କାମାକ୍ଷାନଗର: କାମାକ୍ଷାନଗର ଥାନା କେନ୍ଦୁପଶି ଠାରେ ଥିବା ସରକାରୀ ଚାଉଳ ଗୋଦାମର ପିଆଇଙ୍କୁ ବଟିମାଗିବାକୁ ନେଇ ମାଡ଼ ମାରିଲେ ଦୁର୍ବୃତ୍ତ। ଗଣ୍ଡଗୋଳକୁ ଛଡ଼ାଇବାକୁ ଯାଇ ଗୁରୁତର ଭାବେ ଆହତ ହେଲେ ସ୍ଥାନୀୟ ଯୁବକ। ସରକାରୀ ଚାଉଳ ଗୋଦାମରେ ଦୁର୍ବୃତ୍ତଙ୍କ ଗୁଣ୍ଡାଗିରି ଓ ସ୍ଥାନୀୟ ଯୁବକଙ୍କୁ ସହାୟତା ପ୍ରଦାନ ଦାବିରେ ସରକାରୀ ଚାଉଳ ଗୋଦାମ ସାମ୍ନାରେ ଧାରଣାରେ ବସିଲେ ଯୁବକଙ୍କ ପରିବାର ଲୋକ ଓ ଗ୍ରାମବାସୀ। ପ୍ରକାଶ, ଗତକାଲି କେନ୍ଦୁପଶି ଠାରେ ଥିବା ଚାଉଳ ଗୋଦାମ ସାମ୍ନାରେ କିଛି ଟ୍ରକ୍ରେ ଚାଉଳ ଲୋଡିଂ ହେଉଥିବା ବେଳେ କିଛି ଦୁର୍ବୃତ୍ତ ଚାଉଳ ଗୋଦାମରେ ପହଞ୍ଚି ଚାଉଳଗୋଦାମ ଦାୟିତ୍ୱରେ ଥିବା ପିଆଇ ମଳୟ ଚୌଧୁରୀଙ୍କୁ ବଟି ମାଗିବା ସହ ଧମକଚମକ ଦେଇଥିଲେ। ଯାହାକୁ ନେଇ ଦୁର୍ବୃତ୍ତମାନେ ପିଆଇଙ୍କୁ ଆକ୍ରମଣ ମଧ୍ୟ କରିଥିଲେ। ସେହି ସମୟରେ କେନ୍ଦୁପଶି ଗ୍ରାମର ତପନ ନାୟକ ସେହି ରାସ୍ତାରେ ଯାଉଥିବା ବେଳେ ଗଣ୍ଡଗୋଳ ଦେଖି ଦୁର୍ବୃତ୍ତମାନଙ୍କୁ ବୁଝାସୁଝା କରୁଥିଲେ। ମାତ୍ର ଦୁର୍ବୃତ୍ତମାନେ ତପନଙ୍କୁ ମାରଣାସ୍ତ୍ର ଓ ଠେଙ୍ଗାରେ ଆକ୍ରମଣ କରି ତାଙ୍କୁ ଲହୁଲୁହାଣ କରିଥିଲେ। ତପନ ମରିଯିବା ଭାବି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ମାରିଥିବା ବେଳେ ଏ ସମ୍ପର୍କରେ ସୂଚନାପାଇ ତପନଙ୍କ ପରିବାର ଲୋକ ଓ ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ତପନଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଥିବା ବେଳେ ଦୁର୍ବୃତ୍ତଙ୍କ ମାଡ଼ରେ ତପନଙ୍କ ହାତ ଓ ଗୋଡ଼ ଭାଙ୍ଗିଥିବା ଜଣାପଡିଛି। ଯାହାକୁ ନେଇ ଆଜି ତପନଙ୍କ ପରିବାର ଲୋକ ସରକାରୀ ସହାୟତା ଦାବିରେ ଏବଂ ଦୁର୍ବୃତ୍ତଙ୍କୁ ଗିରଫ କରିବା ଦାବିନେଇ ସରକାରୀ ଚାଉଳ ଗୋଦାମ ସାମ୍ନାରେ ଧାରଣା ଦେଇଥିଲେ। ଖବରପାଇ କାମାକ୍ଷାନଗର ଉପଜିଲ୍ଲାପାଳ ଦିନମଣି ନାଏକ, ଏସ୍ଡିପିଓ ରଜନୀକାନ୍ତ ସାମଲ ଓ ଯୋଗାଣ ବିଭାଗ ଅଧିକାରୀ ପହଞ୍ଚି ତପନଙ୍କୁ ସରକାରୀ ସହାୟତା ପ୍ରଦାନ ଓ ଦୁର୍ବୃତ୍ତଙ୍କ ଗିରଫ କରିବାନେଇ ପ୍ରତିଶ୍ରୁତି ଦେବା ପରେ ଲୋକମାନେ ଧାରଣାରୁ ଉଠିଥିଲେ।










