14.1 C
Bhubaneswar
Friday, January 10, 2025
Homeଓଡିଶାଓଡ଼ିଶା ଲୋକଙ୍କୁ ମାରିଦେବୁ ଜାଳିଦେବୁ... ଓଡ଼ିଶାରେ ପହଞ୍ଚି ପୁରା ଘଟଣା ବଖାଣିଲେ ପଶ୍ଚିମବଙ୍ଗ ଫେରନ୍ତା

ଓଡ଼ିଶା ଲୋକଙ୍କୁ ମାରିଦେବୁ ଜାଳିଦେବୁ… ଓଡ଼ିଶାରେ ପହଞ୍ଚି ପୁରା ଘଟଣା ବଖାଣିଲେ ପଶ୍ଚିମବଙ୍ଗ ଫେରନ୍ତା

ବାଲେଶ୍ୱର: ଓଡ଼ିଶା ଫେରିଲେ ପଶ୍ଚିମବଙ୍ଗରେ ଅଟକ ଥିବା ଓଡ଼ିଆ । ୧୫୫ରୁ ଅଧିକ ଓଡ଼ିଆ ଲୋକେ ସୁରକ୍ଷିତ ଉଦ୍ଧାର ହୋଇ ଓଡ଼ିଶାରେ ପହଞ୍ଚିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରୁ ଏହି ଲୋକମାନେ ପଶ୍ଚିମବଙ୍ଗର ମେଦିନିପୁର ଜିଲ୍ଲା ପଞ୍ଚୁଖଡିକା ଅଞ୍ଚଳର ଜଣେ କବିରାଜଙ୍କ ପାଖକୁ ଚିକିତ୍ସା ପାଇଁ ଯାଇଥିଲେ । ଏହି ସମୟରେ ସେଠାରେ କିଛି ଲୋକେ ଓଡ଼ିଆ ଲୋକମାନଙ୍କୁ ଅଟକାଇବା ସହ ଆକ୍ରମଣ କରିଥିଲେ । ଏନେଇ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ହସ୍ତକ୍ଷେପ ପରେ ସ୍ଥାନୀୟ କେଶପୁର ପୋଲିସ ସମସ୍ତ ଅଟକ ଥିବା ଓଡ଼ିଆଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା ।

ହେଲେ ଆକ୍ରମଣକାରୀମାନେ ଥାନାରେ ପହଞ୍ଚି ଗଣ୍ଡଗୋଳ କରିବାରୁ ସେନା ସହାୟତାରେ ଅଟକମାନଙ୍କୁ ଏକ ବାତ୍ୟା ଆଶ୍ରୟସ୍ଥଳୀରେ ସୁରକ୍ଷିତ ରଖାଯାଇଥିଲା । ଏହାପରେ କେଶପୁର ପୋଲିସ ଓଡ଼ିଆମାନଙ୍କୁ ଉଦ୍ଧାର କରି ରାତି ପ୍ରାୟ ଗୋଟାଏ ସମୟରେ ଓଡ଼ିଶା ସୀମା ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ଆଣି ପହଞ୍ଚାଇଥିଲା । ସେଠାରେ ଜଳେଶ୍ୱର ପୋଲିସ ସେମାନଙ୍କୁ ଖାଦ୍ୟ, ପାନୀୟ ଜଳ ଦେବା ସହ ଜଳେଶ୍ୱର ପୋଲିସ ସୁରକ୍ଷା ଭିତରେ ଓଡ଼ିଶାରେ ଆଣି ଛାଡିଛନ୍ତି । ଯାହା ସୂଚନା ମିଳିଛି, ଦୁଇଟି ବସ୍‌, ତିନୋଟି ବୋଲେରୋ ଓ ଗୋଟିଏ କାରରେ ନୀଳଗିରି, ମିତ୍ରପୁର, କଲ୍ୟାଣି ଏବଂ ମୟୂରଭଞ୍ଜ ବିଷୋଇ ଅଞ୍ଚଳର ଲୋକେ ଚିକିତ୍ସା ପାଇଁ ପଶ୍ଚିମବଙ୍ଗ ମେଦିନୀପୁରକୁ ଯାଇଥିଲେ ।

ଏହି ଘଟଣା ନେଇ ଜଳେଶ୍ୱର ଏସଡିପିଓ ଦିଲ୍ଲୀପ ସାହୁ କହିଛନ୍ତି, “ଆମର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଥିଲା । ଅଟକ ଓଡିଆମାନେ ଆସି ଲକ୍ଷ୍ମଣନାଥ ଟୋଲ୍ ଗେଟରେ ପହଞ୍ଚିଛନ୍ତି । ସେମାନେ ଯେଉଁ ଜାଗାରୁ ସବୁ ଆସିଛନ୍ତି ସେମାନଙ୍କୁ ପଠାଇବାର ବନ୍ଦୋବସ୍ତ କରୁଛୁ । ସେମାନେ ସୁରୁଖୁରୁରେ କେମିତି ନିଜ ନିଜ ସ୍ଥାନରେ ପହଞ୍ଚିବେ ସବୁ ବ୍ୟବସ୍ଥା କରାଯାଇଛି । ପଶ୍ଚିମବଙ୍ଗ ଫେରନ୍ତା ବରମିତ୍ରପୁର ଅଞ୍ଚଳର ପ୍ରଦୀପ ନାୟକ କହିଛନ୍ତି, “ଆମେ କବିରାଜ ଚିକିତ୍ସା ପାଇଁ ମେଦିନାପୁର ପଞ୍ଚୁଖଡିକା ଅଞ୍ଚଳକୁ ଯାଇଥିଲୁ । ସେଠାରେ ପୂର୍ବାହ୍ନ ୧ଟା ବେଳେ ଓହ୍ଲାଇବା ପରେ ୧୦ ଜଣ ଲୋକ ଆମ ଗାଡ଼ି ପାଖକୁ ଆସି ଅଟକ ରଖିଥିଲେ । ‘ଓଡିଶା ଗାଡ଼ି ଆସିଛି ଏମାନେ ଓଡ଼ିଶା ଲୋକ’ ଏମିତି କହି ଓଡ଼ିଶାରେ ଆମ ଲୋକଙ୍କୁ ସବୁ ମାରପିଟ୍ କରୁଛ, ଫେରିବାଲାଙ୍କୁ ହଇରାଣ କରୁଛ ବୋଲି କହିଥିଲେ । ଏହାପରେ ଆଉ ୨୦ରୁ ୩୦ ଜଣ ଲୋକ ଆସି ଆମ ଗାଡିରେ ନିଆଁ ଲଗାଇଦେବାକୁ କହି ପାଟିତୁଣ୍ଡ ଆରମ୍ଭ କଲେ । ପ୍ରାୟ ଘଣ୍ଟାଏ ପରେ ପୋଲିସ ଆସି ଆମମାନଙ୍କୁ ଉଦ୍ଧାର କରି କେଶପୁର ଥାନାକୁ ନେଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking