରତିନିଧିତ୍ୱ କରିବା ପାଇଁ ସର୍ବାଧିକ ଯୋଗ୍ୟ ବୋଲି ବିବେଚନା କରାଯାଉଛି । ଏମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ଏବଂ ଋଷଭ୍ ପନ୍ତ୍ ମଧ୍ୟ ଅଧିନାୟକ ଦୌଡରେ ଅଗ୍ରଣୀ ରହିଛନ୍ତି । ହାର୍ଦ୍ଦିକଙ୍କ ପାଖରେ ଆଇପିଏଲ୍ରେ ଗୁଜରାଟ ଟାଇଟନ୍ସକୁ ଥରେ ଚାମ୍ପିଅନ୍ (୨୦୨୨) ଏବଂ ଥରେ ଉପଚାମ୍ପିଅନ୍ (୨୦୨୩) କରିବାର ଅଭିଜ୍ଞତା ସହ ୧୦୦ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରହିଛି । ଏଥିମଧ୍ୟରୁ ୧୬ଟି ମ୍ୟାଚ୍ରେ ସେ ଭାରତ ପାଇଁ ଅଧିନାୟକତ୍ୱ କରିଥିବା ବେଳେ ଏଥିରୁ ୧୦ଟି ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି । ସେହିପରି ସୂର୍ଯ୍ୟକୁମାର ଯାଦବ୍ଙ୍କ ପାଖରେ ମୋଟ୍ ୬୮ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରହିଥିବା ବେଳେ ଏଥିମଧ୍ୟରୁ ୭ଟି ମ୍ୟାଚ୍ରେ ସେ ଅଧିନାୟକତ୍ୱ କରିଛନ୍ତି । ସେଥିରୁ ୫ଟି ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି । ଏତଦ୍ବ୍ୟତୀତ ଋଷଭ୍ ପନ୍ତ୍, ସୂର୍ଯ୍ୟ କୁମାର ଯାଦବଙ୍କ ଠାରୁ ଅଧିକ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରଖିଛନ୍ତି । ଯସପ୍ରୀତ୍ ବୁମରା ମଧ୍ୟ ୨ଥର ଭାରତ ପାଇଁ ଅଧିନାୟକତ୍ୱ କରିବାର ସୁଯୋଗ ପାଇଥିବା ବେଳେ ୨ଥର ଯାକ ଭାରତକୁ ବିଜୟୀ କରାଇଛନ୍ତି । ସେହିପରି ତାଙ୍କ ପାଖରେ ମୋଟ୍ ୭୦ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରଖିଛନ୍ତି ।
ତେବେ ଏସବୁ ମଧ୍ୟରେ ବିସିସିଆଇ ସଚିବ ଜୟ ଶାହା ଏହାର ଉତ୍ତର ଦେଇଛନ୍ତି । ସେ କହିଛନ୍ତି ଯେ, ଅଧିନାୟକ କିଏ ହେବ ତା’ର ନିଷ୍ପତ୍ତି ଚୟନକର୍ତ୍ତା ନେବେ । ଆମେ ସେମାନଙ୍କ ସହ ଆଲୋଚନା କରିବା ପରେ ଏହା ବିଷୟରେ ଘୋଷଣା କରିବୁ । ଲୋକେ ହାର୍ଦ୍ଦିକଙ୍କ ଫର୍ମକୁ ନେଇ ତାଙ୍କୁ ଟ୍ରୋଲ କରିଥିଲେ । କିନ୍ତୁ ଆମେ ଏବଂ ଚୟନକର୍ତ୍ତାମାନେ ତାଙ୍କ ଉପରେ ବିଶ୍ୱାସ ପ୍ରଦର୍ଶନ କରିଥିଲୁ ଏବଂ ସେ ନିଜକୁ ପ୍ରମାଣ କରିଥିଲେ । ତାଙ୍କର ଏଭଳି ବୟାନ ପରେ ହାର୍ଦ୍ଦିକଙ୍କୁ ହିଁ ଅଧିନାୟକତ୍ୱ ଦିଆଯାଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।










