27.1 C
Bhubaneswar
Tuesday, January 13, 2026
Homeଓଡିଶାବିଜେଡି ପାଇଁ ସତର୍କ ଘଣ୍ଟି

ବିଜେଡି ପାଇଁ ସତର୍କ ଘଣ୍ଟି

ଭୁବନେଶ୍ୱର : ସଭ୍ୟ ସମାପ୍ତ ହୋଇଥିବା ନୂଆପଡ଼ା ଉପନିର୍ବାଚନ ଫଳାଫଳକୁ ନେଇ ଅନେକ ରାଜନୈତିକ କଳ୍ପନା ଜଳ୍ପନା ରାଜ୍ୟରେ ଚାଲିଛି।ଏହି ଫଳାଫଳରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ବିଜୁ ଜନତା ଦଳ ପାଇଁ ଏହି ଫଳାଫଳ ଏକ ବଡ଼ ଧରଣର ସତର୍କ ଘଣ୍ଟି। ବିଭିନ୍ନ ରାଜନୈତିକ ଦୃଷ୍ଟିକୋଣରୁ ଭିନ୍ନ ଭିନ୍ନ ଆଲୋଚନା ଚାଲିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ବିଜେଡି ତୃତୀୟ ସ୍ଥାନକୁ ଖସି ଆସିବା। ବିଜେଡିର ଆଗ ଧାଡ଼ିର ନେତାମାନଙ୍କ ପାଇଁ ଆଗାମୀ ଭବିଷ୍ୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠାରୁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ନକଲେ ଭବିଷ୍ୟତରେ ବହୁ ପସ୍ତେଇବାକୁ ପଡ଼ିପାରେ। ନିର୍ବାଚନରେ ହାରିବା ଓ ଜିତିବା ରାଜନୈତିକ ଦଳ ପାଇଁ ନୂଆ ନୁହେଁ। କିନ୍ତୁ ଫଳାଫଳ ଯେଉଁଭଳି ଭାବରେ ଆସିଲା ରାଜ୍ୟର ପ୍ରମୁଖ ବିରୋଧୀ ଦଳ ତୃତୀୟ ସ୍ଥାନକୁ ଖସିବା ହେଉଛି ଚିନ୍ତାର ବିଷୟ। ଏହି କଥାକୁ ବିଜେଡି ନେତାମାନେ ଗ୍ରହଣ କରିବା ଉଚିତ୍‌।

ସାଧାରଣ ନିର୍ବାଚନ ୨୦୨୪ ପରେ ରାଜ୍ୟରେ ପ୍ରଥମ ଥର ପାଇଁ ନୂଆପଡ଼ା ଉପନିର୍ବାଚନ ରାଜନୈତିକ ଦଳମାନଙ୍କ ଆଗକୁ ଆସିଲା। ୨୦୨୪ ନିର୍ବାଚନ ପରେ ଯେଉଁ ସବୁ ତୃଟି ରାଜନୈତିକ ଦଳମାନେ ହାର୍‌ଜିତ୍ ପରେ ଅନୁଧ୍ୟାନ କରିଥିଲେ ତାକୁ ସୁଧାରିବା ପାଇଁ ବିଶେଷ କରି ବିରୋଧୀ ଦଳ ଗୁରୁତ୍ୱ ଲାଗି ଏକ ସୁଯୋଗ ଆସିଥିଲା। ହେଲେ ଫଳାଫଳରୁ ଯାହା ଜଣାପଡ଼ିଲା ବିରୋଧୀ ଦଳ ସେଭଳି କିଛି ଆଖିଦୃଶିଆ ପରିବର୍ତ୍ତନ ଦଳୀୟ କାର୍ଯ୍ୟାଧାରାରେ ଆଣିଥିବା ଭଳି ପରିଲିକ୍ଷିତ ହେଲା ନାହିଁ। ବିଜେଡିର ପରାଜୟ ପରେ କୁହାଯାଉଥିଲା ଲୋକେ ବିଜେପିକୁ ଭୋଟ୍ ଦେଇ ପସ୍ତଉଛନ୍ତି। ଲୋକଙ୍କର ‘କ୍ରେଜ୍‌’ ନବୀନ ପଟ୍ଟନାୟକଙ୍କ ପାଇଁ ଥିବା କୁହାଗଲା। ଏପରିକି ନବୀନ ଯୁଆଡ଼େ ଗଲେ ବି ଜନସମାଗମ ଆଶାତିତ ଭାବେ ବଢ଼ିଲା। ନୂଆପଡ଼ା ଉପନିର୍ବାଚନରେ ବି ନବୀନଙ୍କ କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା। ତଥାପି ଦଳ ଦ୍ୱିତୀୟ ସ୍ଥାନରେ ନ ରହି କର୍ପୁର ଉଡ଼ିଯାଇ କନା ପଡ଼ିଥିବା କଂଗ୍ରେସ ଠାରୁ ପଛରେ ପଡ଼ିଲା। ବିଜେଡିର ନେତାମାନେ ନିର୍ବାଚନ ମଣ୍ଡଳୀରେ ଛାଇ ହୋଇ ରହିଥିଲେ। ଲୋକଙ୍କୁ ବୁଝାଇବା ଲାଗି ଭରପୁର ପ୍ରୟାସ କରିଥିଲେ। ତଥାପି ଦଳ ଫେଲ୍ ମାରିଲା। ନବୀନଙ୍କ ଯାଦୁ କିଛି କାମ କଲା ନାହିଁ।

ଏହି ନିର୍ବାଚନ ତିନି ଦଳଙ୍କ ପ୍ରମୁଖ ନେତାଙ୍କ ଲୋକପ୍ରିୟତାର ପରୀକ୍ଷା କେନ୍ଦ୍ର ଥିଲା। ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀ ଦାୟିତ୍ୱ ନେବା ପରେ, ନବୀନ ପଟ୍ଟନାୟକ ବିରୋଧୀ ଦଳର ନେତା ହେବା ପରେ ଓ ଭକ୍ତ ଚରଣ ଦାସ କଂଗ୍ରେସ ସଭାପତି ହେବା ପରେ ନୂଆପଡ଼ାରେ ଆସିଲା ପ୍ରଥମ ଉପନିର୍ବାଚନ। ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ସମୟରେ ଏହି ତିନି ପ୍ରମୁଖ ନେତା କହୁଥିଲେ ସେମାନେ ଲୋକପ୍ରିୟ ନେତା। ପ୍ରକୃତରେ କିଏ ଲୋକପ୍ରିୟ ତାହା ଜନ ସାଧାରଣ ହିଁ ନିର୍ଦ୍ଧାରଣ କରି ଥାଆନ୍ତି। ବାସ୍ତବରେ ଦେଖାଗଲା ମୋହନ ମାଝୀ ହେଉଛନ୍ତି ଲୋକପ୍ରିୟ ନେତା। ନବୀନଙ୍କୁ ଲୋକେ ଆଉ ଗ୍ରହଣ କରୁ ନାହାଁନ୍ତି। ସାଧାରଣ ନିର୍ବାଚନ ସମୟରେ ନବୀନ ଦୁଇଟି ଆସନରେ ଛିଡ଼ା ହୋଇ ଗୋଟିଏରେ ହାରିଲେ ଅନ୍ୟଟିରେ ସ୍ୱଳ୍ପ ବ୍ୟବଧାନରେ ଜିତିଲେ। ଏହାପରେ ଦଳର ଯେଉଁ ବିପର୍ଯ୍ୟୟ ଘଟିଲା ସେଥିରୁ ମୁଖିଆଙ୍କ ଠାରୁ ଆରମ୍ଭ କରି ନେତାମାନେ ସମସ୍ତେ ଆତ୍ମସମୀକ୍ଷା କରି ତୃଟି ସୁଧାରିବାରେ ସୁଯୋଗ ଆସିଲା। କିନ୍ତୁ ଫଳାଫଳରୁ ଯାହା ଜଣାପଡ଼ୁଛି ବିଜେଡି ଆହୁରି ତଳକୁ ଖସୁଛି ବରଂ ଉପରକୁ ଉଠିବାର ସମ୍ଭାବନା ଦେଖାଯାଉ ନାହିଁ। ବିଜେଡିର ନିର୍ବାଚନ ପରିଚାଳନାରେ ଅନେକ ତୃଟି ରହିଲା। ଠିକ୍ ଭାବରେ ନିର୍ବାଚନ ପରିଚାଳନା କରିପାରି ନଥିବାରୁ ଦଳକୁ ତୃତୀୟ ସ୍ଥାନକୁ ଖସିବାକୁ ପଡ଼ିଲା। ଦଳକୁ ଆହୁରି ସଂଗଠିତ ହୋଇ କଠିନ ପରିଶ୍ରମ କରିବାକୁ ପଡ଼ିବ। ଦଳରେ ରହି ବିଜେଡି ସହ ଯେଉଁମାନେ ଆଗାମୀ ଭବିଷ୍ୟତ ଦେଖୁଛନ୍ତି ସେମାନଙ୍କ ପାଇଁ ଚିନ୍ତା କରିବାର ବେଳ ଆସିଛି। ମୁହଁଖୋଲି ଆଗକୁ ନବାହାରିଲେ ପଛକୁ ଆଉ ଭାବିଲା ବେଳକୁ ସବୁ ଶେଷ ହୋଇଯାଇଥିବ।

ବିଶେଷକରି ଉପନିର୍ବାଚନରେ ସରକାରୀ ଦଳ ହିଁ ଆଗଧାଡ଼ିରେ ରହିବା ଦେଖାଦେଇ ଆସିଛି। ସେପରି ବିଶେଷ ପରିସ୍ଥିତି ନଥିଲେ କ୍ଷମତାସୀନ ଦଳ ଉପନିର୍ବାଚନ ହାରିଛି କ୍ୱିଚିତ୍ ଦେଖାଯାଏ। ଯିଏ ଯେତେବେଳେ ସରକାରଙ୍କୁ ଆସିଛନ୍ତି ସରକାରୀ କଳକୁ ବ୍ୟବହାର କରିବା ଦେଖାଦେଇଛି। ବିଜେପି ଯେ ସରକାରୀ କଳକୁ ବ୍ୟବହାର ନ କରିଥିବା ଏହା କହିବା ଭୁଲ ହେବ। କଂଗ୍ରେସ କରିଥିଲା, ବିଜେଡି କରିଥିଲା ଓ ବିଜେପି ବି କରିଥିବା ମନା କରିହେବନି। କିନ୍ତୁ ପ୍ରଶ୍ନ ଉଠୁଛି ବିଜେପି ଜିତିବା କିଛି ବଡ଼ କଥା ନୁହେଁ। କିନ୍ତୁ ବିଜେଡି ତୃତୀୟକୁ ଖସିବା ହେଉଛି ବଡ଼ କଥା।

କଂଗ୍ରେସ ଦ୍ୱିତୀୟ ସ୍ଥାନକୁ ଆସି ହୁଏତ ଆଶ୍ୱସନା ପାଇପାରେ। କିନ୍ତୁ ପିସିସି ସଭାପତି ଭକ୍ତ ଚରଣ ଦାସ ହେଉଛନ୍ତି କଳାହାଣ୍ଡି ମାଟିର ପୁଅ। ପୂର୍ବରୁ ନୂଆପଡ଼ା ଓ କଳାହାଣ୍ଡି ଗୋଟିଏ ଜିଲ୍ଲା ଥିଲା। ଭକ୍ତ ହେଉଛନ୍ତି ସ୍ଥାନୀୟ ନେତା। ହେଲେ ସେ ସେଠାରେ ହାରିଯିବା ତାଙ୍କ ପାଇଁ ଧକ୍କା। କଂଗ୍ରେସ ପ୍ରାର୍ଥୀ ସ୍ୱାଧୀନଭାବେ ଲଢ଼ି ଯେତିକି ଭୋଟ୍ ପାଇଥିଲେ ସେଥିରୁ ଜଣାପଡ଼ୁଥିଲା ଦଳର ଜିତିବାର ସମ୍ଭାବନା ଅଧିକ ରହିବ। କିନ୍ତୁ ଭକ୍ତ ଲୋକପ୍ରିୟତା ପ୍ରମାଣ ଦେବାରେ ଫେଲ୍ ମାରିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking