ନୂଆଦିଲ୍ଲୀ : ରୁଷ୍ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଆମେରିକା କ୍ଷେପଣାସ୍ତ୍ର ବ୍ୟବହାର କରି ରୁଷ୍ ଉପରେ ଆକ୍ରମଣ କରିଛି ୟୁକ୍ରେନ । ଏହି ଆକ୍ରମଣକୁ ନେଇ ରୁଷ ରାଗି ଯାଇଥିବା ବେଳେ କୁହାଯାଉଛି ଯେ ୟୁକ୍ରେନ ଉପରେ ରୁଷ୍ ଏକ ବଡ଼ ଆକ୍ରମଣ କରିପାରେ । ସେପଟେ ଏହାରି ମଧ୍ୟରେ ୟୁକ୍ରେନ ରାଜଧାନୀ କିଭରେ ଦୂତାବାସ ବନ୍ଦ କରିଦେଇଛି ଆମେରିକା । ଆମେରିକା ଦୂତାବାସ କହିଛି, ରୁଷୀୟ ଏୟାର ଷ୍ଟ୍ରାଇକର ଆଶଙ୍କାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ମିଳିଛି, ଯେଉଁଥିପାଇଁ ସତର୍କତାମୂଳକ ଭାବେ ଦୂତାବାସକୁ ବନ୍ଦ କରି ଦିଆଯାଇଛି । ଦୂତାବାସ ନିଜ କର୍ମଚାରୀମାନଙ୍କୁ କେ?ଣସି ନିରାପଦ ସ୍ଥାନରେ ରହିବାକୁ ନିର୍ଦ୍ଦେଶ ଦେଇଛି । ଏହା ସହିତ ପରାମର୍ଶ ଦେଇଛି କି, କିଭରେ ଥିବା ଆମେରିକୀୟ ନାଗରିକମାନେ ଆଲର୍ଟ ସ୍ଥିତିରେ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପ୍ରସ୍ତୁତ ରୁହନ୍ତୁ । ଦିନକ ପୂର୍ବରୁ ରୁଷ୍ କହିଥିଲା ଯେ ବ୍ରାନସ୍କ ଅଞ୍ଚଳରେ ଏକ ଅସ୍ତ୍ର ଗୋଦାମ ଉପରେ ୟୁକ୍ରେନ ଆକ୍ରମଣ କରିଥିଲା । ଏଥିରେ ଆମେରିକା ନିର୍ମିତ ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିଲା ।
ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ମଙ୍ଗଳବାର ଏକ ବିବୃତ୍ତିରେ କହିଛି, ରୁଷୀୟ ସେନା ୟୁକ୍ରେନ ଦ୍ୱାରା ନିକ୍ଷେପ କରାଯାଇଥିବା ୫ କ୍ଷେପଣାସ୍ତ୍ରକୁ ଖସାଇ ଦେଇଛି । ଏହା ସହିତ ଅନ୍ୟ ଏକ କ୍ଷେପଣାସ୍ତ୍ରକୁ ଗୁରୁତର ଭାବରେ କ୍ଷତି କରିଛି । ଏକ ସୈନ୍ୟ ପ୍ରତିଷ୍ଠାନ ପରିସରରେ କ୍ଷେପଣାସ୍ତ୍ରର ଖଣ୍ଡଗୁଡ଼ିକ ପଡ଼ିଥିଲା । ଏହା ଖସିବା ପରେ ସେଥିରେ ନିଆଁ ଲାଗିଯାଇଥିଲା । କିନ୍ତୁ କେଣସି ଧନଜୀବନ ହାନି ହୋଇନାହିଁ । କହି ରଖୁଛୁ, ପରମାଣୁ ଅସ୍ତ୍ର ବ୍ୟବହାର ସମ୍ବନ୍ଧିତ ଏକ ନିଷ୍ପତ୍ତିକୁ ଗତକାଲି ଅନୁମୋଦନ କରିଛନ୍ତି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଯଦି କେହି ଦେଶ କେଣସି ପରମାଣୁ ଶକ୍ତିଶାଳୀ ଦେଶ ସହ ମିଶି ରୁଷ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରେ, ତେବେ ଏହାକୁ ରୁଷ୍ ବିରୋଧରେ ଯୁଦ୍ଧ ଘୋଷଣା ବୋଲି ଧରାଯିବ ବୋଲି ପୁଟିନ କହିଛନ୍ତି ।