କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଆଜି ରାଜ୍ୟ କୃଷି ମନ୍ତ୍ରୀମାନଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ପିଏମ-ଆରକେଭିଓ୍ବାଇ) ଏବଂ କୃଷୋନ୍ନତି ଯୋଜନା (କେଓ୍ବାଇ) ସମେତ ବିଭିନ୍ନ କେନ୍ଦ୍ରୀୟ କୃଷି ଯୋଜନାର ଅଗ୍ରଗତି ଏବଂ ବଜେଟ୍ ଉପଯୋଗ ସ୍ଥିତି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ସମୀକ୍ଷା ବୈଠକକୁ ସମ୍ବୋଧିତ କରି ଶ୍ରୀ ଚୌହାନ କହିଛନ୍ତି ଯେ, ଛୋଟ ଛୋଟ ସାଧାରଣ ପ୍ରଶାସନିକ ଏବଂ ପ୍ରକ୍ରିୟାଗତ ସମସ୍ୟା ଯୋଗୁଁ ଅନେକ ସମୟରେ ବଜେଟ୍ ଆବଣ୍ଟନ ପ୍ରାୟତଃ ବିଳମ୍ବ ହୁଏ, ଯାହା ଯୋଜନାର ପ୍ରଭାବୀ କାର୍ଯ୍ୟାନ୍ୱୟନକୁ ପ୍ରଭାବିତ କରେ। ମାର୍ଚ୍ଚ ପୂର୍ବରୁ ବିଭିନ୍ନ ଯୋଜନା ପାଇଁ ଆବଣ୍ଟିତ ବଜେଟ୍ ଉପଯୋଗ ସୁନିଶ୍ଚିତ କରିବାକୁ ସେ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଯଦି ରାଜ୍ୟଗୁଡ଼ିକ ଧାର୍ଯ୍ୟ ସମୟସୀମାରେ ସେମାନଙ୍କର ବଜେଟ୍ ଖର୍ଚ୍ଚ କରିପାରୁନାହାଁନ୍ତି, ତେବେ ଏହା ଦ୍ବାରା ରାଜ୍ୟମାନଙ୍କର ହିଁ କ୍ଷତି ହୋଇଥାଏ। ରାଜ୍ୟଗୁଡ଼ିକ ପୂର୍ବ ଯୋଜନାବଦ୍ଧ ରଣନୀତି ସହିତ ବଜେଟ୍ ବ୍ୟବହାର କରିବା ଉଚିତ ଯାହା ଦ୍ୱାରା ଯୋଜନାର ଲାଭ ଚାଷୀମାନଙ୍କ ପାଖରେ ଠିକ୍ ସମୟରେ ପହଞ୍ଚିପାରିବ ଏବଂ କେନ୍ଦ୍ରରୁ ପରବର୍ତ୍ତୀ କିସ୍ତି ଠିକ ସମୟରେ ପ୍ରଦାନ କରାଯାଇପାରିବ।
ବୈଠକରେ, କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀ-କିଷାନ ଯୋଜନାରେ ଯୋଗ୍ୟ ଚାଷୀଙ୍କ ଶୀଘ୍ର ଯାଞ୍ଚ, ଫସଲ ବୀମା ଯୋଜନାରେ ସର୍ବାଧିକ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବା ଏବଂ ସମୟସୀମା ମଧ୍ୟରେ ଦାବିର ସମାଧାନ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ବିହନ ତଥା ସାରର ଉପଲବ୍ଧତା, ସନ୍ତୁଳିତ ବ୍ୟବହାର ଏବଂ କେନ୍ଦ୍ର-ରାଜ୍ୟ ସମନ୍ୱୟକୁ ଆହୁରି ମଜବୁତ କରିବା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ବୈଠକରେ ଉତ୍ତର ପ୍ରଦେଶର କୃଷିମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ପ୍ରତାପ ଶାହୀ, ମହାରାଷ୍ଟ୍ରର କୃଷିମନ୍ତ୍ରୀ ଶ୍ରୀ ଦତ୍ତାତ୍ରେୟ ଭରଣେ, ରାଜସ୍ଥାନର କୃଷିମନ୍ତ୍ରୀ ଡକ୍ଟର କିଶୋରୀ ଲାଲ ମୀନା, ଉତ୍ତରାଖଣ୍ଡର କୃଷିମନ୍ତ୍ରୀ ଶ୍ରୀ ଗଣେଶ ଜୋଶୀ ଏବଂ ମିଜୋରାମର କୃଷିମନ୍ତ୍ରୀ ଉପସ୍ଥିତ ଥିଲେ। କୃଷି ମନ୍ତ୍ରଣାଳୟର ସଚିବ ଶ୍ରୀ ଦେବେଶ ଚତୁର୍ବେଦୀଙ୍କ ସମେତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀ ଚୌହାନ ରାଜ୍ୟଗୁଡ଼ିକୁ ଆଶ୍ୱାସନା ଦେଇଥିଲେ ଯେ କେନ୍ଦ୍ର ସରକାର କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ଚାଷୀମାନଙ୍କୁ ଲାଭ ଦେବା ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇବା ଜାରି ରଖିବେ।










