14.1 C
Bhubaneswar
Thursday, December 11, 2025
Homeଓଡିଶାବିଦ୍ୟୁତପ୍ରଭା ଦେବୀ ହେଉଛନ୍ତି ନାରୀ ସଶକ୍ତିକରଣର ଅନ୍ୟତମ ପ୍ରତୀକ: ଧର୍ମେନ୍ଦ୍ର ପ୍ରଧାନ

ବିଦ୍ୟୁତପ୍ରଭା ଦେବୀ ହେଉଛନ୍ତି ନାରୀ ସଶକ୍ତିକରଣର ଅନ୍ୟତମ ପ୍ରତୀକ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ସାରସ୍ୱତ ସାଧିକା ବିଦ୍ୟୁତପ୍ରଭା ଦେବୀ ହେଉଛନ୍ତି ନାରୀ ସଶକ୍ତିକରଣର ଅନ୍ୟତମ ପ୍ରତୀକ । ଜଣେ ଘରୋଇ ମହିଳା ହୋଇ ସେ ସମୟର କଟକଣା ମଧ୍ୟରେ ଅନେକ କାଳଜୟୀ କବିତା ରଚନା କରିଥିଲେ, ଯାହା ତାଙ୍କୁ ଓଡ଼ିଆ ସାହିତ୍ୟ ଜଗତରେ ବିରଳ ଲେଖିକାର ପରିଚୟ ଦେଇଛି ବୋଲି ଶନିବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆୟୋଜିତ “ସାରସ୍ୱତ ସାଧିକା ବିଦ୍ୟୁତପ୍ରଭା ଦେବୀଙ୍କ ଜନ୍ମଶତବାର୍ଷିକୀ” ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଶା ସରକାରଙ୍କ ଓଡ଼ିଆ ବିଭାଗ ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ବିଦ୍ୟୁତପ୍ରଭା ଦେବୀଙ୍କ ଜନ୍ମଶତବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ କହିଛନ୍ତି ଯେ ଜୀବନର ଖୁବ୍ କମ ସମୟ ମଧ୍ୟରେ ବାଲ୍ୟାବସ୍ଥାରୁ ସାହିତ୍ୟ ପ୍ରତି ତାଙ୍କର ସାଧନା ଓ ସମର୍ପଣ ଭାବ ଆମ ସମସ୍ତଙ୍କୁ ପ୍ରେରିତ କରୁଛି । ଓଡ଼ିଆ ସାହିତ୍ୟରେ ନାରୀବାଦୀ କବିତାର କଥା ଉଠିଲେ ତିନିଜଣ ବିଶିଷ୍ଟ କବୟିତ୍ରୀଙ୍କ ନାମ ମନକୁ ଆସେ – ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ, ସରଳା ଦେବୀ ଓ ବିଦ୍ୟୁତପ୍ରଭା ଦେବୀ । ବିଦ୍ୟୁତପ୍ରଭା ଦେବୀ, କୁନ୍ତଳା କୁମାରୀଙ୍କ ଭଳି ସ୍ୱଳ୍ପ ଆୟୁଷ ନେଇ ଜନ୍ମିଥିଲେ ଏବଂ ସରଳା ଦେବୀଙ୍କ ଠାରୁ ପ୍ରେରଣା ଲାଭ କରି ନାରୀ ସ୍ୱାଧୀନତା ପାଇଁ ସ୍ୱର ଉତ୍ତୋଳନ କରିଥିଲେ ଲେଖନୀ ମାଧ୍ୟମରେ । । ଆଧୁନିକ କବିତା ସହ ଦେଶର ସ୍ୱତନ୍ତ୍ରତା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଶିଶୁ ସାହିତ୍ୟକାର ଭାବରେ ସେ କବିତା ଲେଖିଛନ୍ତି । ତାଙ୍କ ବିଷୟରେ ଯେତେ ବର୍ଣ୍ଣନା କଲେ ମଧ୍ୟ ଶବ୍ଦ କମ ପଡିବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସମାଜରେ ମାତୃଶକ୍ତିର ନେତୃତ୍ୱ ସବୁବେଳେ ଆବଶ୍ୟକତା ରହିଛି । ଓଡ଼ିଶାର ସବଡିଭିଜନ ସ୍ତରରେ ବିଂଶ ଏବଂ ଏକବିଂଶ ଶତାବ୍ଦୀର ମହିଳା ଲେଖିକାମାନଙ୍କ ଅବଦାନକୁ ନୂଆପିଢିଙ୍କ ପାଖରେ ପହଞ୍ଚାଇବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଉଦ୍ୟମ କରିବା ଦରକାର । ବର୍ଷେବ୍ୟାପୀ ଏହିଭଳି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରାଯିବା ଦରକାର । ସାହିତ୍ୟରେ ରୁଚି ରଖୁଥିବା ନୂଆପିଢି ବିଶେଷ ଭାବରେ ନାରୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବା ସହ ସେମାନଙ୍କ ଅବଦାନକୁ ପରିବ୍ୟାପ୍ତ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ ବର୍ତ୍ତମାନ ସମୟରେ ଏଆଇ, ଚାଟ୍ ଜିପିଟି ଟେକ୍ନୋଲୋଜିର ନୂଆ ରୂପ ନେଉଛି । ଶିଳ୍ପ ବିପ୍ଳବ ୫.୦ ଦିଗରେ ଭାରତ ଅଗ୍ରସର ହେଉଛି । ଏଆଇ ଓ ଚାଟ୍ ଜିପିଟି ସମାଜ ପାଇଁ ନୂଆ ଆହ୍ୱାନ ହୋଇଛି । ନୂଆ ଅବସର ମଧ୍ୟ ଆଣିଦେଇଛି । ଏଆଇକୁ ବ୍ୟବହାର କରି ଲୋକମାନେ ମଲଟି ଲାଙ୍ଗୁଏଜ୍ ମୋଡ୍ ମାଧ୍ୟମରେ ପ୍ରଶ୍ନ ରଖିବା ଦରକାର । ଓଡ଼ିଆ ପଖାଳ କଣ ? ଖଣ୍ଡୁଆ ପାଟ କଣ ? ଉପକୂଳ ଅଞ୍ଚଳର ଗହୀର ମଥା କଇଁଛ ବିଷୟ ହେଉ ଅବା ରଙ୍ଗବତୀ କିଏ ଲେଖିଛନ୍ତି ? ଓଡ଼ିଶା ଏବଂ ଓଡ଼ିଆତ୍ୱର ଇତିହାସ ଭଳି ଅନେକ ପ୍ରସଙ୍ଗ ଉପରେ ଏଆଇର ସାହାଯ୍ୟ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ସହ ଆଗକୁ ନେବା ପାଇଁ ମଧ୍ୟ ଏଆଇର ବ୍ୟବହାର କରିବା ଦରକାର । ତେବେ ଯାଇଁ ଆମର ସାହିତ୍ୟ ବିଶ୍ୱବିଦିତ ଓ ସୁସମୃଦ୍ଧ ହୋଇପାରିବ । ଏହି ଅବସରେ ଶ୍ରୀ ପ୍ରଧାନ ବି.କେ କଲେଜ ଅଫ୍ ଆର୍ଟସ୍ ଆଣ୍ଡ୍ କ୍ରାଫ୍ଟସର ପ୍ରତିଭାବାନ ଛାତ୍ରୀମାନଙ୍କୁ ଭେଟିବା ସହ ସେମାନଙ୍କ ନିଖୁଣ କଳା କାରିଗରୀକୁ ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking