28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶବାଂଲାଦେଶରେ ହିଂସକ ହେଉଛି ସଂରକ୍ଷଣ ବିବାଦ; ଜେଲ୍‌ରେ ନିଆଁ ଲଗାଇଦେଲେ ଛାତ୍ର ଆନ୍ଦୋଳନକାରୀ

ବାଂଲାଦେଶରେ ହିଂସକ ହେଉଛି ସଂରକ୍ଷଣ ବିବାଦ; ଜେଲ୍‌ରେ ନିଆଁ ଲଗାଇଦେଲେ ଛାତ୍ର ଆନ୍ଦୋଳନକାରୀ

ଢ଼ାକା: ବାଂଲାଦେଶରେ ଚାଲିଥିବା ସଂରକ୍ଷଣ ବିରୋଧୀ ପ୍ରତିବାଦ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି । ବିଶ୍ୱବିଦ୍ୟାଳୟସ୍ତରରୁ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନର ପ୍ରଭାବ ଏବେ ସାରା ଦେଶରେ ପଡ଼ିଛି । ଦିନକ ପୂର୍ବେ ଏଠାରେ ଏକ ସରକାରୀ ସମ୍ବାଦବରାହ ସଂସ୍ଥା ବି-ଟିଭି କାର୍ଯ୍ୟାଳୟକୁ ପୋଡି ଦିଆଯାଇଥିବା ବେଳେ ଆଜି ଛାତ୍ର ଆନ୍ଦୋଳନକାରୀ ଛାତ୍ରମାନେ ସ୍ଥାନୀୟ ନରସିଂହଡି ଜିଲ୍ଲା ଜେଲ୍‌ରେ ନିଆଁ ଲଗାଇଦେବା ସହ ଶତାଧିକ କଏଦୀଙ୍କୁ ମୁକ୍ତ କରାଇନେଇଛନ୍ତି ।
ରିପୋର୍ଟ ଅନୁସାରେ ବାଂଲାଦେଶରେ ସରକାରୀ ଚାକିରିରେ ୧୯୭୧ ଯୁଦ୍ଧରେ ସହିଦ୍‌ଙ୍କ ପରିବାର ସଦସ୍ୟଙ୍କ ପାଇଁ ୩୦% ସଂରକ୍ଷଣ ବ୍ୟବସ୍ଥା ରହିଥିବାରୁ ଏହାକୁ ପ୍ରତ୍ୟାହାର କରିବା ଦାବିରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସେମାନଙ୍କ ଦାବି ସହିଦଙ୍କ ନାତି, ଅଣନାତିଙ୍କୁ ବି ଏହି ସୁବିଧା ମିଳୁଥିବାରୁ ପ୍ରକୃତ ମେଧାବୀ ଛାତ୍ରଛାତ୍ରୀ ସରକାରୀ ଚାକିରିରୁ ବଞ୍ଚିତ ରହୁଛନ୍ତି ।  ତେବେ ଏହାକୁ କେନ୍ଦ୍ର କରି ଗତ ଜୁଲାଇ ୧ରୁ ଆରମ୍ଭ ହୋଇଥିବା ବାଂଲାଦେଶରେ ସଂରକ୍ଷଣ ବିରୋଧରେ ପ୍ରତିବାଦ ଦିନକୁ ଦିନ ହିଂସକ ରୂପ ଧାରଣ କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶର ବିଭିନ୍ନ ପ୍ରାନ୍ତରେ କେବଳ ହିଂସାକାଣ୍ଡ ଯୋଗୁ ୬୪ ଜଣଙ୍କ ମୃତ୍ୟୁ ହୋଇସାରିଥିବା ଜଣାପଡିଛି । ସେହିପରି ୧୦୦୦ରୁ ଅଧିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ସୂଚନାଯୋଗ୍ୟ, ବାଂଲାଦେଶରେ ସ୍ଥିତି ଏବେ ଅଧିକ ଖରାପ ହୋଇଛି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଶେଖ ହସିନା ସବୁପ୍ରକାର ବଳ ପ୍ରୟୋଗ କରୁଥିବା ସତ୍ତ୍ୱେ ସ୍ଥିତିରେ କୌଣସି ସୁଧାର ଆସିପାରିନାହିଁ । ବିକ୍ଷୋଭକାରୀମାନେ ସୁରକ୍ଷା କର୍ମୀଙ୍କ ଉପରେ ଟେକା ପଥର ମାଡ଼ କରୁଥିବା ବେଳେ ହାତରେ ଠେଙ୍ଗା ବାଡ଼ି ଧରି ରାସ୍ତା ଉପରେ ଥିବା ବସ୍ ଓ ଅନ୍ୟ ସରକାରୀ ସମ୍ପତ୍ତିଗୁଡ଼ିକୁ ଜଳାପୋଡା କରୁଥିବାର ଦେଖିବାକୁ ମିଳିଛି । ପରିସ୍ଥିତିକୁ ଦେଖି ବାଂଲାଦେଶରେ ବସ୍‌, ଟ୍ରେନ୍ ଓ ମେଟ୍ରୋ ସେବାକୁ ବନ୍ଦ କରି ଦିଆଯାଇଛି । ଫଳରେ ବାଂଲାଦେଶରେ ଏକପ୍ରକାର ସଟ୍‌ଡାଉନ୍ ପରିସ୍ଥିତି ସୃଷ୍ଟି ହୋଇଛି । ସେହିପରି ସମସ୍ତ ପ୍ରକାରର ରାଲି, ଶୋଭାଯାତ୍ରା ଓ ସର୍ବସାଧାରଣ ଏକତ୍ରୀକରଣ ଉପରେ ମଧ୍ୟ ରୋକ୍ ଲଗାଯାଇଛି । ପୁଲିସ୍ ଓ ଆନ୍ଦୋଳନକାରୀ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି । ଇଣ୍ଟରନେଟ୍ ସେବାକୁ ମଧ୍ୟ ଏଠାରେ ବନ୍ଦ କରାଯାଇଛି ।
ଦିନକ ପୂର୍ବେ ବାଂଲାଦେଶରେ ରହୁଥିବା ନିଜ ନାଗରିକଙ୍କ ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ପକ୍ଷରୁ ପରାମର୍ଶ ଜାରି କରାଯାଇଛି । ଘରେ ରହିବାକୁ ଏବଂ ପରିସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ ଘରୁ ନବାହାରିବାକୁ କିମ୍ବା ସ୍ଥାନୀୟ ବିବାଦ ସମ୍ପର୍କରେ କୌଣସି ବିବାଦୀୟ ମତମନ୍ତବ୍ୟ ନଦେବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking