ବଡଚଣା: ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ। ଜଣେ ହିତାଧିକାରୀଙ୍କୁ ସବସିଡି ଅର୍ଥ କରାଇଦେବାକୁ କହି ୩୦ ହଜାର ଟଙ୍କା ଲାଞ୍ଚ ନେଇଥିବାବେଳେ କଟକ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବଡ଼ଚଣା ବ୍ଲକ ଭେଟନାରୀ କାର୍ଯ୍ୟାଳୟରେ ଥିବା ପ୍ରୋଗ୍ରାମ ଆସିଷ୍ଟାଣ୍ଟ ସୁଭାଶିଷ ସାମଲ। ଏନେଇ କଟକ ଭିଜିଲାନ୍ସ ୫/୨୦୨୬,ଧାରା ୭ ଆଇପିସି ୨୦୧୮ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛନ୍ତି। ଘଟଣାରୁ ପ୍ରକାଶ ସରକାରଙ୍କ କୁକୁଡ଼ା ଚାଷ ରିହାତି ଯୋଜନାରେ ଜଣେ ହିତାଧିକାରୀ ବଡ଼ଚଣା ପଶୁ ଚିକିତ୍ସା ବିଭାଗ ମାଧ୍ୟମରେ କୁକୁଡ଼ା ଚାଷ କରିବା ପାଇଁ ୭୨ହଜାର ଟଙ୍କା ଋଣ କରିଥିଲେ। ସରକାରଙ୍କ ନିୟମ ଅନୁସାରେ ଏହି ଯୋଜନାରେ ହିତାଧିକାରୀ ସମୁଦାୟ ୬୦ ଭାଗ ସବସିଡି ଅର୍ଥ ସରକାରଙ୍କ ଠାରୁ ପାଇବେ ଯାହାକି ୪୩,୨୦୦୦ ଟଙ୍କା। ଫାର୍ମର ଘର ନିର୍ମାଣ ସରିଲେ ପ୍ରଥମ କିସ୍ତି ଅର୍ଥ ପାଇବାର ନିୟମ ରହିଅଛ। ମାତ୍ର ହିତାଧିକାରୀ ଘର ନିର୍ମାଣ କରିସାରି ଦ୍ୱିତୀୟ କିସ୍ତି ପାଇବାକୁ ହକଦାର ଥିଲେ ମଧ୍ୟ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ସାମଲ ସମୁଦାୟ ଋଣର ୧୦ ଭାଗ ଅର୍ଥ ୪୦ ହଜାର ଟଙ୍କା ଦେଲେ ତାଙ୍କର ସବସିଡି ଅର୍ଥ ମିଳିବ ବୋଲି ତାଙ୍କୁ କହି ବାରମ୍ବାର ଦୌଉଡ଼ାଉ ଥିଲେ। ଏବଂ ଲାଞ୍ଚ ନ ଦେଲେ ସବସିଡ୍ ମିଳିବ ନାହିଁ ବୋଲି କହୁଥିଲେ। ଏ ନେଇ ହିତାଧିକାରୀ କଟକ ଭିଜିଲାନ୍ସ ଟିମକୁ ଜଣାଇଥିଲେ। ଯୋଜନା ମୁତାବକ ଆଜି ହିତାଧିକାରୀ ସୁଭାଶିଷଙ୍କୁ ଡାକି ଜାତୀୟ ରାଜପଥ ୧୬ ଚଣ୍ଡିଖୋଲ ନିକଟସ୍ଥ ଗାନ୍ଧୀ ଛକ ନିକଟରେ ୩୦ହଜାର ଟଙ୍କା ଦେଉଥିବା ବେଳେ ପୂର୍ବରୁ ଛକି ଥିବା ଭିଜିଲାନ୍ସ ଟିମ ସୁଭାଶିଷଙ୍କୁ କାବୁ କରିନେବା ସହ ତାଙ୍କଠାରୁ ୩୦ହଜାର ଟଙ୍କା ଜବତ କରିଥିଲେ।










