ନୂଆଦିଲ୍ଲୀ: ଯଦି ଆପଣ ଉତ୍ତର ପ୍ରଦେଶର ଏକ୍ସପ୍ରେସୱେରେ ଯାତ୍ରା କରିବାକୁ ଚାହାନ୍ତି , ତେବେ ଆପଣଙ୍କୁ ପକେଟ ମାଡ ହୋଇପାରେ ।ଉତ୍ତର ପ୍ରଦେଶ ଏକ୍ସ ପ୍ରେସୱେ ଶିଳ୍ପ ବିକାଶ ପ୍ରାଧିକରଣ ରାଜ୍ୟର ସମସ୍ତ ଏକ୍ସପ୍ରେସୱେରେ ଟୋଲ ହାର ବୃଦ୍ଧି କରିିଛି । ବିଭିନ୍ନ ଯାନବାହାନ ବର୍ଗ ପାଇଁ ନୂତନ ଦର ୫ ଟଙ୍କାରୁ ୮୫ ଟଙ୍କା ଯାଏଁ ରହିିଛି । ସଂଶୋଧିତ ଭଡ଼ା ସମ୍ପର୍କରେ UPDA ଏକ ବିଜ୍ଞପ୍ତି ଜାରି କରିଛି। ନୂତନ ଦରଗୁଡ଼ିକ ଏପ୍ରିଲ 1 ତାରିଖରୁ ଲାଗୁ ହୋଇଛି। ୟୁପିର ଏକ୍ସପ୍ରେସୱେରେ ଯାତ୍ରା କରିବା ଏବେ ପୂର୍ବ ଅପେକ୍ଷା ମହଙ୍ଗା ହୋଇଯାଇଛି। ତଥାପି, ନୂତନ ସଂଶୋଧିତ ଦର ପୂର୍ବରୁ ଜାରି କରାଯାଇଥିବା ମାସିକ ଏବଂ ବାର୍ଷିକ ପାସଗୁଡ଼ିକ ପାଇଁ ପ୍ରଯୁଜ୍ୟ ହେବ ନାହିଁ। UPDA କହିଛି ଯେ ଏହି ଟୋଲ୍ ଟ୍ୟାକ୍ସ ବୃଦ୍ଧି ଏକ ବାର୍ଷିକ ସମୀକ୍ଷା ପରେ ହୋଇଛି, ଯେଉଁଥିରେ ଏକ୍ସପ୍ରେସୱେ ରକ୍ଷଣାବେକ୍ଷଣ, ପରିଚାଳନା ଏବଂ ମୁଦ୍ରାସ୍ଫୀତି ସମେତ ବିଭିନ୍ନ କାରଣକୁ ବିଚାରକୁ ନିଆଯାଇଛି। ନୂତନ ଟୋଲ୍ ହାର ଅନୁଯାୟୀ, ଏକ୍ସପ୍ରେସୱେରେ ଯାତ୍ରା କରୁଥିବା ଦୁଇ ଚକିଆ ଏବଂ ତିନି ଚକିଆ ଯାନଗୁଡ଼ିକୁ ଏବେ ଅତିରିକ୍ତ 5 ଟଙ୍କା ଦେବାକୁ ପଡିବ। କାର, ଜିପ୍ ଏବଂ ଭ୍ୟାନ ଭଳି ଯାନ ପାଇଁ ଟୋଲ୍ 10 ଟଙ୍କା କୁ ବୃଦ୍ଧି କରାଯାଇଛି, ଏବଂ ଅଧିକ ଆକାରର ଯାନ ପାଇଁ ଟୋଲ୍ 85 ଟଙ୍କାକୁ ବୃଦ୍ଧି ପାଇଛି।










