ଅପରିପକ୍ୱ ସରକାରଙ୍କ ଅନୁଭବ ଓ ଅନୁଭୂତି ବିହୀନ କାର୍ଯ୍ୟର ଜ୍ୱଳନ୍ତ ଉଦାହରଣ
ନିର୍ବାଚନ ପରିଚାଳନା ଏଭଳି ଖାମଖିଆଲି ଢଙ୍ଗରେ କରାଯାଏ କି ?
ସାମ୍ବିଧାନିକ ସଂସ୍ଥା ଭାବେ ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟ କରିବା ଆବଶ୍ୟକ
ଭୁବନେଶ୍ୱର : ତି୍ରସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଖାଲିଥିବା ୧୧୩୧ ପଦବୀ ସକାଶେ ଉପନିର୍ବାଚନ ନିମନ୍ତେ ଗତକାଲି ତାରିଖରେ ଆଜି ରାଜ୍ୟ ନିର୍ବାଚନ କମିଶନ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଆଜି ସନ୍ଧ୍ୟାରେ ସେହି ବିଜ୍ଞପ୍ତିର ବାତିଲ ସମ୍ବନ୍ଧିତ ଅନ୍ୟ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ନିର୍ବାଚନ କମିଶନ ଏଭଳି ନିଷ୍ପତ୍ତି କାହା ଚାପର ବଶବର୍ତ୍ତୀ ହୋଇ ନେଇଛନ୍ତି ବୋଲି ବିଜୁ ଜନତା ଦଳ ପ୍ରଶ୍ନ କରିଛି । ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ ମହାନ୍ତି ରାଜ୍ୟ ସରକାରଙ୍କ ଅପରିପକ୍ୱ ଓ ଅନୁଭୂତି ବିହୀନ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଡ଼ ମହାନ୍ତି କହିଥିଲେ ଯେ, ରାଜ୍ୟ ନିର୍ବାଚନ କମିଶନ ଏକ ସାମ୍ବିଧାନିକ ସଂସ୍ଥା । ୨୪ ଘଣ୍ଟା ମଧ୍ୟରେ ଏଭଳି ନିଷ୍ପତ୍ତି ପରିବର୍ତ୍ତନ କରିବା କମିଶନଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମୌସୁମୀ ଆଗମନର ଆଳ ଦେଖାଇ ୨୪ ଘଣ୍ଟା ଭିତରେ ବିଜ୍ଞପ୍ତି ବାତିଲ ଗ୍ରହଣୀୟ ନୁହେଁ । ବିଜ୍ଞପ୍ତି ପ୍ରକାଶ କରିବା ସମୟରେ ସରକାର କ’ଣ ମୌସୁମୀ ଆଗମନ ବିଷୟରେ ଅବଗତ ନଥିଲେ କି ? ସରକାରକୁ ଆସିବାର ୧ ବର୍ଷ ବିତିଯାଇଥିଲେ ମଧ୍ୟ ବିଜେପି ତାର ଅପାରଗତା ପାଇଁ ଲୋକଙ୍କୁ ସମ୍ମୁଖୀନ ହେବାକୁ ଭୟ କରୁଛି । ଯେଉଁଥି ପାଇଁ ମୌସୁମୀ ଆଗମନର ଆଳ ଦେଖାଇ ୨୪ ଘଣ୍ଟା ଭିତରେ ବିଜ୍ଞପ୍ତି ବାତିଲ କରାଯାଇଛି । ବିଜେପି ସରକାରଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ଡବଲ ଇଞ୍ଜିନ ସରକାରଙ୍କ ତି୍ରସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତି ଏହା ଡବଲ ଧୋକା ।