21.1 C
Bhubaneswar
Thursday, February 19, 2026
Homeଓଡିଶାବୋଲଗଡ଼ରେ ‘ବିଡିଓ ହଟାଓ’ ପାଲା; ସରକାରୀ ଗାଡ଼ି ଭଙ୍ଗାରୁଜା

ବୋଲଗଡ଼ରେ ‘ବିଡିଓ ହଟାଓ’ ପାଲା; ସରକାରୀ ଗାଡ଼ି ଭଙ୍ଗାରୁଜା

ବୋଲଗଡ଼: ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅଫିସରେ ହାଇଡ୍ରାମା। ବିଡିଓଙ୍କ ବଦଳି ଦାବିରେ ଗତ ୧୦ ତାରିଖ ଠାରୁ ବ୍ଲକ ବାହାରେ ଧାରଣାରେ ବସିଥିବା ବିଜେଡି ନେତା ଓ କର୍ମୀ ବୁଧବାର ହଠାତ ବ୍ଲକ ଅଫିସକୁ ଧସେଇ ପଶିବା ସହ ବ୍ଲକ ଭିତରେ ଥିବା ବିଡିଓଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି। ବୋଲଗଡ଼ ବିଡ଼ିଓ ସୁମନ ସୁଧା କୁଣ୍ଡୁ ସାଧାରଣତନ୍ତ୍ର ଦିବସରେ ସ୍ଥାନୀୟ ବିଧାୟକଙ୍କୁ ଅସମ୍ମାନିତ କରିବା, ବ୍ଲକ କାର୍ଯ୍ୟାଳୟରେ ଜନ ପ୍ରତିନିଧିମାନଙ୍କୁ ସମ୍ମାନ ନଦେବା ଓ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ମନ୍ଥରତା ପ୍ରଭୃତି କାର୍ଯ୍ୟକୁ ନେଇ ଗତ ମାସ ୨୮ତାରିଖ ଠାରୁ ବିଡିଓଙ୍କ ବଦଳି ଦାବି ଜୋର ଧରିଥିଲା। ଏପରିକି ଚଳିତ ମାସ ୧୦ତାରିଖ ଠାରୁ ବ୍ଲକ ସମ୍ମୁଖରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଅହୋରାତ୍ର ଧାରଣା ଦିଆଯାଉ ଥିଲା। ତେବେ ବୁଧବାର ବିଡ଼ିଓ ବାରମ୍ବାର ବ୍ଲକ ଗାଡ଼ିରେ ଧାରଣା ସ୍ଥଳ ଆଗରେ ପଇଁତରା ମାରିବାରୁ ଏହାକୁ ନେଇ ଧାରଣାରେ ବସି ରହିଥିବା ଜନ ପ୍ରତିନିଧି ମାନଙ୍କ ମନରେ ଉତ୍ତେଜନା ପ୍ରକାଶ ପାଇଥିଲା। ଯାହା ଫଳରେ ମଧ୍ୟାହ୍ନ ୧ଟା ସମୟରେ ହଠାତ ଧାରଣା ସ୍ଥଳରେ ବସିଥିବା କିଛି ସାଧାରଣ କର୍ମୀ ଉତ୍ତ୍ୟକ୍ତ ହୋଇ ବ୍ଲକ ମୁଖ୍ୟ ଫାଟକ ମଧ୍ୟରେ ପ୍ରବେଶ କରି ବିଡ଼ିଓଙ୍କ ସରକାରୀ ଗାଡିକୁ ଭଙ୍ଗାରୁଜା କରିଥିଲେ ଓ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ। ପରେ ସେଠାରେ ଉପସ୍ଥିତ ଥିବା ପୁଲିସ ବୁଝାସୁଝା କରି ଉତ୍ତେଜନାକୁ ଶାନ୍ତ କରିଥିଲେ। ଏହି ଘଟଣାରେ ବିଡିଓ ବୋଲଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ନେଇ ପୁଲିସ କେଶ ନଂ-୬୭/୨୬ରେ ମାମଲା ରୁଜୁ କରି ୧୩ଜଣ ଜନପ୍ରତିନିଧିଙ୍କୁ ଧାରଣା ସ୍ଥଳରୁ ଜବରଦସ୍ତ ଉଠାଇ ଆଣି ଥାନାରେ ଅଟକ ରଖିଥିଲେ। ପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦେଇଛନ୍ତି। ଅପର ପକ୍ଷେ ବ୍ଲକ ଅଧ୍ୟକ୍ଷ ହୁଲ୍ଲାସ ପ୍ରଧାନ ବିଡିଓଙ୍କ ବିରୁଦ୍ଧରେ ବୋଲଗଡ଼ ଥାନାରେ ଲିଖିତ ପାଲଟା ଅଭିଯୋଗ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking