ବେଙ୍ଗାଲୁରୁ: ବହୁଚର୍ଚ୍ଚିତ ରେଣୁକାସ୍ୱାମୀ ହତ୍ୟା ଘଟଣାରେ ଗିରଫ ହୋଇ ଜେଲ୍ରେ ଥିବା ମୁଖ୍ୟ ଅଭିଯୁକ୍ତ ତଥା କନ୍ନଡ ସୁପରଷ୍ଟାର ଦର୍ଶନ ଥୁଗୁଦୀପାଙ୍କୁ ଜେଲରେ ଭିଆଇପି ସେବା ଯୋଗାଇ ଦେବା ଅଭିଯୋଗରେ ୭ ଜେଲ୍ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । କର୍ଣ୍ଣାଟକର ଗୃହମନ୍ତ୍ରୀ ଜି. ପରମେଶ୍ୱର କହିଛନ୍ତି, ଜେଲ୍ ପରିସରର କିଛି ଫଟୋ ଏବଂ ଭିଡ଼ିଓ ସାମ୍ନାକୁ ଆସିବା ପରେ ପୁଲିସ ସେଠାକୁ ଯାଇ ତଦନ୍ତ କରିଥିଲା । ବର୍ତ୍ତମାନ ଘଟଣାର ଅଧିକ ଅନୁସନ୍ଧାନ କରାଯାଉଛି । ପ୍ରାଥମିକ ତଦନ୍ତ ପରେ ୭ଜଣଙ୍କୁ ନିଲମ୍ବିତ କରାଯାଇଛି । ପ୍ରକାଶ, ଜେଲରେ ବ୍ୟାପକ ସୁରକ୍ଷା ତ୍ରୁଟି ନେଇ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା ।
ଦର୍ଶନଙ୍କୁ ଏବେ ବେଙ୍ଗାଲୁରୁର ପାରାପ୍ପାନ୍ନା ଅଗ୍ରାହାରା ସେଣ୍ଟ୍ରାଲ ଜେଲରେ ରଖାଯାଇଛି । ଜେଲରେ ଥିବା ବେଳେ ତାଙ୍କୁ ଭିଆଇପି ସେବା ଯୋଗାଇ ଦିଆଯାଉଥିବାର ଫଟୋ ଓ ଭିଡ଼ିଓ ଗୋଟିଏ ଦିନ ପୂର୍ବରୁ ଭାଇରାଲ ହୋଇଥିଲା । ଭାଇରାଲ୍ ଭିଡିଓ ଓ ଫଟୋରେ ଅଭିନେତା ଦର୍ଶନ ଜେଲ୍ ପରିସରରେ ବାହାରୁ ଯାଇଥିବା ନିଜର କିଛି ବନ୍ଧୁଙ୍କ ସହ ବସି ସିଗାରେଟ୍ ଓ କଫି ପିଉଥିବା ଦେଖିବାକୁ ମିଳିଥିଲା । ଏପରିକି ଦର୍ଶନ ଫୋନ୍ ଯୋଗେ ଭିଡିଓ କଲ୍ରେ କାହା ସହ କଥା ହେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଭାଇରାଲ ଫଟୋ ଓ ଭିଡ଼ିଓକୁ ଦେଖି ରେଣୁକାସ୍ୱାମୀଙ୍କ ବାପା ଶିବ ଗୌଡ ଦର୍ଶନଙ୍କ ସହ ଏହି ମାମଲାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।
ପ୍ରକାଶ, ଜୁନ୍ ୯ରେ ବେଙ୍ଗାଲୁରୁର ଏକ ଡ୍ରେନ୍ରୁ କନ୍ନଡ ଅଭିନେତା ଦର୍ଶନଙ୍କ ଅନ୍ୟତମ ଦୃଢ଼ ପ୍ରଶଂସକ ରେଣୁକାସ୍ୱାମୀଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତଦେହ ମିଳିଥିଲା । ତଦନ୍ତ ସମୟରେ ଅଭିନେତା ଦର୍ଶନଙ୍କ ନିର୍ଦ୍ଦେଶରେ ରେଣୁକାସ୍ୱାମୀଙ୍କୁ ଏକ ଗ୍ୟାଙ୍ଗ୍ ଅପହରଣ କରି ହତ୍ୟା କରିଥିବା ଏବଂ ଏଥିପାଇଁ ଦର୍ଶନ ଉକ୍ତ ଗ୍ୟାଙ୍ଗ୍କୁ ମୋଟା ଅଙ୍କର ଅର୍ଥ ସହ ରେଣୁକାସ୍ୱାମୀଙ୍କୁ ହତ୍ୟା କରିବାକୁ ସୁପାରି ମଧ୍ୟ ଦେଇଥିବା ଜଣାପଡିଥିଲା । ରେଣୁକାସ୍ୱାମୀ ସୋସିଆଲ ମିଡିଆରେ ଅଭିନେତ୍ରୀ ପବିତ୍ରା ଗୌଡାଙ୍କୁ ବାରମ୍ବାର ଅଶ୍ଳୀଳ ମେସେଜ ପଠାଉଥିବା ନେଇ ଦର୍ଶନ ଜାଣିବା ପରେ ରେଣୁକାସ୍ୱାମୀଙ୍କୁ ତାଗିଦ୍ କରିଥିଲେ । କିନ୍ତୁ ରେଣୁକାସ୍ୱାମୀ ଏଥିରୁ ବିରତ ହୋଇନଥିଲେ । ପବିତ୍ରା ଗୌଡା ଏବଂ ଅଭିନେତା ଦର୍ଶନ ଦୀର୍ଘ ସମୟ ଧରି ରିଲେସନଶିପରେ ଥିବା କୁହାଯାଉଛି । ତେବେ ୩୩ ବର୍ଷୀୟ ଅଟୋ ଚାଳକ ରେଣୁକାସ୍ୱାମୀ ହତ୍ୟା ମାମଲାରେ ଗିରଫ ହୋଇଥିବା ୧୭ ଜଣଙ୍କ ମଧ୍ୟରେ ଅଭିନେତା ଦର୍ଶନ ଏବଂ ପବିତ୍ରା ଗୌଡା ମଧ୍ୟ ସାମିଲ ଅଛନ୍ତି । ଏମାନଙ୍କ ହାଜତ ମିଆଦ ଅବଧିକୁ କୋର୍ଟ ବଢ଼ାଇଦେଇଛନ୍ତି ।










