30.1 C
Bhubaneswar
Friday, March 20, 2026
Homeଓଡିଶାଟଙ୍କା ଦ୍ୱାରା ନୁହେଁ ଲୋକଙ୍କ ହୃଦୟ ଜିଣି ନିର୍ବାଚନ ଲଢ଼ିବୁ : ଭକ୍ତ

ଟଙ୍କା ଦ୍ୱାରା ନୁହେଁ ଲୋକଙ୍କ ହୃଦୟ ଜିଣି ନିର୍ବାଚନ ଲଢ଼ିବୁ : ଭକ୍ତ

ନୂଆପଡ଼ା / ଭୁବନେଶ୍ୱର: ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ବହୁ ପ୍ରତିକ୍ଷୀତ ନ୍ୟାୟ ଯାତ୍ରା ଏବଂ ସମାବେଶ ଖରିଆରରୁ ନୂଆପଡା ଅଭିମୁଖେ ଆରମ୍ଭ କରିଛନ୍ତି । ଉତ୍କେଲା ବିମାନ ବନ୍ଦରରୁ ଖରିଆର ପହଞ୍ଚିବା ପରେ କଂଗ୍ରେସର ନେତୃବୃନ୍ଦ ଏବଂ ହଜାର ହଜାର କର୍ମକର୍ତ୍ତା ଶ୍ରୀ ଦାସଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଏକ ବିଶାଳ ବାଇକ୍ ରାଲିରେ ଖରିଆର ରୋଡ଼ର ନ୍ୟାୟ ସମାବେଶ ସଭା ସ୍ଥଳକୁ ନେଇଥିଲେ । ନୂଆପଡା ବିଧାୟକ ପ୍ରାର୍ଥୀ ତଥା ଜିଲ୍ଲା ସଭାପତି ସଭାପତି ଘାସିରାମ ମାଝୀ ଶ୍ରୀ ଦାସଙ୍କୁ ସ୍ୱାଗତ କରିଥିଲେ ।

ଶ୍ରମିକଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ନ୍ୟାୟ ସମାବେଶରେ ପିସିସି ସଭାପତି ଶ୍ରୀ ଦାସ ସଭାକୁ ଉଦବୋଧନ ଦେଇ କହିଲେ, କନ୍ୟାକୁମାରୀରୁ କାଶ୍ମୀର ରାହୁଳ ଗାନ୍ଧୀଙ୍କ ପଦଯାତ୍ରା କଂଗ୍ରେସ ପାଇଁ ସଂଜୀବନୀ ସଦୃଶ । କଂଗ୍ରେସର ପ୍ରତ୍ୟେକ କର୍ମକର୍ତ୍ତାଙ୍କ ପାଇଁ ଏହା ଏକ ପ୍ରେରଣା । ବିହାରରେ ରାହୁଳ ଗାନ୍ଧୀଙ୍କ ଯାତ୍ରାରେ ମୁଁ ଅଂଶଗ୍ରହଣ କରିଥିଲି ଏବଂ ଏହା ମତେ ଆଗକୁ ସଂଘର୍ଷ କରିବା ପାଇଁ ଅନେକ ଉତ୍ସାହିତ କରିଛି । ନୂଆପଡା ମାଟିର ପୁଅ ଉଦୀୟମାନ କଂଗ୍ରେସ ନେତା ଘାସିରାମ ମାଝିଙ୍କ ବଳିଷ୍ଠ ନେତୃତ୍ୱରେ ଆମେ ଶ୍ରମିକ, ବଞ୍ଚିତ, ଦଳିତ ଏବଂ ଆଦିବାସୀଙ୍କ ନ୍ୟାୟର ଲଢେଇ କରିବୁ । ଭାରତ ସରକାରଙ୍କ ଆଇନ ଅନୁଯାୟୀ ଆମେ ସମସ୍ତଙ୍କୁ ଜମି ପଟ୍ଟା ପ୍ରଦାନ କରିବୁ । ଅଧିକାରରୁ ବଞ୍ଚିତ ହେଉଥିବା ସମସ୍ତଙ୍କ ନ୍ୟାୟ ପାଇଁ ଲଢେଇ ହେଉଛି ରାହୁଳ ଗାନ୍ଧୀଙ୍କ ପ୍ରତିଜ୍ଞା ।ଭୋଟ ଚୋରୀ ଗତ ନିର୍ବାଚନରେ ହୋଇଥିଲା ଓଡିଶାରେ ମଧ୍ୟ ହୋଇଛି କାରଣ ବିଜେଡିର ୫୦ ରୁ ଉର୍ଧ୍ଵ ବିଧାୟକ ନିର୍ବାଚନ ଜିତିବା ସତ୍ୱେ କେମିତି ଗୋଟିଏ ମଧ୍ୟ ଏମପି ସିଟ ବିଜେଡି ଜିତିଲା ନାହିଁ । ଏଥିରୁ ଭୋଟ ଚୋରୀ ସ୍ପଷ୍ଟ ପ୍ରମାଣିତ ହେଉଛି । ତେଣୁ ଲୋକଙ୍କୁ ଭୋଟ ଚୋରୀ ବିଷୟରେ ସଜାଗ କରିବା ପାଇଁ କଂଗ୍ରେସ ବିରାଟ ଦସ୍ତଖତ ଅଭିଯାନ ପଞ୍ଚାୟତରୁ ସହର ପର୍ଯ୍ୟନ୍ତ ଆରମ୍ଭ କରିଛି । ବିଜେଡି ଏବଂ ବିଜେପି ଭଳିଆ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆମେ ନିର୍ବାଚନ ଲଢ଼ିବୁ ନାହିଁ । ଆମେ ଗାଁ ଗାଁ ଯାଇ ଭୋଟ ଭିକ୍ଷା କରିବୁ ଲୋକଙ୍କ ସହିତ ମିଶିବୁ । କଂଗ୍ରେସ ଜିଲ୍ଲା ସଭାପତି ଶ୍ରୀ ମାଝୀ ଜଣେ ଅତ୍ୟନ୍ତ ପରୋପକାରୀ ଏବଂ ସାମାଜିକ ନ୍ୟାୟ ପାଇଁ ସଂଘର୍ଷଶୀଳ ନେତା । ଆମେ ସମସ୍ତେ ମିଶି ଲଢେଇ କରି ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇ କଂଗ୍ରେସକୁ ଜୟଯୁକ୍ତ କରିବୁ ବୋଲି ପିସିସି ସଭାପତି ତାଙ୍କ ବକ୍ତବ୍ୟ ରଖିଥିଲେ ।

ନୂଆପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ନ୍ୟାୟ ସମାବେଶରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। କଂଗେସ ଏବଂ ଜନନାୟକ ରାହୁଲ ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପିସିସି ସଭାପତି ଶ୍ରୀ ଦାସଙ୍କ ନେତୃତ୍ବକୁ ଆସ୍ଥା ପ୍ରକଟ କରି ନୂଆପଡ଼ା ଜିଲ୍ଲାର ବହୁ ଯୁବ କର୍ମୀ ଓ ନେତା ବିଜେପି ଦଳ ପରିତ୍ୟାଗ କରି କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ପିସିସି ସଭାପତି ଶ୍ରୀ ଦାସ ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ଵାଗତ କରିଥିଲେ। ଆଜିର ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଉପ ସଭାପତି ସନ୍ତୋଷ ସିଂହ ସାଲୁଜା, କଂଗ୍ରେସ ନେତା ଭାରତ ଭୁଷଣ ବେମାଲ , ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସାଗରିଆ ପ୍ରମୁଖ ବହୁ ନେତୃବୃନ୍ଦ, ଜିଲ୍ଲା ଏବଂ ରାଜ୍ୟସ୍ତରୀୟ କର୍ମକର୍ତ୍ତା ଓ ହଜାର ହଜାର ସଂଖ୍ୟାରେ ମହିଳା,ଯୁବ, ଛାତ୍ର ଯୋଗଦେଇଥିଲେ। ସୂଚନାଯୋଗ୍ୟ ଆଗାମୀ ତିନିଦିନ ପିସିସି ସଭାପତି ଶ୍ରୀ ଦାସ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ସମସ୍ତ ବର୍ଗର ନେତୃବୃନ୍ଦ ଏବଂ ସାଧାରଣ ଜନତାଙ୍କୁ ଭେଟି ଭୋଟ ଭିକ୍ଷା କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking