ଭୁବନେଶ୍ୱର: ଓଡିଶା ଭିଜିଲାନ୍ସ ଇତିହାସରେ ଏକକାଳୀନ ସର୍ବାଧିକ ଟଙ୍କା ଜବତ ହୋଇଛି । ଆଖି ଖସିଗଲା ଭଳି ଜବତ ହୋଇଛି ନଗଦ କ୍ୟାସ । କୋଟିଏ କି ଅଧେ ନୁହେଁ , ଖଣି ବିଭାଗର କଟକ ସର୍କଲ ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରୁ ମିଳିଛି ୪ କୋଟି ନଗଦ କ୍ୟାସ । ଖଣି ଅଧିକାରୀଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରୁ ରେଡ ବେଳେ ମିଳିଛି ଏହି ନଗଦ ଟଙ୍କା । ଖଣି ଅଧିକାରୀଙ୍କ ଫ୍ଲାଟରେ ଟ୍ରଲି ବ୍ୟାଗ ଏବଂ ଆଲମିରାରୁ ମିଳିଛି ଏସବୁ ଟଙ୍କା। ଏମିତିକି ଖଣି ଅଧିକାରୀଙ୍କ ଅଫିସରୁ ୧ ଲକ୍ଷ ୨୦ ହଜାର ଟଙ୍କା ବି ଜବତ କରାଯାଇଛି । ଏଥିସହିତ ୩୦ ଗ୍ରାମ ସୁନା ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି । ଗତକାଲି ଦେବବ୍ରତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ କରିଥିଲା । ଜଣେ ଲାଇସେନ୍ସପ୍ରାପ୍ତ କୋଇଲା ଖଣି ବ୍ୟବସାୟୀଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ଅଭିଯୋଗ ମାମଲାରେ ଭିଜିଲାନ୍ସ ମାଡି ବସିଥିଲା । ଲାଞ୍ଚ ନେଇ ଧରାପଡିବା ପରେ ଆୟ ବହିର୍ଭୁତ ସମ୍ପତ୍ତି ର ଖୋଳତାଡ । ସଂପୃକ୍ତ ଉପ ନିର୍ଦ୍ଦେଶକଙ୍କ ଘରେ ରାତି ଅଧିଆ ରେଡ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱର ସ୍ଥିତ ଶ୍ରୀ ବିହାର ଘର ସମେତ କଟକ ସ୍ଥିତ କାର୍ଯ୍ୟାଳୟ ସମେତ ଅନ୍ୟନ୍ୟ ସ୍ଥାନରେ ଭିଜିଲାନ୍ସ ରେଡ କରିଥିଲା । ଖଣି ଅଧିକାରୀ ଦେବବ୍ରତଙ୍କ ପୈତୃକ ଘର ଭଦ୍ରକ ମଠ ସାହି ଅଞ୍ଚଳର ବୋଲି ଜଣାପଡିଛି ।










