ନୂଆଦିଲ୍ଲୀ: ୱାକଫ୍ ସଂଶୋଧନ ଆଇନ୍କୁ କେନ୍ଦ୍ର କରି ପଶ୍ଚିମବଙ୍ଗର ମୁର୍ଶିଦାବାଦ୍ ଏବଂ ଅନ୍ୟ ଜିଲ୍ଲାଗୁଡ଼ିକରେ ଘଟିଥିବା ହିଂସାକାଣ୍ଡ ଘଟଣା ଏବେ ସୁପ୍ରିମକୋର୍ଟରେ ପହଞ୍ôଚଛି। ରିପୋର୍ଟ ଅନୁସାରେ ଏହି ହିଂସାକାଣ୍ଡ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ୍ (ଏସ୍ଆଇଟି) ଗଠନ ଦାବି ପୂର୍ବକ ଏକାଧିକ ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟଙ୍କ ନିକଟରେ ଦାୟର କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଡଭୋକେଟ୍ ଶଶାଙ୍କ ଶେଖର ଝା’ କହିଛନ୍ତି, ହିଂସା ଏବଂ ମୃତ୍ୟୁଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରିବାକୁ ଏବଂ ସୁପ୍ରିମକୋର୍ଟ ତଦନ୍ତ ଉପରେ ନଜର ରଖିବାକୁ ଦାବି କରାଯାଇଛି।
ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବା ବିଷୟରେ ସ୍ପଷ୍ଟୀକରଣ ଲୋଡ଼ିବା ଉଚିତ୍ ଏବଂ ଜୀବନ ରକ୍ଷା ଏବଂ ଏପ୍ରକାର ହିଂସାକୁ ରୋକିବା ପାଇଁ ପଦକ୍ଷେପ ନେବା ଉଚିତ୍। ନୂଆ ୱାକଫ୍ ଆଇନ୍କୁ ବିରୋଧ କରି ଗତ ସପ୍ତାହରେ ମୁର୍ଶିଦାବାଦ ସହ ଦକ୍ଷିଣ ୨୪ ପ୍ରଗଣା, ମାଲଦା ଏବଂ ହୁଗଲି ସମେତ ବଙ୍ଗଳାର ଅନେକ ଜିଲ୍ଲାରେ ବ୍ୟାପକ ହିଂସାକାଣ୍ଡ ସଂଘଠିତ ହୋଇଯାଇଛି। ବିଶେଷକରି ମୁର୍ଶିଦାବାଦ୍ ଜିଲ୍ଲାରେ ଗୋଟିଏ ପରିବାରର ବାପ ପୁଅ ଏବଂ ଅନ୍ୟଜଣଙ୍କୁ ମିଶାଇ ୩ ଜଣ ମୃତ୍ୟୁବରଣ କରିଥିଲେ ଏବଂ ୧୦୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ। ପୁଲିସ୍ ପ୍ରଶାସନ ଯଦିଓ ଏହି ଘଟଣାରେ ୨୦୦ ରୁ ଅଧିକ ଲୋକଙ୍କୁ ଗିରଫ କରିସାରିଛି କିନ୍ତୁ ପରିବେଶ ଏବେ ବି ଅଶାନ୍ତ ରହିଛି।
ସଂସଦର ଉଭୟ ଗୃହରେ ୱାକଫ୍ ସଂଶୋଧନ ଆଇନ ଗୃହୀତ ହେବା ପରେ, ଏହାକୁ ରାଷ୍ଟ୍ରପତି ମଧ୍ୟ ସ୍ୱୀକୃତି ପ୍ରଦାନ କରିସାରିଛନ୍ତି। ଫଳରେ ଏବେ ଏହା ଏକ ଆଇନରେ ପରିଣତ ହେବା ସହ ଦେଶବ୍ୟାପୀ କାର୍ଯ୍ୟକାରୀ ମଧ୍ୟ ହୋଇସାରିଛି। ତେବେ ଦେଶର ଅଧିକାଂଶ ମୁସଲିମ ସଂଗଠନ ଏହି ଆଇନକୁ ବିରୋଧ କରୁଛନ୍ତି। ସମାନ କ୍ରମରେ, ମୁର୍ଶିଦାବାଦ ସମେତ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ୱାକଫ୍ ଆଇନକୁ ବିରୋଧ କରୁଥିବା ପ୍ରଦର୍ଶନକାରୀମାନେ ବ୍ୟାପକ ହିଂସାତ୍ମକ ଆଚରଣ ଭିଆଇବାରେ ଲାଗିଛନ୍ତି। ଏସବୁ ମଧ୍ୟରେ ସୋମବାର ୨୪ ପ୍ରଗଣା ଜିଲ୍ଲାରେ ପୁଣିଥରେ ହିଂସାକାଣ୍ଡ ଭଡକିଥିବା ସୂଚନା ମିଳିଛି। ଜିଲ୍ଲାର ଭାଙ୍ଗର ଅଞ୍ଚଳରେ, ପ୍ରଦର୍ଶନକାରୀମାନେ ପୁଲିସ ଗାଡ଼ିଗୁଡ଼ିକୁ ନିଆଁ ଲଗାଇ ଦେବା ସହ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଘଟଣା ପରେ ୨୪ ପ୍ରଗଣାରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ସୂଚନା ଅନୁସାରେ ଆଇଏସ୍ଏଫ ବିଧାୟକ ନୌସାଦ ସିଦ୍ଦିକି ୱାକଫ ଆଇନ ବିରୋଧରେ ପ୍ରତିବାଦ କରୁଥିଲେ, ଯେଉଁଥିରେ ପୁଲିସ ପ୍ରତିବାଦକାରୀଙ୍କୁ ଯୋଗଦେବାରୁ ବାରଣ କରିଥିଲା। ଏହା ପରେ ପ୍ରଦର୍ଶନକାରୀମାନେ ଉତ୍ତ୍ୟକ୍ତ ହୋଇ ବରମପୁରରେ ରାସ୍ତା ଅବରୋଧ କରିଥିଲେ। ଏହା ପରେ ପୋଲିସ ମଧ୍ୟ ଲାଠିଚାର୍ଜ କରିଥିଲା।