ନୂଆଦିଲ୍ଲୀ: ୱାକଫ୍ ସଂଶୋଧନ ବିଲ୍ ଏପ୍ରିଲ ୨ରେ ସଂସଦରେ ଆଗତ ହୋଇପାରେ। ସରକାର ପ୍ରଥମେ ଲୋକସଭାରେ ଏହି ବିଲ୍ ଆଗତ କରିବେ। ଏହି ଅଧିବେଶନ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏସମ୍ପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ୍ ରିଜିଜୁ କହିଛନ୍ତି ଯେ, ଆମେ ସଂସଦରେ ୱାକଫ ସଂଶୋଧନ ବିଲ୍ ଆଗତ କରିବାକୁ ପ୍ରସ୍ତୁତ ରହିଛୁ। ସଂସଦ ବାହାରେ ବିଲ୍ ଉପରେ ବ୍ୟାପକ ଆଲୋଚନା ହୋଇଛି। କିନ୍ତୁ ଏବେ ସମୟ ଆସିଯାଇଛି ଏସମ୍ପର୍କରେ ଗୃହରେ ବିତର୍କ ଏବଂ ଆଲୋଚନାରେ ମଧ୍ୟ ଆମକୁ ଅଂଶଗ୍ରହଣ କରିବାକୁ ପଡିବ। ରିଜିଜୁ କହିଛନ୍ତି, ବିଲ୍ ଉପରେ ଗଠିତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଗଣତାନ୍ତ୍ରିକ ଭାରତର ଇତିହାସରେ ସବୁଠାରୁ ଦୀର୍ଘ ପରାମର୍ଶ ପ୍ରକ୍ରିୟାର ରେକର୍ଡ ସ୍ଥାପନ କରିଛି। ଅନ୍ୟପକ୍ଷେ ସମସ୍ତ ରାଜନୈତିକ ଦଳକୁ ଅନୁରୋଧ କରାଯାଇଛି ଯେ ସେମାନେ ଲୋକଙ୍କୁ ଭ୍ରମିତ ନକରନ୍ତୁ। ସେ କହିଛନ୍ତି ଯେ ସରକାର ମୁସଲମାନମାନଙ୍କ ସମ୍ପତ୍ତି ଏବଂ ଅଧିକାର ଛଡ଼ାଇ ନେବାକୁ ଯାଉଛନ୍ତି ବୋଲି କହି ନିର୍ଦ୍ଦୋଷ ମୁସଲମାନମାନଙ୍କୁ ବିରୋଧୀ ଦଳଗୁଡ଼ିକ ଭ୍ରମିତ କରୁଛନ୍ତି। ପ୍ରକାଶ, ୨୯ ମାର୍ଚ୍ଚରେ ଏକ ଘରୋଇ ଚ୍ୟାନେଲ ସହିତ କଥାବାର୍ତ୍ତା ସମୟରେ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ଏହି ଅଧିବେଶନ (ବଜେଟ୍ ଅଧିବେଶନ)ରେ ସଂସଦରେ ୱାକଫ୍ ବିଲ୍ ଆଗତ କରାଯିବ। ଏହି ଅବସରରେ ଶାହ ସ୍ପଷ୍ଟ ଭାବେ କହିଥିଲେ ଯେ ଏହି ବିଲ୍ ବିଷୟରେ କାହାକୁ ଭୟ କରିବାର ଆବଶ୍ୟକତା ନାହିଁ।
ଏସବୁ ମଧ୍ୟରେ ସୋମବାର ଦେଶବ୍ୟାପୀ ପବିତ୍ର ‘ଇଦ୍’ ପାଳନ ଅବସରରେ ମୁସଲିମ୍ ସମ୍ପ୍ରଦାୟର ସଦସ୍ୟମାନେ ୱାକଫ୍ ବିଲ୍ ବିରୋଧରେ ପ୍ରତିବାଦ ଜଣାଇବା ପୂର୍ବକ ଦେଶର ବିଭିନ୍ନ ସ୍ଥାନରେ କଳା ପଟି ପିନ୍ଧି ନମାଜ ପାଠ କରିବାକୁ ପହଞ୍ଚିବା ଦେଖିବାକୁ ମିଳିଛି। ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ (ଏଆଇଏମ୍ପିଏଲ୍ବି) ଦେଶର ମୁସଲମାନମାନଙ୍କୁ ୨୮ ମାର୍ଚ୍ଚ, ରମଜାନର ଶେଷ ଶୁକ୍ରବାର (ଜୁମାତୁଲ ବିଦା)ରେ ମଧ୍ୟ କଳା ପଟି ପିନ୍ଧି ନମାଜ ପାଠ କରିବାକୁ କହିଥିଲେ। ମୁସଲିମ ପର୍ସନାଲ ଲ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ଚିଠିରେ ଲେଖାଯାଇଛି ଯେ ୱାକଫ ସଂଶୋଧନ ବିଲ୍କୁ ଦୃଢ଼ ବିରୋଧ କରିବା ଦେଶର ପ୍ରତ୍ୟେକ ମୁସଲମାନଙ୍କ ଦାୟିତ୍ୱ। ସମସ୍ତ ମୁସଲମାନ ନମାଜ ପାଇଁ ମସଜିଦକୁ ଯିବା ସମୟରେ କଳା ପଟି ପିନ୍ଧି ଶାନ୍ତିପୂର୍ଣ୍ଣ ଏବଂ ନୀରବ ପ୍ରତିବାଦ କରିବା ଉଚିତ୍।
ମୋଦୀ ସରକାର ୱାକଫ୍ ବୋର୍ଡ ଆଇନ୍ରେ ସଂଶୋଧନ କରିବାର କେତେକ କାରଣ ରହିଛି। ପ୍ରଥମତଃ ଆଜି ପର୍ଯ୍ୟନ୍ତ ୱାକଫ୍ ବୋର୍ଡରେ କୌଣସି ମହିଳାଙ୍କୁ ସଦସ୍ୟ ଭାବେ ସାମିଲ କରାଯାଉନଥିବା ବେଳେ ନୂଆ ସଂଶୋଧନ ଆଇନ ଅନ୍ତର୍ଗତ ୱାକଫ୍ରେ ମହିଳାମାନଙ୍କର ଅଂଶଗ୍ରହଣ ବୃଦ୍ଧି ପାଇବ। ଧାରା ୯ ଏବଂ ୧୪ ରେ ପରିବର୍ତ୍ତନ କରି କେନ୍ଦ୍ରୀୟ ୱାକଫ ପରିଷଦରେ ଦୁଇଜଣ ମହିଳାଙ୍କୁ ସାମିଲ କରିବାର ପ୍ରସ୍ତାବ ଅଛି। ଏହା ବ୍ୟତୀତ, ନୂତନ ବିଲରେ ବୋହରା ଏବଂ ଆଗାଖାନି ମୁସଲମାନମାନଙ୍କ ପାଇଁ ଏକ ପୃଥକ ୱାକଫ ବୋର୍ଡ ଗଠନ କରିବା ବିଷୟରେ ମଧ୍ୟ ଆଲୋଚନା କରାଯାଇଛି। ଦ୍ୱିତୀୟ କାରଣ ହେଉଛି ପୂର୍ବରୁ ୱାକଫ୍ ବୋର୍ଡରେ କେବଳ ମୁସଲିମ୍ ପୁରୁଷଙ୍କୁ ସଦସ୍ୟ ଭାବେ ସାମିଲ କରାଯାଉଥିବା ବେଳେ ଏଣିକି ସରକାର ଏଥିରେ ଦୁଇଜଣ ଅଣ-ମୁସଲମାନ ବ୍ୟକ୍ତିଙ୍କୁ ସଦସ୍ୟ ଭାବେ ସାମିଲ କରିବାକୁ ଚାହୁଁଛନ୍ତି। ଏପରିକି ବୋର୍ଡର ସିଇଓ ଜଣେ ଅଣ-ମୁସଲମାନ ମଧ୍ୟ ହୋଇପାରିବେ ବୋଲି ଆଇନ୍ ପ୍ରସ୍ତୁତ କରାଯାଇଛି। ତୃତୀୟ ଏବଂ ସବୁଠୁ ବଡ଼ କାରଣ ହେଉଛି ଏଣିକି ବୋର୍ଡ ଉପରେ ସରକାରୀ ନିୟନ୍ତ୍ରଣ ବୃଦ୍ଧି ଚାହୁଁଛନ୍ତି ଭାରତ ସରକାର। ଆଇନ ପରିବର୍ତ୍ତନ କରି ୱାକଫ ବୋର୍ଡର ସମ୍ପତ୍ତି ଉପରେ ନିୟନ୍ତ୍ରଣ ରଖିବା, ୱାକଫ ବୋର୍ଡର ପରିଚାଳନାରେ ଅଣ-ମୁସଲମାନ ବିଶେଷଜ୍ଞମାନଙ୍କୁ ସାମିଲ କରିବା ଏବଂ ସରକାରୀ ଅଧିକାରୀଙ୍କ ଦ୍ୱାରା ୱାକଫ ଅଡିଟ୍ କରାଇବା ଆଦି ମୂଳ ଉଦ୍ଦେଶ୍ୟ ରହିଛି। ଏହାଦ୍ୱାରା ୱାକଫ ଟଙ୍କା ଏବଂ ସମ୍ପତ୍ତିର ହିସାବ ସ୍ୱଚ୍ଛ ହେବ। କେନ୍ଦ୍ର ସରକାର ଏବେ ସିଏଜି ମାଧ୍ୟମରେ ୱାକଫ ସମ୍ପତ୍ତିର ଅଡିଟ୍ କରାଇପାରିବେ। ପ୍ରକାଶ, ସୁପ୍ରିମକୋର୍ଟର ଓକିଲ ବିରାଗ ଗୁପ୍ତା କହିଛନ୍ତି ଯେ ମୋଦୀ ସରକାର ୱାକଫ ବୋର୍ଡ ଆଇନ୍ରେ ପ୍ରାୟ ୪୦ଟି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି।